ତାଲାବନ୍ଦ ଘରୁ କଳାକନା ବୁଲାଇଲେ

ବ୍ରହ୍ମପୁର,୯ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସହରରେ ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ପୁଣି ଲୁଟେରାମାନେ ୨ ତାଲାବନ୍ଦ ଘରୁ ସୁନା ଗହଣା ଓ ଟଙ୍କା ଚୋରି କରିଛନ୍ତି। ବଡ଼ବଜାର ଥାନା ଅନ୍ତର୍ଗତ ନୂଆ ଗୌଡ଼ସାହିର ଜଣଙ୍କ ଘରୁ ଦୁଇଦିନ ତଳେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘର ମାଲିକ ମୋହିନୀ ଗନ୍ତାୟତ ଥାନାରେ ଅଭିଯୋଗ କରିଛନ୍ତି ଯେ, ଶ୍ରାଦ୍ଧ ପାଇଁ ସେ ତାଙ୍କ ଘର ଧୂଆ ସାରି ତାଲା ପକାଇ ଭଡ଼ାଘରକୁ ଯାଇଥିଲେ। ସକାଳେ ଦେଖିଲା ବେଳକୁ କେତେକ ଦୁର୍ବୃତ୍ତ କବାଟ ଭାଙ୍ଗି ଘରେ ପଶି ଆଲମୀରାରୁ ୩୦ ହଜାର ଟଙ୍କା, ସୁନା କାନଫୁଲ, ମୁଦି ଏବଂ ରୁପା ସାମଗ୍ରୀ ଚୋରି କରି ନେଇଛନ୍ତି। ମୋହିନୀଙ୍କ ଅଭିଯୋଗ ମୁତାବକ, ପୋଲିସ ଏକ ମାମଲା(ନଂ.୩୮୨/୨୩) ରୁଜୁ କରି ତଦନ୍ତ ଚଳାଇଛି।

ସେହିପରି ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ହାତୀବନ୍ଧ ସାହିର ଦେବେନ୍ଦ୍ର ସାହୁ ୧୫ ଦିନ ତଳେ ଘରେ ତାଲାପକାଇ ବେଙ୍ଗାଲୁରୁ ଯାଇଥିଲେ। ତାଙ୍କ ଘରୁ ଚୋରି ହୋଇଥିବା ରବିବାର ସକାଳେ ଖୋଡ଼ାସିଙ୍ଗି ଅଞ୍ଚଳରେ ରହୁଥିବା ଭିଣୋଇ ଖବର ପାଇ ପହଞ୍ଚି ଥିଲେ। ଘର ସମ୍ମୁଖ ଗ୍ରିଲ୍‌ ଓ ମୁଖ୍ୟ କବାଟ ତାଲା ଭାଙ୍ଗି କେହି ଦୁର୍ବୃତ୍ତ ଏକ ଏଲ୍‌ଇଡି ଟିଭି ସହ ଆଲମାରୀରୁ ବିଭିନ୍ନ ସାମଗ୍ରୀ ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା(ନଂ.୫୦୯/୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଛି।