Advertisement

ଦୁର୍ବୃତ୍ତଙ୍କ ଟାର୍ଗେଟ୍‌ରେ ବ୍ୟାଟେରି, ଗାଡ଼ି-ଷ୍ଟ୍ରିଟ୍‌ ଲାଇଟ୍‌ରୁ ଚୋରି କରି ନେଉଛନ୍ତି

ଦାରିଙ୍ଗବାଡ଼ି,୨୮ା୧୦(ଅରୁଣ ସାହୁ): ଏବେ ଦୁର୍ବୃତ୍ତଙ୍କ ଟାର୍ଗେଟ୍‌ରେ ବ୍ୟାଟେରି। ୫୯ ନଂ ଜାତୀୟ ରାଜପଥ ପକ୍ଷରୁ ରାଜପଥ କଡ଼ରେ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ରୁ ସୋଲାର ପ୍ୟାନେଲ ସହ ବ୍ୟାଟେରି ଚୋରି ହେଉଛି। ଏଥିସହ ଏବେ ରାସ୍ତାକଡ଼ରେ, ଘର ସମ୍ମୁଖରେ ରହିଥିବା ୪ ଓ ୬ ଚକିଆ ଗାଡ଼ିରୁ ବ୍ୟାଟେରି ଚୋରି ହେଉଥିବା ନେଇ ଚିନ୍ତା ବଢ଼ିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଅଞ୍ଚଳରେ।

ପ୍ରକାଶ ଯେ, ସିମନବାଡ଼ି ବାସିନ୍ଦା ତଥା ପୂର୍ବତନ ପ୍ରଧାନଶିକ୍ଷକ ତଥା କୁଇକୁଳ ସମିତିର ବ୍ଲକ ସମ୍ପାଦକ ଶୁକଦେବ କୁମାର ପ୍ରଧାନଙ୍କ ଟ୍ରାକ୍ଟର ନଂ ( ଓଡି ୧୨ ବି ୩୯୧୬ )ଟି ଘର ସମ୍ମୁଖରେ ରହିଥିବା ବେଳେ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ବ୍ୟାଟେରି ଖୋଲି ଚୋରି କରିଥିବା ଶୁକଦେବ କହିଛନ୍ତି। ସେ  ଏନେଇ ଥାନାରେ ଅଭିଯୋଗ କରିବି ବୋଲି କହିଛନ୍ତି। କେବଳ ଟ୍ରାକ୍ଟର ନୁହଁ ଜାତୀୟ ରାଜପଥରେ ଯାତ୍ରୀଙ୍କ ସୁବିଧା ଲାଗି ସରକାର ସୋଲାର ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥା କରିଥିଲେ। ହେଲେ ଗୋଟିଏ ବର୍ଷ ମଧ୍ୟରେ ପ୍ରାୟ ରାସ୍ତା କଡ଼ରୁ ସୋଲାର ପ୍ୟାନେଲ ସମେତ ବ୍ୟାଟେରି ଚୋରି ହୋଇଯାଇଥିବାବେଳେ ଏବେ ରାଜପଥ କଡ଼ରେ ଯାତାୟାତ କରିବା ଲୋକଙ୍କ ପାଇଁ ଭୟ ସୃଷ୍ଟି କରୁଛି। ବିଭାଗ ଏନେଇ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ସେହିପରି ସିମନବାଡ଼ି ବଣିକ ସଂଘର ସଭାପତି ଏସ. ଅମୂଲ୍ୟ କୁମାର ସୁବୁଦ୍ଧି ଓ କର୍ମକର୍ତ୍ତା ଦାରିଙ୍ଗବାଡ଼ି ଜିଲାପାଳଙ୍କ ଅଭିଯୋଗ ଶୁଣାଣି ବେଳେ ଷ୍ଟ୍ରିଟ୍‌ ଲାଇଟ୍‌ଗୁଡ଼ିକ ଅଚଳ ହୋଇଥିବା ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଅସନ୍ତୋଷ ଦେଖାଯାଇଛି। ସିମନବାଡ଼ି ଅଞ୍ଚଳରେ ଜୁଆଖେଳ ଓ ଚୋରାମଦ କାରବାର ବୃଦ୍ଧି ଯୋଗୁ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବା ସହ ଚୋରି ସଂଖ୍ୟା ବୃଦ୍ଧି ପାଇଛି ବୋଲି ଶୁକଦେବ  ଅଭିଯୋଗ କରିଛନ୍ତି। ପୋଲିସ ଓ ଅବକାରୀ ବିଭାଗ ଏଥିପ୍ରତି ପଦକ୍ଷେପ ନେବାକୁ ସେ ନିବେଦନ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: batteries