ଜୁନାଗଡ଼,୪।୯(ଡିଏନଏ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମଥୁରା ଗ୍ରାମର ସନ୍ତୋଷ ପଣ୍ଡାଙ୍କ ଘରୁ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି। ତେବେ ସନ୍ତୋଷ ଜିଲାର ଆମପାଣି ଥାନାରେ ପୋଲିସ ହାବିଲଦାର ଭାବେ ଦାୟିତ୍ୱ ତୁଲାଉଥିବାରୁ ପୋଲସ ଘରୁ ଚୋରି ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଦୁର୍ବୃତ୍ତମାନେ ଘର ପଛପଟ ଝରକା ଭାଙ୍ଗି ଆଲମାରୀରେ ଥିବା ସୁନା, ଟଙ୍କା ଓ ଦାମି ଶାଢି ଲୁଟି ନେଇଥିବା ଜଣାପଡିଛି। ଏ ନେଇ ରବିବାର ସକାଳେ ସନ୍ତୋଷଙ୍କ ପୁଅ ଶିବାଶିଷ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଝରକା ଭାଙ୍ଗି ଘର ଭିତରେ ଥିବା ଆଲମାରୀରୁ ୧୨ ଭରି ସୁନା, ନଗଦ ୬୦ ହଜାର ଟଙ୍କା ଓ ଦାମି ଶାଢ଼ି ଲୁଟିନେଇଥିବା ଅଭିଯୋଗ ହୋଇଛି। ଏ ନେଇ ଜୁନାଗଡ଼ ଭାରପ୍ରାପ୍ତ ଥାନାଧିକାରୀ ଉତ୍ତମ କୁମାର ସାହୁଙ୍କୁ ପଚାରିବାରୁ ତଦନ୍ତ ପରେ ସବୁ କିଛି ଜଣାପଡିବ ବୋଲି କହିଛନ୍ତି।