Categories: ଜାତୀୟ

ଏନଡିଏ ବିରୋଧରେ ମାଷ୍ଟର ଷ୍ଟ୍ରୋକ୍‌!

ନୂଆଦିଲ୍ଲୀ,୪।୮: ପୁଣି ସଂସଦରେ ଗର୍ଜିବେ ରାହୁଲ । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଉତ୍ସାହିତ ହୋଇଛି କଂଗ୍ରେସ ଶିବିର। ରାହୁଲଙ୍କ ଉପସ୍ଥିତି ସଂସଦରେ ବିରୋଧୀଙ୍କ ସ୍ବରକୁ ଆହୁରି ତୀବ୍ର କରାଇବ। ବିରୋଧୀଙ୍କ ନିକଟରେ ଏବେ ମାଳ ମାଳ ପ୍ରସଙ୍ଗ ରହିଥିବାବେଳେ ରାହୁଲଙ୍କ ସପକ୍ଷରେ ଆସିଥିବା ରାୟ ମୌସୁମୀ ଅଧିବେଶନକୁ ଆହୁରି ସରଗରମ କରାଇବ । ତେବେ ସବୁଠାରୁ ବଡ଼ କଥା ହେଲା ଅନାସ୍ଥା ପ୍ରସ୍ତାବ ଉପରେ ହେବାକୁ ଥିବା ଚର୍ଚ୍ଚାରେ ରାହୁଲଙ୍କ ଉପସ୍ଥିତି ବେଶ ରୋଚକ କରାଇବ।

ମୋଦି ସାଙ୍ଗିଆ ଟିପ୍ପଣୀରେ ରାହୁଲଙ୍କୁ ମିଳିଛି ଆଶ୍ୱସ୍ତି। ରାହୁଲ ଗାନ୍ଧି ଏବେ ଲୋକସଭା ସଦସ୍ୟତା ଫେରିପାଇବା ସହ ନିର୍ବାଚନ ମଧ୍ୟ ଲଢିପାରିବେ। ଏହି ମାମଲାର ଶୁଣାଣି କରିଛନ୍ତିି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ। ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଛନ୍ତି, ତଳ କୋର୍ଟଙ୍କ ବିଚାରପତି ସର୍ବୋଚ୍ଚ ଦଣ୍ଡ ବିଧାନ ପାଇଁ କୌଣସି କାରଣ ଦର୍ଶାଇ ନାହାନ୍ତି। ତେଣୁ ଏହି ଦୋଷରେ ରାହୁଲଙ୍କ ସଦସ୍ୟତା ପଦ ଯିବାର କୌଣସି ଉଲ୍ଲେଖନୀୟ କାରଣ ଦେଖାଯାଉନାହିଁ। କିନ୍ତୁ କୌଣସି ନିର୍ବାଚନି ରାଲି କିମ୍ବା ସଭାକୁ ସମ୍ବୋଧନ କରିବା ସମୟରେ ରାହୁଲ ଏପରି ଟିପ୍ପଣୀ ଦେବାକୁ ସର୍ତକତା ଅବଲମ୍ବନ କରିବେ। ଏହାର ଚୂଡାନ୍ତ ରାୟ ପୁଣିଥରେ ଶୁଣାଣି କରାଯିବ।

ସୁପ୍ରିମକୋର୍ଟଙ୍କ ଏହି ରାୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଏନଡିଏ ମେଣ୍ଟକୁ ଶକ୍ତ ଝଟକା ଲାଗିଛି। ତେବେ ଏହାକୁ ମୋଦିଙ୍କ ବିରୋଧରେ ମାଷ୍ଟର ଷ୍ଟ୍ରୋକ୍‌ ବୋଲି କୁହାଯାଉଛି। ବର୍ତ୍ତମାନ କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟ ମଜବୁତ ହେବାକୁ ଯାଉଛି। କଂଗ୍ରେସ ସାଂସଦ ସଚିନ ପାଇଲଟ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସୋନିଆ ଗାନ୍ଧି, କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖର୍ଗେ, ମୁଖ୍ୟମନ୍ତ୍ର ଅରବିନ୍ଦ ଏନେଇ ଖୁସି ବ୍ୟକ୍ତ କରିଛନ୍ତି। ସଚିନ ପାଇଲଟ କହିଛନ୍ତି, ସଂସଦରେ ରାହୁଲଙ୍କ ଉପସ୍ଥିତି ଦ୍ୱାରା ଆମେ ନିଶ୍ଚିତ ଲାଭବାନ ହେବୁ। ଚଳିତ ବର୍ଷ ହେବାକୁ ଥିବା ୪ଟି ରାଜ୍ୟସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ ବର୍ତ୍ତମାନ ଅଧିକରୁ ଅଧିକ ବଳ ଗୋଟାଇବ। ବିରୋଧିଙ୍କ ପାଇଁ ଏହା ବୁଷ୍ଟର ଡୋଜ୍‌ ରୂପେ କାମ କରିବ। ସଂସଦରେ କଂଗ୍ରେସ ଦଳ ଏବଂ ବିରୋଧୀଙ୍କ ଆଭିମୁଖ୍ୟ ବୃଦ୍ଧି ପାଇବ।

କଗ୍ରେଂସର ଏହି ବଡ ବିଜୟକୁ ନେଇ କଂଗ୍ରେସ ପାର୍ଟିରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଆସନ୍ତା ଅଗଷ୍ଟ ୮ତାରିଖରେ ଅନାସ୍ଥା ପ୍ରସ୍ତାବକୁ ନେଇ ସଂସଦରେ ଆଲୋଚନ କରାଯିବ। ସୁପ୍ରିମକୋର୍ଟର ଚୂଡାନ୍ତ ରାୟ ଆସିବା ପରେ ରାହୁଲ ଯଦି ସଦସ୍ୟତା ପଦ ଫେରି ପାଆନ୍ତି ତେବେ ସେ ଏହି ଆଲୋଚନାରେ ସାମିଲ ହେବେ। ମଣିପୁର ଠାରୁ ଆରମ୍ଭ କରି ହରିୟାଣା ହିଂସା ପର୍ଯ୍ୟନ୍ତ ରାହୁଲଙ୍କ ନେତୃତ୍ୱରେ ବିରୋଧି ସଂସଦରେ ସରକାରଙ୍କୁ ଘେରିବେ। ଆଗକୁ ରାହୁଲ ଜନସାଧାରଣଙ୍କ ସ୍ବାର୍ଥ ପ୍ରସଙ୍ଗକୁ ଗୃହରେ ଅଧିକ ଜୋରଦାର କରିବେ।

ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିରେ ନ୍ୟାୟପାଳିକା ଉପରେ ଲୋକଙ୍କ ବିଶ୍ୱାସ ବୃଦ୍ଧି ପାଇଛି। ତେବେ ଏକାଧିକ ମାମଲାରେ ସୁପ୍ରିମକୋର୍ଟ ନିଷ୍ପତ୍ତି ସରକାରଙ୍କ ବିପକ୍ଷରେ ଗଲେ ମଧ୍ୟ ଉଚିତ ନ୍ୟାୟ ପ୍ରଦର୍ଶନ କରିଛି। ପ୍ରତିଟି ମାଲାରେ ଉଚ୍ଚ ନ୍ୟାୟାଳୟ ସରକାରଙ୍କୁ ଭର୍ତ୍ସନା କରିବା ଠିକ୍‌ ଭୁଲର ବିଚାର କରିବା ପାଇଁ ପରାମର୍ଶ ଦେଇଛନ୍ତି। ସେହିପରି ଦେଖାଯାଇଥିଲା କି, ୩ମାସରୁ ଉର୍ଦ୍ଧ ସମୟ ଧରି ମଣିପୁର ହିଂସାକୁ ନେଇ ନିରବ ରହିଥିବା ଆମ ପ୍ରଧାନମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ପ୍ରହାରରେ ୩୪ସେକେଣ୍ଡ ପାଇଁ ହେଉ ପଛେ ମୁହଁ ଖୋଲିଥିଲେ। ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଆଗଭର ହୋଇଥିଲେ।

Share