ବ୍ରହ୍ମପୁର ଅଫିସ୍,୨୮ା୧୨: ବାଲୁକା ଶିଳ୍ପୀ ସତ୍ୟନାରାୟଣ ମହାରଣା ପୁଣି ଥରେ ଏକ ନୂତନ ରେକର୍ଡ ହାସଲ କରିବା କ୍ଷେତ୍ରରେ ସଫଳ ହୋଇଛନ୍ତି। ସତ୍ୟଙ୍କ ଦ୍ୱାରା ୧୧୧୫ ବୋତାମରେ ନିର୍ମିତ ହୋଇଥିବା କନ୍ଧୁଣୀ ଦେବୀଙ୍କ ପ୍ରତିମୂର୍ତ୍ତି ଏସିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି। ସତ୍ୟଙ୍କ ଏହି ପ୍ରତିମୂର୍ତ୍ତି ସୋରଡ଼ାର ପ୍ରସିଦ୍ଧ କଣ୍ଟାପିଡ଼ା ଯାତ୍ରା ସମୟରେ ନିର୍ମାଣ କରିଥିଲେ, ଯାହାକୁ ନିର୍ମାଣ କରିବା ପାଇଁ ତାଙ୍କୁ ପାଞ୍ଚ ଘଣ୍ଟା ସମୟ ଲାଗିଥିବା ବେଳେ ପ୍ରତିମୂର୍ତ୍ତିର ଉଚ୍ଚତା ୧୧ ଇଞ୍ଚ ଓ ଓସାର ୧୫ ଇଞ୍ଚ ରହିଛି। ଏଥିସହ ଦେବୀଙ୍କ ମୁଖ ନାଲି ବୋତାମରେ ହୋଇଥିବା ବେଳେ ଆଖି ଧଳା ବୋତାମ, ଫୁଲମାଳ ହଳଦିଆ ଓ ଧଳା ରଙ୍ଗ ବୋତାମରେ ନିର୍ମିତ ହୋଇଛି। ଏଭଳି ଭାବେ ବିଭିନ୍ନ ରଙ୍ଗ ବୋତାମରେ ଦେବୀଙ୍କ ପ୍ରତିମୂର୍ତ୍ତି ସତ୍ୟ ନିର୍ମାଣ କରିଛନ୍ତି। ସତ୍ୟଙ୍କ ଏହି ପ୍ରତିମୂର୍ତ୍ତି ଅକ୍ଟୋବରରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଥିବା ବେଳେ ବର୍ତ୍ତମାନ ଏସିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇବାରେ ସଫଳତା ଅର୍ଜନ କରିଛି, ଯାହାକୁ ନେଇ ବେଶ୍ ଖୁସି ଅନୁଭବ କରୁଥିବା ସତ୍ୟ କହିଛନ୍ତି।