ଶ୍ରୀମନ୍ଦିର ଦାନବାକ୍ସରୁ ଚୋରି

ପୁରୀ, ୨୯ା୭(ଅଜିତ ମହାନ୍ତି): ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ନିକଟ ଭୀମଙ୍କ ପ୍ରତିମୂର୍ତ୍ତି ତଳେ ଥିବା ଦାନବାକ୍ସରୁ ଚୋରି ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଦାନବାକ୍ସକୁ କେହି ଦୁର୍ବୃତ୍ତ ତାଡ଼ି ବାକ୍ସରେ ଥିବା ଟଙ୍କା ଚୋରି କରିନେଇଥିବା ଶୁକ୍ରବାର ସକାଳେ ଜଣାପଡ଼ିଛି। ଖବର ପାଇ ସିଂହଦ୍ୱାର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ତଥା ରାତିରେ ପୋଲିସ ମୁତୟନ ଥିବା ସତ୍ତ୍ୱେ ଏହି ଚୋରି ଘଟଣା ନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ପ୍ରତି ପୁଣି ପ୍ରଶ୍ନ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଦାନବାକ୍ସରୁ ଟଙ୍କା ଚୋରାଇ ନେବା ପରେ ଦୁର୍ବୃତ୍ତମାନେ ଶ୍ରୀମନ୍ଦିର ଭିତରବେଢ଼ା ନୃସିଂହ ମନ୍ଦିର ନିକଟରେ ଦାନବାକ୍ସକୁ ଫୋପାଡ଼ି ଦେଇଥିଲେ। ଶୁକ୍ରବାର ସକାଳୁ ଶ୍ରୀମନ୍ଦିର ଦ୍ୱାର ଫିଟାଯିବା ପରେ କେତେଜଣ ସେବାୟତଙ୍କ ନଜରକୁ ଏହା ଆସିଥିଲା। ସେମାନେ ଏ ସଂକ୍ରାନ୍ତରେ ଗାରଦରେ ଜଣାଇଥିଲେ। ପରେ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ଜେଟିପି ଦାନବାକ୍ସକୁ ଆଣି ଗାରଦରେ ଜିମା ଦେଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ଦାନବାକ୍ସରୁ ଚୋରି କରିବା ପରେ ଏହାକୁ ସେଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଏହି ଘଟଣା ନେଇ ଭକ୍ତଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ବିଭିନ୍ନ ପ୍ରଶ୍ନ ଉଙ୍କି ମାରିଛି। ଶ୍ରୀମନ୍ଦିର ସର୍ବଦା କଡ଼ା ସୁରକ୍ଷା ବଳୟରେ ରହିଥାଏ। ଶ୍ରୀମନ୍ଦିର ପୋଲିସ ଏବଂ ଓଡ଼ିଶା ପୋଲିସ ପକ୍ଷରୁ ମନ୍ଦିର ପରିସର ଓ ବାହାରେ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦିଆଯାଉଛି। ସେହିପରି ଦାରୁଦିଅଁଙ୍କ ରାତ୍ର ପହୁଡ଼ ପରେ ଶ୍ରୀମନ୍ଦିର ପରିସରରୁ ସମସ୍ତ ଭକ୍ତଙ୍କୁ ବାହାରକୁ କଢାଯାଇ ଦ୍ୱାର ବନ୍ଦ କରାଯାଇଥାଏ। କେବଳ ଡ୍ୟୁଟିରେ ଥିବା ଶ୍ରୀମନ୍ଦିର ପୋଲିସ ଏବଂ ଓଡ଼ିିଶା ପୋଲିସ ମନ୍ଦିର ପରିସରରେ ରହିଥାନ୍ତି। ରାତିରେ ଶ୍ରୀମନ୍ଦିର ପରିସର ଓ ବାହାରେ ପୋଲିସ ନିୟୋଜିତ ଥିବା ସତ୍ତ୍ୱେ କିପରି ଚୋରି ହେଲା ଓ କେହି ଜାଣିପାରିଲେ ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣା ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଅବଗତ କରାଯିବା ସହ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି। ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ ଓ ସିଂହଦ୍ୱାର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତିି। ଶ୍ରୀମନ୍ଦିର ପରିସରରୁ ଚୋରି ହେବା ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ମନ୍ଦିର ପରିସର, ଦକ୍ଷିଣଦ୍ୱାର ନିକଟ ରାମମନ୍ଦିର ଓ କୋଇଲିବୈକୁଣ୍ଠ ନିକଟ ସୁଆର ନିଯୋଗ କାର୍ଯ୍ୟାଳୟରୁ ଚୋରି ହୋଇଥିଲା। ଚୋରି ଘଟଣାରେ ଜଣେ ନାବାଳକ ସମ୍ପୃକ୍ତ ଥିଲେ। ଏପରିକି ଗତବର୍ଷ ଜଣେ ବ୍ୟକ୍ତି ଶ୍ରୀମନ୍ଦିର ରୋଷଘରେ ପଶି ଚୁଲିଗୁଡ଼ିକୁ ଭାଙ୍ଗିଦେଇଥିଲେ। ଏବେ ଦାନବାକ୍ସରୁ ଚୋରି ଘଟଣା ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ଉଠାଇଛି। ଚୋରି ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଅଭିଯୋଗ କରାଯିବ ବୋଲି ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି। ସେହିପରି ସିଂହଦ୍ୱାର ଥାନା ଅଧିକାରୀ ଶ୍ୱେତପଦ୍ମା ଦାସ କହିଛନ୍ତି, ରାତି ୮ଟା ସୁଦ୍ଧା ଥାନାରେ କୌଣସି ଅଭିଯୋଗ ହୋଇ ନ ଥିଲେ ମଧ୍ୟ ପୋଲିସ ପକ୍ଷରୁ ଅନୁସନ୍ଧାନ ଚାଲିଛି। ଏହି ଘଟଣାରେ କାହାକୁ ଅଟକ ରଖାଯାଇନାହିଁ।

Share