ମାଷ୍ଟର କ୍ୟାଣ୍ଟିନରୁ ଯୋଦ୍ଧା, ଘୋଡ଼ା ପ୍ରତିମୂର୍ତ୍ତି ସ୍ଥାନାନ୍ତର କରା ନ ଯାଉ

ଭୁବନେଶ୍ୱର,୩୦ା୬(ବ୍ୟୁରୋ): ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମାଷ୍ଟର କ୍ୟାଣ୍ଟିନ ଛକରୁ ଯୋଦ୍ଧା, ଘୋଡ଼ା ସ୍ଥାନାନ୍ତର ନ କରିବା ପାଇଁ ରାଜ୍ୟ ସରକାରଙ୍କୁ ଉପଦେଶ ଦେବା ଲାଗି ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସୁରେଶ ରାଜଭବନ ଯାଇ ରାଜ୍ୟପାଳଙ୍କ ନିକଟକୁ ସ୍ମାରକପତ୍ର ପଠାଇଦେଇଛନ୍ତି। ସ୍ମାରକପତ୍ରରେ ସେ ଉଲ୍ଲେଖ କରିଛନ୍ତି, ମାଷ୍ଟର କ୍ୟାଣ୍ଟିନର ଯୋଦ୍ଧା, ଘୋଡ଼ା ଓଡ଼ିଆ ଜାତିର ଭାବାବେଗ ସହ ଜଡ଼ିତ। ଏହା ସ୍ବର୍ଗତ ସ୍ଥପତି ରଘୁନାଥ ମହାପାତ୍ରଙ୍କ ଦ୍ୱାରା ନିର୍ମିତ। ହରେକୃଷ୍ଣ ମହତାବଙ୍କଠାରୁ ବିଜୁ ପଟ୍ଟନାୟକ, ନନ୍ଦିନୀ ଶତପଥୀ, ସତ୍ୟପ୍ରିୟ ମହାନ୍ତି, ଚିନ୍ତାମଣି ପାଣିଗ୍ରାହୀ ପ୍ରଭୃତି ଓଡ଼ିଶାର ଦିବଂଗତ ଜନନାୟକଙ୍କ ପ୍ରେରଣା ଓ ଉପଦେଶରେ ଏହି ମୂର୍ତ୍ତିକୁ ଏଠାରେ ସ୍ଥାନିତ କରାଯାଇଥିଲା। ରାଜମହଲ ଛକ ଭୁବନେଶ୍ୱରର କେନ୍ଦ୍ରବିନ୍ଦୁ। ରେଳ ଷ୍ଟେଶନ ଓ ସଚିବାଳୟର ମଧ୍ୟସ୍ଥଳରେ ଏହା ସ୍ଥାନିତ ହୋଇ ଓଡ଼ିଆ ଜାତିର ସ୍ବର୍ଣ୍ଣିମ ଇତିହାସ, କୀର୍ତ୍ତିର ନିଦର୍ଶନ ହୋଇଛି। ଯଦି ସ୍ମାର୍ଟସିଟିର ବିକାଶ ପାଇଁ ମାଷ୍ଟର କ୍ୟାଣ୍ଟିନ ଛକର ଆଧୁନିକୀକରଣ କରାଯାଉଛି ତାହାର ଆମେ ପରିପନ୍ଥୀ ନୁହେଁ। ମାତ୍ର ଏହି ମୂର୍ତ୍ତିର ସ୍ଥାନାନ୍ତର ନ କରିବା ପାଇଁ ରାଜ୍ୟପାଳ ହସ୍ତକ୍ଷେପ କରିବା ପାଇଁ ସେ ନିବେଦନ କରିଛନ୍ତି।

Share