ବିଦ୍ୟାଳୟ ଶିକ୍ଷାର ସ୍ଥିତି

ରବିନାରାୟଣ ସାମଲ

 

ଦେଶର ସରକାରୀ ବିଦ୍ୟାଳୟରେ ୨୦୧୮-୧୯ରେ୧୦ଲକ୍ଷ୮୩ହଜାର ଛାତ୍ରୀଛାତ୍ର ଥିଲା ବେଳେ ୨୦୨୦-୨୧ରେ ଏହା ହ୍ରାସ ପାଇ୧୦ ଲକ୍ଷ ୩୨ ହଜାରରେ ପହଁଞ୍ଚିଛି । ଅନ୍ୟ ପକ୍ଷରେ ଘରୋଇ ବିଦ୍ୟାଳୟରେ ୨୦୧୮-୧୯ରେ ୩ ଲକ୍ଷ ୨୫ ହଜାର ଛାତ୍ରୀଛାତ୍ର ଥିଲା ବେଳେ ଏହା ୨୦୨୦-୨୧ରେ ବୃଦ୍ଧି ପାଇ ୩ ଲକ୍ଷ ୪୦ ହଜାରରେ ପହଁଞ୍ଚିଛି । ସ୍ବଚ୍ଛଳ ବର୍ଗର ଅଭିଭାବକମାନେ ଯେ ଘରୋଇ ବିଦ୍ୟାଳୟମୁହଁା, ଏଥିରେ କେହି ଦ୍ୱିମତ ହେବେ ନାହିଁ। ମାଗଣା ପୋଷାକ, ମାଗଣା ବହି ଓ ମାଗଣା ମଧ୍ୟାହ୍ନ ଭୋଜନ ସେମାନଙ୍କୁ ଆକର୍ଷିତ କରିପାରି ନାହିଁ। ଉନ୍ନତ ମାନର ଶିକ୍ଷା ଆଶା ରଖି ସେମାନେ ବେସରକାରୀ ଅନୁଷ୍ଠାନରେ ନାମ ଲେଖାଇଛନ୍ତି। ସରକାରଙ୍କ ନୀତି ମଧ୍ୟ ଏହାକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଛି।
ୟୁଡାଇସ୍‌ ତଥ୍ୟ ଅନୁଯାୟୀ ତୃତୀୟ ଶ୍ରେଣୀରେ ପଢ଼ୁଥିବା ଶତକଡ଼ା ୨୦.୫ଭାଗ ପିଲା ଦ୍ୱିତୀୟ ଶ୍ରେଣୀ ବହି ପଢ଼ିପାରନ୍ତି, ଅର୍ଥାତ୍‌ ତୃତୀୟ ଶ୍ରେଣୀର ୮୦ ଭାଗ ପିଲା ଦ୍ୱିତୀୟ ଶ୍ରେଣୀ ବହି ପଢ଼ି ପାରନ୍ତି ନାହିଁ। ସେହିପରି ତୃତୀୟ ଶ୍ରେଣୀର ୭୫ ଭାଗ ପିଲା ଫେଡ଼ାଣ କରି ପାରୁ ନ ଥିଲା ସ୍ଥଳେ ପଞ୍ଚମ ଶ୍ରେଣୀର ୭୫ ଭାଗ ପିଲା ହରଣ କରିପାରନ୍ତି ନାହିଁ। ପଞ୍ଚମ ଶ୍ରେଣୀର ଶତକଡ଼ା ୫୭ଭାଗ ପିଲା ନିଜ ଶ୍ରେଣୀର ବହି ପଢ଼ି ପାରୁ ନ ଥିବା ସ୍ଥଳେ ଅଷ୍ଟମ ଶ୍ରେଣୀର ୩୦ ଭାଗ ପିଲା ନିଜ ବହି ପଢ଼ି ପାରନ୍ତି ନାହିଁ। ସବୁଠାରୁ ବେଶି ଉଦ୍‌ବେଗଜନକ କଥା ହେଉଛି ଯେ ଦଶମ ଶ୍ରେଣୀର ଶହକେ ୭୦ ଜଣ ପିଲା ନିଜ ନାମ ଠିକ୍‌ କରି ଲେଖି ପାରନ୍ତି ନାହିଁ।
ଇଏ ତ ଗଲା ଦେଶର କଥା। କିନ୍ତୁ ଆମ ରାଜ୍ୟର ଅବସ୍ଥା ଆହୁରି ଦୟନୀୟ। ୬-୧୪ ବର୍ଷ ବୟସର ୨ଲକ୍ଷରୁ ଊର୍ଦ୍ଧ୍ୱ ପିଲା ବିଦ୍ୟାଳୟ ମାଟି ମାଡ଼ୁ ନ ଥିବା ଜଣାପଡ଼ିଛି। ଆବଶ୍ୟକ ଛାତ୍ରୀଛାତ୍ର ନ ଥିବା ଦର୍ଶାଇ ଆମ ରାଜ୍ୟରେ ୧୧ହଜାରରୁ ଊର୍ଦ୍ଧ୍ୱ ବିଦ୍ୟାଳୟକୁ ସରକାର ଇତି ମଧ୍ୟରେ ବନ୍ଦ କରିଦେବା ଫଳରେ ଅନେକ ପିଲା ବସ୍ତାନିରେ ଡୋରି ବାନ୍ଧିଛନ୍ତି। ଫଳରେ ମାଧ୍ୟମିକ ସ୍ତରରେ ଡ୍ରପ୍‌ଆଉଟ୍‌ ଶତକଡ଼ା ୨୭.୨୬ରେ ପହଁଞ୍ଚିଛି । ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ନ ଦେଇ୧୮ ହଜାରରୁ ଊର୍ଦ୍ଧ୍ୱ ପିଲା ଉଭାନ ହୋଇଯିବା ଘଟଣା ଡ୍ରପ୍‌ଆଉଟ୍‌ର ନଗ୍ନ ରୂପକୁ ପରିପ୍ରକାଶ କରିଛି।
ଆଠଟି ଶ୍ରେଣୀକୁ ଜଣେ ଶିକ୍ଷକ- ଏପରି ବିକଳ ଚିତ୍ର ଆମ ରାଜ୍ୟରେ କେବଳ ଦେଖିବାକୁ ମିଳେ। କୌଣସି ଗୋଟିଏ ହେଲେ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ରହିଥିବାର ନଜିର ନାହିଁ। ଶିକ୍ଷକ ବିନା କେତେକ ବିଦ୍ୟାଳୟ ଅଚଳ ହୋଇଗଲାଣି। ତଥାପି ସରକାର ନିର୍ବିକାର। ବିଧାନସଭା ବସିଲେ ଶିକ୍ଷକ ନିଯୁକ୍ତି କଥା ମନେପଡ଼େ। ଗୋଟିଏ କୋଠରିରେ ତିନି-ଚାରିଟି ଶ୍ରେଣୀର ପିଲା ଏକାଠି ବସି ପାଠ ପଢ଼ୁଥିବାର ଦୃଷ୍ଟାନ୍ତ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଅଧିକାଂଶ ପ୍ରାଥମିକ ବିଦ୍ୟାଳୟରେ ଏହି ଅବସ୍ଥା। ଏପରିକି ରାଜ୍ୟର ୨୩୩ଟି ଉଚ୍ଚ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପିଛା ବଖରାଏ କୋଠରି ବି ନାହିଁ। ସେଠି ପିଲା ପାଠ ପଢ଼ୁଥିବେ କ’ଣ?
ପ୍ରାଥମିକ ବିଦ୍ୟାଳୟରେ ପ୍ରତି ୩୦ ଜଣ ପିଲାଙ୍କ ପାଇଁ ଜଣେ ଶିକ୍ଷକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତି ୩୫ ଜଣ ପିଲାଙ୍କ ପାଇଁ ଜଣେ ଶିକ୍ଷକ ନିଯୁକ୍ତ ହେବାର ନିୟମ ଆମ ଦେଶରେ ଅଛି। ଆମ ବିଚାରରେ ଏହି ଅନୁପାତ ଗୁଣାତ୍ମକ ଶିକ୍ଷା ଦୃଷ୍ଟିରୁ ଆଦୌ ଉପଯୋଗୀ ନୁହେଁ। ଗୋଟିଏ ପ୍ରାଥମିକ ବିଦ୍ୟାଳୟରେ ଯଦି ପାଞ୍ଚଟି ଶ୍ରେଣୀରେ ମୋଟ ୩୦ ଜଣ ପିଲା ପଢ଼ୁଥାନ୍ତି, ତେବେ ନିୟମ ଅନୁଯାୟୀ ସେଠାରେ ଜଣେ ମାତ୍ର ଶିକ୍ଷକ ନିଯୁକ୍ତ ହେବେ ଏବଂ ସେ ପାଞ୍ଚଟିଯାକ ଶ୍ରେଣୀରେ ଏକକାଳୀନ ଶିକ୍ଷାଦାନ କରିବେ। ଏହା କେଉଁ ପ୍ରକାର ବୈଜ୍ଞାନିକ ପଦ୍ଧତି? ଗୁଣାତ୍ମକ ଶିକ୍ଷା ତ ଦୂରର କଥା, ସେହି ଜଣେ ଶିକ୍ଷକଙ୍କ ଦ୍ୱାରା ସର୍ବନିମ୍ନ ଶିକ୍ଷାଦାନ ବି ସମ୍ଭବ ନୁହେଁ। ଅଧିକନ୍ତୁ ଶିକ୍ଷକ ଜଣକ କ’ଣ ଏମ୍‌ବିବିଏସ୍‌ ଡାକ୍ତର ହୋଇଛନ୍ତି ଯେକୌଣସି ରୋଗୀ ପହଞ୍ଚତ୍ବେ ତାକୁ ଚିକିତ୍ସା କରି ଛାଡ଼ିଦେବେ? ସରକାରଙ୍କ ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ଏହି ଯେଉଁ ତରିକା ନିରୂପଣ କରାଯାଇଛି ତାହାର ପରିବର୍ତ୍ତନ ଜରୁରୀ। ନଚେତ୍‌ ଶିକ୍ଷାର ମୂଳଦୁଆ ସେହିପରି ଦୁର୍ବଳ ହୋଇ ଭୁଶୁଡ଼ୁ ଥିବ। ସରକାର ନଈରେ ହଜାଇ ପୋଖରୀରେ ଖୋଜୁଥିବେ। ବିଏ ପାସ୍‌ କରିଥିବା ପିଲା ଦରଖାସ୍ତ ଖଣ୍ଡେ ଲେଖି ପାରୁ ନାହାନ୍ତି, ଏହା ଲୋକକଥା ହୋଇଗଲାଣି। କାହିଁକି?
ସର୍ବଶିକ୍ଷା ଅଭିଯାନ ଆରମ୍ଭ ହେବା ଦିନଠାରୁ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ବର୍ଷକ ବାର ମାସ ଶିକ୍ଷକମାନଙ୍କର ଟ୍ରେନିଂ ଚାଲିଛି। ଫଳରେ ଜଣେ ଅଧେ ଶିକ୍ଷକରେ ପାଠପଢ଼ା ଚାଲୁଛି। ସେଥିରେ ପିଲାମାନେ ଯାହା ପଢ଼ୁଥିବେ! ୟୁ ଡାଇସ୍‌ଠାରୁ ଆରମ୍ଭ କରି ଉଜ୍ଜ୍ୱଳ, ଉତ୍ଥାନ, ଉତ୍କର୍ଷ, ଏଲ୍‌ଆର୍‌ପି ସହିତ ଦୈନିକ ମଧାହ୍ନ ଭୋଜନ ଓ ପ୍ରାକ୍ଟିକାଲ ପରୀକ୍ଷାର ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ରେକର୍ଡ ପ୍ରସ୍ତୁତିରେ ଶିକ୍ଷକମାନଙ୍କ ଶ୍ରମ ଓ ସମୟ ଅପଚୟ ହେଉଛି ା ଏଥି ପାଇଁ ଜଣେ ସ୍ବତନ୍ତ୍ର କର୍ମଚାରୀ ନ ଥିବାରୁ ଶିକ୍ଷକମାନଙ୍କୁ ସବୁ କାମ କରିବାକୁ ପଡ଼ୁଛି। ଏହା ବାଦ୍‌ ଜନଗଣନା, ଭୋଟର ତାଲିକା ସଂଶୋଧନ, ଆଧାର ସଂଯୋଗୀକରଣ, ସ୍ବାସ୍ଥ୍ୟ ପରୀକ୍ଷା, ଚକ୍ଷୁ ପରୀକ୍ଷା ଓ ବଟିକା ବଣ୍ଟନ ଭଳି କେତେକ ଅଣଶୈକ୍ଷିକ ଦାୟିତ୍ୱ ମଧ୍ୟ ଶିକ୍ଷକମାନଙ୍କୁ ତୁଲାଇବାକୁ ପଡ଼ୁଛି। ଫଳରେ ବହୁ ଚର୍ଚ୍ଚିତ ଗୁଣାତ୍ମକ ଶିକ୍ଷା ଏଠାରେ ଋଣାତ୍ମକ ହୋଇଯାଇଛି। ପ୍ରମାଣ ସ୍ବରୂପ ୨୦୧୮ତୁଳନାରେ ୨୦୨୨ରେ ବିଦ୍ୟାଳୟ ଶିକ୍ଷାର ମାନ ହ୍ରାସ ପାଇଛି ବୋଲି ଏଏସ୍‌ଇଆର୍‌ ରିପୋର୍ଟରେ ପ୍ରକାଶ ପାଇଛି। ଇତି ମଧ୍ୟରେ ଜାତୀୟ ସାକ୍ଷରତା ଅଭିଯାନ, ଅଣଆନୁଷ୍ଠାନିକ ଶିକ୍ଷା, ଜିଲା ପ୍ରାଥମିକ ଶିକ୍ଷା ପ୍ରକଳ୍ପ, କଳାପଟା ଅଭିଯାନ, ସର୍ବଶିକ୍ଷା ଅଭିଯାନ ପରି କାହିଁରେ କେତେ ଅଭିଯାନ ସରିଗଲାଣି, ରାଜକୋଷରୁ ହଜାର ହଜାର କୋଟି ଅର୍ଥ ବ୍ୟୟ ହେଲାଣି, ମାତ୍ର ଶିକ୍ଷାର ଆଶାନୁରୂପ ଅଗ୍ରଗତି ହୋଇପାରି ନାହିଁ। କିଛି ବର୍ଷ ପୂର୍ବେ ସରକାର ଶିକ୍ଷାର ବିକାଶ ପାଇଁ ୧୦+୨+୩ ପ୍ରବର୍ତ୍ତନ କରିଥିଲେ । ତାହା ଚୂଡ଼ାନ୍ତ ରୂପ ନେବା ପୂର୍ବରୁ ପୁଣି ୫+୩+୩+୪ ଆରମ୍ଭ ହେବାକୁ ବସିଲାଣି। ବାର୍ଷିକ ଓ ଷାଣ୍ମାସିକ ପରୀକ୍ଷା ପ୍ରଥା ଉଠାଇ ଦେଇ ବର୍ତ୍ତମାନ ଫର୍ମେଟିଭ୍‌ ଓ ସମ୍ମେଟିଭ୍‌ ଚାଲିଛି। ତାହା ପୁଣି ଉଠିଯାଇ କୁଆଡ଼େ ସେମିଷ୍ଟର୍‌ ହେବ। ଏମିତି ସଂସ୍କାର ପରେ ସଂସ୍କାର ଚାଲିଛି, ମାତ୍ର ଫଳ ନିମ୍ନଗାମୀ।
ଆମ ରାଜ୍ୟରେ ତ ଅଭିଜ୍ଞ ଶିକ୍ଷାବିତ୍‌ଙ୍କର ଅଭାବ ନାହିଁ। ନିଜର ସ୍ବତନ୍ତ୍ର ଶିକ୍ଷା ପଦ୍ଧତି ପ୍ରବର୍ତ୍ତନ ନ କରି ବିଏସ୍‌ଇ କାହିଁକି ସିବିଏସ୍‌ଇକୁ ହନୁକରଣ କରୁଛି? ଏବେ ବି ସମୟ ଅଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କାର୍ଯ୍ୟରତ ଶିକ୍ଷକ, ଶିକ୍ଷାବିତ୍‌ ଓ ସମାଜବିଜ୍ଞାନୀଙ୍କୁ ନେଇ ଜିଲାସ୍ତରରୁ କର୍ମଶାଳାମାନ ଆୟୋଜନ କରି ନୂତନ ପଦ୍ଧତି ନିର୍ଦ୍ଧାରଣ କରୁ।
ମୋ: ୭୯୭୫୦୪୬୪୮୬