Categories: ଜାତୀୟ

‘ଯଦି ରହିବାର ଅଛି ରୁହ, ନଚେତ୍‌ ଯାଅ’

ଲକ୍ଷ୍ନୌ,୮।୪: ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏବଂ ତାଙ୍କ ଦାଦା ଶିବପାଲ ଯାଦବଙ୍କ ମଧ୍ୟରେ ସବୁକିଛି ଠିକ୍‌ ନାହିଁ। ଚର୍ଚ୍ଚା ହେଉଛି ଶିବପାଲ ଏସ୍‌ପି ଛାଡି ଭାଜପାରେ ଯୋଗ ଦେବେ। ଏବେ ଅଖିଳେଶ ମଧ୍ୟ ସୂଚାଇ ଦେଇଛନ୍ତି, ଯଦି ଦାଦା ତାଙ୍କ ସହ ରହିବାକୁ ଚାହାଁନ୍ତି, ତେବେ ରୁହନ୍ତୁ ଏବଂ ଯଦି ସେ ଚାଲିଯିବାକୁ ଚାହାଁନ୍ତି, ତେବେ ଯାଆନ୍ତୁ। ଖବରଦାତାଙ୍କ ଏକ ପ୍ରଶ୍ନର ଉତ୍ତରରେ ଅଖିଳେଶ ଯାଦବ ଏହି ସୂଚନା ଦେଇଛନ୍ତି।
ନିର୍ବାଚନ ପୂର୍ବରୁ ଏସପି ନେତା ଅଖିଳେଶ ଯାଦବ ଏବଂ ତାଙ୍କ ଦାଦା ତଥା ପ୍ରଗତିଶୀଳ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଶିବପାଲ ଯାଦବ ଏକାଠି ନଜର ଆସିଥିଲେ। ଉଭୟ ଏକାଠି ନିର୍ବାଚନ ଲଢିବେ ବୋଲି ମଧ୍ୟ ଘୋଷଣା କରିଥିଲେ। କିନ୍ତୁ ନିର୍ବାଚନ ପରେ ପୁଣି ପୁତୁରାଙ୍କ ଉପରେ ରାଗିଯାଇଛନ୍ତି ଦାଦା। ସେ ଏବେ ଭାଜପା ଟିକେଟ୍‌ ରାଜ୍ୟ ସଭା ଯିବେ ବୋଲି ଚର୍ଚ୍ଚା ହେଉଛି। ନିକଟରେ ସେ ଦିଲ୍ଲୀରେ ଭାଜପାର ଶୀର୍ଷ ନେତାଙ୍କୁ ସାକ୍ଷାତ କରିବା ପରେ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି।
ସେପଟେ ଭାଜପାରେ ସାମିଲ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ମୁହଁ ଖୋଲିଛନ୍ତି ଶିବପାଲ। ସେ କହିଛନ୍ତି, ‘ଏବେ ଉଚିତ ସମୟ ନାହିଁ। ଉଚିତ ସମୟର ଅପେକ୍ଷା କରନ୍ତୁ।’
ସୂଚନା ମୁତାବକ, ଉତ୍ତରପ୍ରଦେଶରେ ଜୁଲାଇ ମାସରେ ୧୧ଟି ରାଜ୍ୟ ସଭା ଆସନ ଖାଲି ପଡିବ। ଏଥିରୁ ଭାଜପା ୭ରୁ ୮ଟି ଆସନ ଜିତିବା ନିଶ୍ଚିତ। ଶିବପାଲ ସିଂହ ଯାଦବ ବର୍ତ୍ତମାନ ଭାଜପା ସହାୟତାରେ ରାଜ୍ୟ ସଭା ଯାଇପାରନ୍ତି।

Share