ଜଗନ୍ନାଥ ମନ୍ଦିରରୁ ଚୋରି

ଖୋର୍ଦ୍ଧା,୨୯ା୨(ପ୍ରଭାତ ପାଣିଗ୍ରାହୀ)୫୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଗଡ଼ଖୋର୍ଦ୍ଧା ଛକ ନିକଟରେ ରହିଥିବା ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ଭାବେ ପରିଚିତ ଗଡ଼ଖୋର୍ଦ୍ଧା ଶ୍ରୀଜଗନ୍ନାଥ ମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ହୁଣ୍ଡିବାକ୍ସ, ୩ଟି ଆଲମିରା ତାଡ଼ି ଲକ୍ଷାଧିକ ଟଙ୍କା ସମେତ ଆସବାବପତ୍ର ଓ ଅଷ୍ଟଧାତୁନିର୍ମିତ ଶ୍ରୀରାଧାପାଦ ଚୋରିକରି ନେଇଯାଇଛନ୍ତି। ଏନେଇ ମନ୍ଦିର ପରିଚାଳନା କମିଟିର ଅଭିଯୋଗକ୍ରମେ ଶିଳ୍ପାଞ୍ଚଳ ପୋଲିସ ପହଞ୍ଚତ୍ ମନ୍ଦିର ସିସିଟିଭି ଯାଞ୍ଚ କରି ତଦନ୍ତ ଚଳାଇଛି।
ସୂଚନା ମୁତାବକ, ବୁଧବାର ସକାଳେ ସେବାୟତ ଅରୂପ ମହାପାତ୍ର ମୁଖ୍ୟ କବାଟ ଖୋଲି ମନ୍ଦିରକୁ ପ୍ରବେଶ କରିବା ବେଳେ ପାର୍ଶ୍ୱ ଗ୍ରୀଲ୍‌ ତଡ଼ାଯାଇଥିବା ବେଳେ ହୁଣ୍ଡିବାକ୍ସ ଓଲଟି ପଡ଼ିଥିବା ଏବଂ ଆଲମିରା ତଡ଼ାଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ମନ୍ଦିର ପରିଚାଳନା କମିଟିକୁ ସୂଚନା ଦେଇଥିଲେ। ଖବର ପାଇ ମନ୍ଦିର କମିଟି ପରିଚାଳକ ରମା ପାଟ୍ଟଯୋଶୀ, ସମ୍ପାଦକ ଗୋପାଳକୃଷ୍ଣ ଦାସ ପ୍ରମୁଖ ପହଞ୍ଚିଥିଲେ। ଏନେଇ ପରିଚାଳକ ପାଟ୍ଟଯୋଶୀ କହିଛନ୍ତି, ଆଲମିରାରୁ ଶ୍ରୀରାଧା ପାଦ, ସେବାୟତ ଅରୂପ ମହାପାତ୍ର ବ୍ୟକ୍ତିଗତ ଭାବେ ରଖିଥିବା ୪ହଜାର ଟଙ୍କା ଏବଂ ହୁଣ୍ଡିବାକ୍ସ ଲୁଟି ନେଇଛନ୍ତି। ଏନେଇ ଥାନାରେ ଅଭିଯୋଗ କରାଯାଇଛି। ସେହିପରି ସମ୍ପାଦକ ଦାସ କହିଛନ୍ତି, ଏହି କ୍ଷେତ୍ର ଶ୍ରୀଜଗନ୍ନାଥ ସଂସ୍କୃତି, ଐତିହ୍ୟ ପରମ୍ପରା ସହ ଜଡ଼ିତ। ୧୫୭୫ରେ ପ୍ରଥମେ ମହାପ୍ରଭୁଙ୍କ ଏଠାରେ ନବକଳେବର ଅର୍ଥାତ୍‌ ବ୍ରହ୍ମ ପରିବର୍ତ୍ତନ ହୋଇଥିଲା। ଏହାକୁ ମହାପ୍ରଭୁଙ୍କ ଲୀଳାକ୍ଷେତ୍ରର ମାନ୍ୟତା ମିଳିଛି। ଏହା ଏକ ଐତିହାସିକ ମନ୍ଦିର ସତ୍ତ୍ୱେ ଏହାର ସୁରକ୍ଷା, ସଂରକ୍ଷଣ ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଇତିମଧ୍ୟରେ ଏହି ମନ୍ଦିରରୁ ଏହାକୁ ମିଶାଇ ୯ଥର ଚୋରି ହେଲାଣି। ଦୁଇବର୍ଷ ପୂର୍ବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀଦେବୀ, ଭୂଦେବୀ, ମଦନମୋହନ ଏବଂ ଅନ୍ୟ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିଲା। ବାରମ୍ବାର ଦାବି ସତ୍ୱେ ଏହାର ସୁରକ୍ଷା ପ୍ରତି ଅଣଦେଖା କରାଯାଉଛି ବୋଲି ସେ କହିଛନ୍ତି। ଅନ୍ୟପଟେ ଏଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ସଦର ଏସ୍‌ଡିପିଓ ଦିଲୀପ ଦାସ କହିଛନ୍ତି।
Share