ସୁନକ ରୁହନ୍ତୁ ପ୍ରଧାନମନ୍ତ୍ରୀ ଚାହୁଁ ନାହାନ୍ତି ୭୦ ପ୍ରତିଶତ ଜନସାଧାରଣ…

ଲଣ୍ଡନ,୧୪।୧୨ : ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଲୋକପ୍ରିୟତାରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ୟୁଗଭଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହି ସୂଚନା ସାମ୍ନାକୁ ଆସିଛି। ତାଙ୍କ ସରକାର ଆଣିଥିବା ରୁୱାଣ୍ଡା ନୀତି ଯୋଗୁଁ ଏହା ଘଟିଛି। ସର୍ଭେ ଅନୁଯାୟୀ ୭୦ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏବଂ ୨୧ ପ୍ରତିଶତ ଲୋକ ତାଙ୍କ ସମର୍ଥନରେ ଅଛନ୍ତି।

ସୁନକଙ୍କୁ ପସନ୍ଦ କରିବା ଦୃଷ୍ଟିରୁ ତାଙ୍କ ରେଟିଂ ବର୍ତ୍ତମାନ ମାଇନସ ୪୯ କୁ ଖସି ଆସିଛି, ଯାହା ନଭେମ୍ବର ତୁଳନାରେ ୧୦ପଏଣ୍ଟ କମ ଅଟେ। ଗତ ବର୍ଷ ଅକ୍ଟୋବରରେ ସୁନକ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ଏପର୍ଯ୍ୟନ୍ତ ଏହା ତାଙ୍କର ସର୍ବନିମ୍ନ ସ୍କୋର ଅଟେ। ସର୍ବେକ୍ଷଣ ଅନୁଯାୟୀ, ଯେଉଁମାନେ ୨୦୧୯ ରେ ସୁନକଙ୍କ ଟୋରି ପାର୍ଟିକୁ ଭୋଟ ଦେଇଛନ୍ତି ସେମାନଙ୍କ ମଧ୍ୟରୁ ୫୬ ପ୍ରତିଶତ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ନକାରାତ୍ମକ ମତ ରଖିଛନ୍ତି। ୪୦ ପ୍ରତିଶତ ଲୋକ ତାଙ୍କ ପ୍ରତି ସକାରାତ୍ମକ ମନୋଭାବ ପ୍ରଦର୍ଶନ କରିଛନ୍ତି।

ଟୋରି ସାଂସଦ ଫିଲିପ ଡେଭିସ କହିଛନ୍ତି ବେଆଇନ ଇମିଗ୍ରେଶନ ବନ୍ଦ କରିବାରେ ଟୋରି ପାର୍ଟି ସମ୍ପୂର୍ଣ୍ଣ ଏକଜୁଟ ହୋଇଛି। ଆମେ ବିଶ୍ୱାସ କରୁ ଏଭଳି ଲୋକଙ୍କୁ ରୁୱାଣ୍ଡା ପଠାଇବା ହେଉଛି ସଠିକ ସମାଧାନ। ସେ କହିଛନ୍ତି ଏହି ବିଲ ପ୍ରଭାବଶାଳୀ କି ଉନ୍ନତି ହୋଇପାରିବ ସେନେଇ ସମସ୍ତଙ୍କର ଭିନ୍ନ ମତ ଥାଇପାରେ, କିନ୍ତୁ ବେଆଇନ ଇମିଗ୍ରେଶନ ବନ୍ଦ କରିବାକୁ ଆମେ ସଂସଦରେ ସମ୍ପୂର୍ଣ୍ଣ ଭାବେ ଏକଜୁଟ ହୋଇଛୁ। ଏଥିପାଇଁ ଯାହା ଆବଶ୍ୟକ ତାହା ଆମେ କରିବୁ।।

ସୂଚନାଯୋଗ୍ୟ,ଦେଶରେ ବେଆଇନ ପ୍ରବାସକୁ ରୋକିବା ପାଇଁ ସୁନକ ଏହି ନୀତି ଆଣିଛନ୍ତି। ଏହାର ଉଦ୍ଦେଶ୍ୟ ପୂର୍ବ ଆଫ୍ରିକୀୟ ଦେଶ ରୁୱାଣ୍ଡାକୁ ବେଆଇନ ପ୍ରବାସୀମାନଙ୍କୁ ପଠାଇବା ପାଇଁ ଯୋଜନା କରାଯାଇଛି। ଆସନ୍ତା ବର୍ଷ ବ୍ରିଟେନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଏହା ପୂର୍ବରୁ ଏହା ସୁନକଙ୍କ ପ୍ରମୁଖ ପ୍ରାଥମିକତା ବୋଲି ବିବେଚନା କରାଯାଏ। ଏଥି ସହିତ ଦେଶର ବିରୋଧୀ ଲେବର ପାର୍ଟି କହିଛି ଏହା ବେଆଇନ ଇମିଗ୍ରେସନ ସମସ୍ୟାର ବ୍ୟବହାରିକ ସମାଧାନ ନୁହେଁ।

 

Share