Categories: ଜାତୀୟ

କିଛି ଦିନ ଏକାଠି ରହିବା ‘ଲିଭ୍‌ ଇନ୍‌’ ନୁହେଁ, ହାଇକୋର୍ଟଙ୍କ ରାୟ…

ଚଣ୍ଡିଗଡ଼, ୧୩।୧୨: ଦୁଇଜଣ ବୟସ୍କ ବ୍ୟକ୍ତି କିଛି ଦିନ ଧରି ଏକାଠି ରହିଲେ ଏହାକୁ ଲିଭ-ଇନ ରିଲେଶନଶିପ୍‌ କୁହାଯିବ ନାହିଁ। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏକ ଲିଭ-ଇନ ରିଲେଶନଶିପ୍‌ ମାମଲାରେ ସମ୍ପୃକ୍ତ ଦୁଇ ବ୍ୟକ୍ତିଙ୍କ ପକ୍ଷରୁ ଦାଖଲ ହୋଇଥିବା ସୁରକ୍ଷା ଆବେଦନ ଉପରେ ବିଚାର କରି ଏଭଳି ରାୟ ଦେଇଛନ୍ତି। ସେମାନେ ଦାବି କରୁଛନ୍ତି ଯେ, ଲିଭ୍‌ ଇନ୍‌ରେ ଅଛନ୍ତି।

ମାତ୍ର ଏହି ଦାବି ପ୍ରର୍ଯ୍ୟାପ୍ତ ନୁହେଁ ବୋଲି କୋର୍ଟ କହିଛନ୍ତି। ବିଚାରପତି ମନୋଜ ବଜାଜଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ବିଚାର କରି ୨୫,୦୦୦ ଟଙ୍କାର ଜରିମାନା ଦଣ୍ଡାଦେଶ କରିବା ସହିତ ଆବେଦନକୁ ଖାରଜ କରି ଦେଇଛନ୍ତି। ଆବେଦନରେ କୌଣସି ଉପଯୁକ୍ତ ପ୍ରମାଣ ନ ଥିବା ଖଣ୍ଡପୀଠ କହିଛନ୍ତି। ଜଣେ ୧୮ ବର୍ଷ ବୟସ୍କା ଯୁବତୀ ଏବଂ ୨୦ ବର୍ଷ ବୟସ୍କ ଯୁବକଙ୍କ ଦ୍ୱାରା ଏକ ଆବେଦନ ଦାଖଲ ହୋଇଥିଲା ଯେ, ସେମାନେ ପରସ୍ପରକୁ ଭଲ ପାଆନ୍ତି ଏବଂ ବିବାହ ଉପଯୋଗୀ ବୟସ ହେବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୁରକ୍ଷା ଆବେଦନରେ ଦର୍ଶାଯାଇଥିଲା ଯୁବତୀଙ୍କ ପିତାମାତା ଏହାର ବିରୋଧ କରୁଛନ୍ତି। ସେମାନେ ତାଙ୍କ ପସନ୍ଦର ପୁଅ ସହିତ ବିବାହ କରିବାକୁ ଚାହୁଁଛନ୍ତି। ସେମାନେ ଯୁବତୀ ଏବଂ ଯୁବକଙ୍କୁ ମିଥ୍ୟା ଅପରାଧିକ ମାମଲାରେ ସମ୍ପୃକ୍ତ କରିବାକୁ ଧମକ ଦେଇଛନ୍ତି। ତେଣୁ, ସେମାନେ ବର୍ତ୍ତମାନ ଏକ ହୋଟେଲରେ ୨୪ ନଭେମ୍ବର ୨୦୨୧ଠାରୁ ଲିଭ୍‌-ଇନ୍‌ରେ ରହୁଛନ୍ତି। ଖଣ୍ଡପୀଠ ଆବେଦନକାରୀଙ୍କ ଦ୍ୱାରା ଉଲ୍ଲେଖ କରାଯାଇଥିବା ଧମକ ବାସ୍ତବ ନ ଲାଗୁଥିବା କହିଥିଲେ।

ଖଣ୍ଡପୀଠ କହିଛନ୍ତି ଯେ,ଯଦି ଆବେଦନକାରୀଙ୍କ ବିରୋଧରେ ପୋଲିସ ନିକଟରେ କୌଣସି ଅଭିଯୋଗ କରାଯାଏ ତେବେ ଏହା ସେମାନଙ୍କ ଜୀବନ ତଥା ସ୍ବାଧୀନତା ପ୍ରତି ବିପଦ ରହିଥିବା ବୋଲି ବିବେଚନା କରାଯାଇପାରିବ ନାହିଁ । ଏହି ଆବେଦନକୁ ଖାରଜ କରି ଖଣ୍ଡପୀଠ କହିଛନ୍ତି ଯେ ଲିଭ-ଇନ ସମ୍ପର୍କ ପରସ୍ପର ପ୍ରତି ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ଏବଂ ଦାୟିତ୍ୱବୋଧ ଆଧାରରେ ଏହାକୁ ବିବାହ ପରବର୍ତ୍ତୀ ସମ୍ପର୍କ ସହିତ ସମାନ କରିଥାଏ। ମାତ୍ର ଏକ୍ଷେତ୍ରରେ ଏଭଳି କିଛି ହେଉନାହିଁ ବୋଲି କୋର୍ଟ କହିଛନ୍ତି।

Share