ପ୍ରିଣ୍ଟ୍‌ ମିଡିଆର ସ୍ଥିତି

ଭାରତରେ ୨୦୨୧ରେ ପ୍ରିଣ୍ଟ୍‌ ମିଡିଆ ଆଡ୍‌ଭର୍ଟାଇଜିଂ (ଛାପା ଗଣମାଧ୍ୟମ ପାଇଥିବା ବିଜ୍ଞାପନ ଅର୍ଥ) ୧୬,୦୦୦ କୋଟି ଟଙ୍କା ବୃଦ୍ଧି ପାଇଥିଲା ବୋଲି ଚଳିତ ବର୍ଷ ପ୍ରାରମ୍ଭରେ ଏକ ଖବରକାଗଜ ପ୍ରକାଶ କରିଥିଲା। ୨୦୨୦ରେ ଏହା ଥିଲା ୧୨,୦୦୦ କୋଟି ଟଙ୍କା। ଚଳିତ ବର୍ଷ ଏହା ୧୮,୦୦୦ କୋଟି ଟଙ୍କା ହେବ ବୋଲି ରିପୋର୍ଟରେ କୁହାଯାଇଥିଲା। ଉକ୍ତ ରିପୋର୍ଟ ଦର୍ଶାଇଥିଲା ଯେ,ଖବରକାଗଜ ଓ ପତ୍ରିକାଗୁଡ଼ିକ ମୋଟ ବିଜ୍ଞାପନ ମାର୍କେଟର ୨୦% ଅଂଶଧନ ପାଉଛନ୍ତି ଓ ଏହା ବୈଶ୍ୱିକ ଶେୟାରଠାରୁ ୫% ଅଧିକ ଥିଲା। ଏସବୁ ଭଲ ଖବର, କିନ୍ତୁ ପ୍ରିଣ୍ଟ୍‌ ମିଡିଆ ବା ଛାପାଗଣମାଧ୍ୟମ ୨୦୧୯ରେ ଯେମିତି ବିଜ୍ଞାପନ ପାଇଥିତ୍ଲା ୨୦୨୨ରେ ତା’ଠାରୁ ବହୁ ଅଧିକ ବିଜ୍ଞାପନ ପାଇବ ବୋଲି ଉକ୍ତ ରିପୋର୍ଟ ଦର୍ଶାଇ ନ ଥିଲା। ୨୦୦୫ରେ ଖବରକାଗଜ ଓ ପତ୍ରିକାଗୁଡ଼ିକ ସମସ୍ତ ବିଜ୍ଞାପନର ୫୩% ପାଇଥିଲେ। ହେଲେ ୨୦୨୨ରେ ଡିଜିଟାଲ ୪୫% ଓ ଟେଲିଭିଜନ ୪୦% ବିଜ୍ଞାପନ ପାଇବେ ଏବଂ ବଳକାକୁ ଛାପା, ରେଡିଓ ଓ ଅନ୍ୟ ଗଣମାଧ୍ୟମ ପାଇବେ, ଯାହା ଏମାନଙ୍କ ପାଇଁ ଅଧିକ ନୁହେଁ। ଅବଶ୍ୟ ଏମାନେ ଭାରତରେ କମ୍‌ ବିଜ୍ଞାପନ ପାଇବା କିଛି ନୂଆ କଥା ନୁହେଁ। ଆମେରିକାରେ ବି ବିଗତ ୫ ବର୍ଷରେ ଛାପା ଗଣମାଧ୍ୟମର ବିଜ୍ଞାପନ ମାର୍କେଟ ଅଧା ହୋଇଯାଇଛି। ଏହା ଭାରତଠାରୁ ବଡ଼ ମାର୍କେଟ ହୋଇଥିଲେ ମଧ୍ୟ ମୋଟ ବିଜ୍ଞାପନ ମାର୍କେଟ ୨୦୧୭ରେ ଯାହା ଥିଲା ସେଥିରୁ ୨୦ ବିଲିୟନ ଡଲାର(୧୬୦,୦୦୦ କୋଟି ଟଙ୍କା) ହ୍ରାସ ପାଇ ଚଳିତ ବର୍ଷ ଅଧାରେ ପହଞ୍ଚିଛି। ବାସ୍ତବରେ ଛାପିବା ଏବଂ ଛାପାକାଗଜ ମୂଲ୍ୟ ଏବେ ବୃଦ୍ଧି ପାଇଛି ଓ ଖବରକାଗଜ ମୂଲ୍ୟର ଏହା ଏକ ସିଂହଭାଗ ବହନ କରେ। ବିିଶେଷକରି ଭାରତରେ ପାଠକମାନେ କାଗଜ ମୂଲ୍ୟର ପ୍ରାୟ ଏକ ପଞ୍ଚମାଂଶ ଦେଉଥିବାବେଳେ ଏଥିପାଇଁ ୮୦% ବିଜ୍ଞାପନଦାତା ଦେଇଥାନ୍ତି। ତେବେ ଏଥିପାଇଁ କ’ଣ କରାଯିବା ଉଚିତ ଓ କିଭଳି ବିଜ୍ଞାପନ ଆସିବ? ଏହାର ସରଳ ଉତ୍ତର ହେଉଛି, ଯଦି ଭାରତର ଅର୍ଥ ବ୍ୟବସ୍ଥାରେ ଆଗାମୀ କିଛି ବର୍ଷରେ ମଜଭୁତ ଅଭିବୃଦ୍ଧି ପ୍ରକାଶ ପାଏ ତେବେ ଏବେଠୁ ଖବରକାଗଜ ଏବଂ ପତ୍ରିକାଗୁଡ଼ିକର ସ୍ଥିତିକୁ ଭଲ କଲେ ଖାଉଟି ଉପତ୍ାଦ ଏବଂ ସେବାଗୁଡ଼ିକର ବିଜ୍ଞାପନ ଲୋକେ ଅଧିକ ପଠାଇବାକୁ ଚାହିଁବେ। ଯଦି ଅଭିବୃଦ୍ଧି ଦୁର୍ବଳ ରହିବ, ତେବେ ବିଜ୍ଞାପନ ଅର୍ଥ ଛାପାଗଣମାଧ୍ୟମକୁ ଆସିବ ନାହିଁ ଏବଂ ପୂର୍ବରୁ ରହି ଆସିଥିବା ଦୀର୍ଘ ମିଆଦୀ ହ୍ରାସ ସେମିତି ଜାରି ରହିବ। ବାସ୍ତବରେ ଏହା ଏକ ଚିନ୍ତାଜନକ ବିଷୟ।
ସାମ୍ବାଦିକତାର ପ୍ରକ୍ରିୟାକୁ ଯେଉଁମାନେ ବୁଝିଛନ୍ତି ସେମାନେ ଜାଣନ୍ତି ଯେ, ଛାପା ଗଣମାଧ୍ୟମରେ ସବୁଠୁ ବେଶି ରିପୋର୍ଟର ବା ଖବରଦାତା ଅଛନ୍ତି। ଏଠାରେ ଦୃଷ୍ଟାନ୍ତ ଦିଆଯାଇପାରେ ଯେ, ମୋ କାର୍ଯ୍ୟ ଶେଷ ହୋଇଥିଲା ଏକ ଗୁଜରାଟୀ ଖବରକାଗଜରେ ଓ ଯେଉଁଠି ରାଜ୍ୟର ବିଭିନ୍ନ ଅଞ୍ଚଳ ତଥା ସହରଗୁଡ଼ିକରେ ୩୦୦ ରିପୋର୍ଟର କାର୍ଯ୍ୟ କରୁଥିଲେ। ସେମାନେ ନିୟମିତ ଭାବେ ଦୁର୍ନୀତି, ଶିକ୍ଷା ଏବଂ ଅପରାଧ ଆଦି ଘଟଣା ଉପରେ ଅଭିଯାନ ଚଳାଇଥିଲେ। କିନ୍ତୁ ଟଲିଭିଜନ ଚ୍ୟାନେଲଗୁଡ଼ିକର ଛାପା ଗଣମାଧ୍ୟମରେ ଥିବା ରିର୍ପୋଟର ସଂଖ୍ୟା ଆବଶ୍ୟକ କରନ୍ତି ନାହିଁ କିମ୍ବା ଛାପା ଗଣମାଧ୍ୟମ ଯେଭଳି ରିପୋର୍ଟିଂ କରୁଛି ସେଭଳି କରିବା ଜରୁରୀ ମନେକରନ୍ତି ନାହିଁ। ଏବେ ଟିିଭି ଚ୍ୟାନେଲଗୁଡ଼ିକର ସିଦ୍ଧାନ୍ତ ହେଉଛି ଡିବେଟ ବା ବିତର୍କ। ଏଥିରେ ବାହାରର ବିଶେଷଜ୍ଞ ଓ ରାଜନୈତିକ ନେତାଙ୍କ ସମେତ ଅନ୍ୟ ଅତିଥିମାନେ କଣ୍ଟେଣ୍ଟ ଯୋଗାଇ ଦିଅନ୍ତି। ଏହା ସତ୍ୟ ଯେ, କିଛି ଉତ୍ତମ ଓ୍ବେବ୍‌ସାଇଟ ଏ କ୍ଷେତ୍ରରେ ଆଗକୁ ଆସିଛନ୍ତି। ସେମାନେ ଏଭଳି ସାମ୍ବାଦିକତା କରୁଛନ୍ତି ଯାହା ପୂର୍ବରୁ କେବେ ବି ହୋଇ ନ ଥିଲା। କିନ୍ତୁ ସେମାନଙ୍କ ଢାଞ୍ଚା ଖବରକାଗଜ ଭଳି ଗଢାଯାଇନାହିଁ କିମ୍ବା ଖବରକାଗଜର ରିପୋର୍ଟରମାନଙ୍କ ସଂଖ୍ୟା ସେମାନଙ୍କର ନାହିଁ। ଭାରତରେ (କିମ୍ବା ପ୍ରକୃତପକ୍ଷେ ଦକ୍ଷିଣ ଏସିଆରେ) ଯଦି ସାମ୍ବାଦିକଙ୍କ ସଂଖ୍ୟା ଗଣନା କରାଯାଏ ତେବେ ଛାପା ଗଣମାଧ୍ୟମରେ ଅଧିକ ରିପୋର୍ଟର ହିଁ ବାହାରିବେ।
ସାମ୍ପ୍ରତିକ ସମୟରେ ବିଜ୍ଞାପନ ସହ ଗଣମାଧ୍ୟମରେ ନିଯୁକ୍ତି ବି ହ୍ରାସ ପାଇଚାଲିଛି। ସେଣ୍ଟର ଫର୍‌ ମନିଟରିଂ ଦି ଇଣ୍ଡିଆନ୍‌ ଇକୋନୋମିର ତଥ୍ୟ ସମ୍ବଳିତ ରିପାର୍ଟ ଦର୍ଶାଇଥିଲା ଯେ, ଭାରତରେ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥାଗୁଡ଼ିକରେ ନିଯୁକ୍ତ ଲୋକଙ୍କ ସଂଖ୍ୟା ୨୦୧୬ ସେପ୍ଟେମ୍ବରରେ ମୋଟ ୧୦ ଲକ୍ଷରୁ ସାମାନ୍ୟ ଅଧିକ ଥିତ୍ଲା। ଅଗଷ୍ଟ ୨୦୨୧ ସୁଦ୍ଧା ଏହି ସଂଖ୍ୟା ୨.୩ ଲକ୍ଷ ରହିଥିଲା। ଏହି ସମୟ ମଧ୍ୟରେ ଗଣମାଧ୍ୟମ କ୍ଷେତ୍ରରେ ଯେଭଳି ନିଯୁକ୍ତି ହ୍ରାସ ପାଇଥିଲା ସେହିଭଳି ମାନୁଫାକ୍‌ଚରିଂରେ ମଧ୍ୟ ଚାକିରି ଅଧା ହ୍ରାସ ଘଟିଥିଲା। ତେବେ ଗଣମାଧ୍ୟମରେ କାର୍ଯ୍ୟରତ ଲୋକଙ୍କ ପାଇଁ ଏହା ସେମିତି କିଛି ଆଶ୍ଚର୍ଯ୍ୟର ବିଷୟ ନୁହେଁ, କାରଣ ସେମାନେ ସହକର୍ମୀମାନଙ୍କୁ ଚାକରିରୁ ଯିବା ଏବଂ ଖବରକାଗଜ ଛପା ବନ୍ଦ ହେବା ଦେଖିଛନ୍ତି। ବଡ଼ ପ୍ରଶ୍ନ ହେଉଛି, ଆମ ଗଣତନ୍ତ୍ରରେ ଏଭଳି ନିଯୁକ୍ତି ହ୍ରାସର ମାନେ କ’ଣ। ସରକାରଙ୍କ ଉପରେ ତଥ୍ୟ ଆଧାରିତ ସୂଚନାର ସବୁଠୁ ବଡ଼ ଉତ୍ସ ହେଉଛି ପ୍ରିଣ୍ଟ ରିପୋର୍ଟିଂ। ଅନ୍ୟ କୌଣସି ମାଧ୍ୟମ ଏହାର ସ୍ଥାନ ନେଇପାରିବ ନାହିଁ। ଏପରି କି ଅନ୍ୟ ଗଣମାଧ୍ୟମଗୁଡ଼ିକ ଚାହିଁଥିଲେ ବି ଏହା ହୋଇପାରି ନାହିଁ। ଟିଭି ଏବଂ ଡିଜିଟାଲ ମିଡିଆର ଉତ୍‌ଥାନ ଛାପା ଗଣମାଧ୍ୟମର ସ୍ଥାନ ନେବ ନାହିଁ କି କେବେ ବି ନେଇପାରିବ ନାହିଁ। ଖବରକାଗଜଗୁଡ଼ିକ ସମସ୍ତଙ୍କ ଭଲ ପାଇଁ ଏବଂ ଏହା ସମାଜକୁ ସେବା ଯୋଗାଇଆସୁଛି। ଯେତେବେଳେ ସରକାରଙ୍କ ପ୍ରଦର୍ଶନ ଏବଂ ସରକାରୀ ସଂସ୍ଥାଗୁଡ଼ିକର ସ୍ଥିତି ସମ୍ପର୍କିତ ମୌଳିକ ତଥ୍ୟ ହ୍ରାସ ପାଇ ଶେଷ ହୋଇଯାଉଛି ସେତେବେଳେ ଏକ ଗଣତନ୍ତ୍ରରେ କ’ଣ ବା ହୋଇପାରିବ? ସ୍କୁଲ, ହସ୍ପିଟାଲ, ଥାନା ଏବଂ ସରକାରୀ ଦପ୍ତରରେ ଯାହା ଘଟୁଛି ତାହାକୁ ଯଦି ଦେଶର ନାଗରିକମାନେ ନ ଜାଣିବେ, ତେବେ ଏହି ସମୟରେ ସେମାନେ କେମିତି ବ୍ୟବସ୍ଥାର ତ୍ରୁଟିକୁ ସମାଲୋଚନା କରିବେ ବା ଦୋଷ ଦେବେ। ପ୍ରଥମେ ଟିଭି ଓ ଏବେ ଡିଜିଟାଲ ମିଡିଆ ପାଇଁ ପ୍ରିଣ୍ଟ୍‌ ମିଡିଆ ଯେଭଳି ଶୀଘ୍ର ତା’ ସ୍ଥିତି ହରାଉଛି ତାହାକୁ ଯଦି ନିରୀକ୍ଷଣ କରିବା ତେବେ ଏହିସବୁ ପ୍ରଶ୍ନ ଉପରେ ଆମକୁ ବିଚାର କରିବାକୁ ପଡ଼ିବ।