Categories: ଜାତୀୟ

ସରକାରରେ ଥାଇ ସରକାରୀ ଦଳକୁ ଚେତାବନୀ ଦେଲା ଭାଜପା

ପାଟଣା,୧୭।୧: ବିହାରର ମେଣ୍ଟ ସରକାରରେ ନୂଆ ବିବାଦ ଦେଖାଦେଇଛି। ଜଣେ ବରିଷ୍ଠ ଭାଜପା ନେତା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳକୁ ସୀମା ନ ଲଙ୍ଘିବାକୁ ଚେତାବନୀ ଦେଇଛନ୍ତି। ନ ହେଲେ ବିହାରରେ ଥିବା ୭୬ ଲକ୍ଷ ଭାଜପା କର୍ମୀ ତା’ର ଜବାବ ଦେବେ। ଜନତା ଦଳ ୟୁନାଇଟେଡ୍‌ (ଜେଡିୟୁ)କୁ ଏଭଳି ସ୍ପଷ୍ଟ ଧମକ ଦେଇଛନ୍ତି ବିହାର ଭାଜପା ମୁଖ୍ୟ ସଞ୍ଜୟ ଜୈଶ୍ୱାଲ।

ଫେସବୁକ୍‌ ପୋଷ୍ଟରେ ସେ କୌଣସି ଜେଡିୟୁ ନେତାଙ୍କ ନାମ ନେଇ ନାହାନ୍ତି। ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ଦୟା ପ୍ରକାଶ ସିନ୍ହା ରାଜା ଅଶୋକଙ୍କୁ ମୁଗଲ ଶାସକ ଔରଙ୍ଗଜେବଙ୍କ ସମାନ୍ତରଳ ବୋଲି କହିଥିଲେ। ଏଥି ଲାଗି ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ରାଜ୍ୟ ଭାଜପା ମୁଖ୍ୟ। କିନ୍ତୁ ଜଣାଶୁଣା ନାଟ୍ୟକାରଙ୍କୁ ଗିରଫ କରାଯିବା ପରିବର୍ତ୍ତେ ତାଙ୍କଠାରୁ ପଦ୍ମଶ୍ରୀ ସମ୍ମାନ ଫେରାଇ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଜେଡିୟୁର ଜାତୀୟ ସଭାପତି ରାଜୀବ ରଞ୍ଜନ ଓ ସଂସଦୀୟ ବୋର୍ଡ ଚେୟାରମ୍ୟାନ ଉପେନ୍ଦ୍ର କୁଶଓ୍ବାହା।

ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ଜୈଶ୍ୱାଲ। ସିନ୍ହାଙ୍କୁ ଗିରଫ କରାଯିବା ପରିବର୍ତ୍ତେ ତାଙ୍କ ସମ୍ମାନ ଫେରାଇ ନେବାକୁ ପ୍ରସ୍ତାବ ଦିଆଯାଉଛି। ଏହା ପୂର୍ବରୁ କଦାପି ଘଟିନାହିଁ।

“କାହିଁକି ଏହି ନେତାମାନେ ମୋତେ, ଜାତୀୟ ନେତୃତ୍ୱକୁ ଟ୍ୟାଗ କରି ପ୍ରଶ୍ନ କରୁଛନ୍ତି? ଆମ ସଭିଙ୍କୁ ମେଣ୍ଟର ସୀମା ମଧ୍ୟରେ ରହିବାକୁ ପଡ଼ିବ। ଏହା ଆଉ ଏକ ପାକ୍ଷିଆ ହୋଇପାରିବ ନାହିଁ। ସୀମାରେ ରହିବାର ପ୍ରଥମ ସର୍ତ୍ତ ହେଲା, ତୁମେ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ ଟୁଇଟର ଟୁଇଟର ଖେଳି ପାରିବ ନାହିଁ। ଯଦି ତୁମେ ତାହା କର ଏବଂ ପ୍ରଶ୍ନ ଉଠାଅ, ତେବେ ବିହାରରେ ଥିବା ଭାଜପାର ୭୬ ଲକ୍ଷ୍ୟ କର୍ମୀ ସଠିକ୍‌ ଉତ୍ତର ଦେଇପାରନ୍ତି। ମୁଁ ନିଶ୍ଚିତ ଯେ, ତୁମେ ଭବିଷ୍ୟତରେ ସତର୍କ ରହିବ” ବୋଲି ଜୈଶ୍ୱାଲ ଫେସବୁକ୍‌ ପୋଷ୍ଟରେ ଲେଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଫେରାଇ ନେବା ପାଇଁ ପଚାରିବା ଠାରୁ ବଡ଼ ମୁର୍ଖାମି ଆଉ କ’ଣ ହେବ ବୋଲି ସେ କହିଛନ୍ତି।

Share