Categories: ଜାତୀୟ

ଷ୍ଟେଶନ ମାଷ୍ଟରଙ୍କୁ ପଣବନ୍ଦୀ ରଖିଲେ ମାଓବାଦୀ

ପାଟନା, ୧।୮: ସଶସ୍ତ୍ର ମାଓବାଦୀମାନଙ୍କର ଏକ ଗୋଷ୍ଠୀ ଶନିବାର ସକାଳେ ପାଟନା-କୋଲକାତା ରୁଟ୍‌ର ଏକ ରେଳଷ୍ଟେଶନ ଉପରେ ଆକ୍ରମଣ କରିବା ସହ ଷ୍ଟେଶନ ମାଷ୍ଟରଙ୍କୁ ଅଧଘଣ୍ଟା ପଣବନ୍ଦୀ ରଖିଥିଲେ। ସେମାନେ ଷ୍ଟେଶନ ବିଲ୍ଡିଂକୁ ଉଡ଼ାଇଦେବାକୁ ଧମକ ଦେଇଥିଲେ। ମାଓବାଦୀ ପ୍ରବଣ ଜାମୁଇ ଜିଲା ଅନ୍ତର୍ଗତ ଚୌରା ରେଳଷ୍ଟେଶନରେ ମାଓବାଦୀଙ୍କ ଆକ୍ରମଣ ଫଳରେ ଉକ୍ତ ରୁଟ୍‌ରେ ୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ରେଳ ଚଳାଚଳ ବ୍ୟାହତ ହୋଇଥିଲା।
ଖବର ଅନୁଯାୟୀ ସକାଳ ୬ଟାରେ ମାଓବାଦୀମାନେ ପୋଲିସ ପୋଷାକରେ ଆସି ଚୌରା ଷ୍ଟେଶନ ମାଷ୍ଟର ବିନୟ କୁମାରଙ୍କ କ୍ୟାବିନରେ ଧସେଇ ପଶିଥିଲେ। ଉକ୍ତ ଅଞ୍ଚଳରେ ମାଓବାଦୀ ସପ୍ତାହ ପାଳନ ହେଉଥିବାରୁ ରେଳ ଚଳାଚଳ ବନ୍ଦ ରଖିବାକୁ ସେମାନେ ବିନୟ କୁମାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ ମନା କରିବା ପରେ ମାଓବାଦୀମାନେ ନିଜର ପରିଚୟ ଦେବା ସହ ମାରଣାସ୍ତ୍ର ବାହାର କରି ଧମକ ଦେଇଥିଲେ। କିଛି ସମୟ ପରେ ମାଓବାଦୀମାନେ ପଳାଇଯାଇଥିଲେ ମଧ୍ୟ ଷ୍ଟେଶନ ପରିସରରେ ଭୟର ବାତାବରଣ ଲାଗିରହିଥିଲା। ପୋଲିସ ଏବଂ ସିଆର୍‌ପିଏଫ୍‌ ଯବାନ ପହଞ୍ଚତ୍ ଷ୍ଟେଶନ ଓ ରେଳଲାଇନ ଯାଞ୍ଚ କରିବା ପରେ ଟ୍ରେନ୍‌ ଚଳାଚଳ ପାଇଁ ଅନୁମତି ଦିଆଯାଇଥିଲା।

Share