ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି ଘଟଣା ଘଟିଛି। ଶିକ୍ଷକ ଗଜେନ୍ଦ୍ର ପ୍ରସାଦ ବେହେରାଙ୍କ ଘରୁ ଚୋରି ହୋଇଛି। ସେ ତାଙ୍କ ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ପୈତୃକ ଗ୍ରାମ ବରଣ୍ଡୁଆକୁ ଯାଇଥିବା ବେଳେ ଚୋରମାନେ ଘରର ତାଲା ଓ ଗ୍ରୀଲ୍‌ କାଟି ଆଲମିରାରେ ଥିବା ନଗଦ ୪୫ ହଜାର ଟଙ୍କା ସହ ୧୫୦ ଗ୍ରାମ୍‌ ଓଜନର ସୁନା ଅଳଙ୍କାର ଓ ୨୫୦ ଗ୍ରାମ୍‌ରୁ ଊର୍ଦ୍ଧ୍ୱ ରୁପା ଅଳଙ୍କାର ଚୋରି କରି ନେଇଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ହେବ। ଏନେଇ ସେ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଗଜେନ୍ଦ୍ର ବାସୁଦେବପୁର ସହର ନିକଟସ୍ଥ ବିଦ୍ୟୁତ୍‌ମାର୍ଗସ୍ଥିତ ଜାଫରପୁର ଗ୍ରାମରେ ଘର କରି ରହୁଛନ୍ତି। ଗତ ୨୧ ତାରିଖରେ ତାଙ୍କ ବାପାଙ୍କ  ଦେହାନ୍ତ ହୋଇଥିବା ବେଳେ ଶୁଦ୍ଧିକ୍ରିୟା ପାଇଁ ଯାଇଥିଲେ। ସେ ଗୁରୁବାର ସକାଳେ ଜାଫରପୁରସ୍ଥିତ ଘରକୁ ଫେରିବା ପରେ ଘରର ଗ୍ରୀଲ୍‌, ମୁଖ୍ୟ କବାଟ ଓ ଆଲମିରାର ତାଲା କଟାଯାଇଥିବା ସେ ଦେଖିବାକୁ ପାଇଥିଲେ। ନଗଦ ଟଙ୍କା ସହ ୩ଟି ସୁନାଚେନ୍‌, ଗୋଟିଏ ହାର, ୪ଟି ମୁଦି, କାନଫୁଲ ଦୁଇହଳ, ରୁପା ପାଉଁଜି, ବଳା ସମେତ ତାଙ୍କର କେତେକ ଦରକାରୀ କାଗଜପତ୍ର ଓ ସାର୍ଟିଫିକେଟ୍‌ ଚୋରି ହୋଇଥିବା ସେ ଏତଲାରେ ଦର୍ଶାଇଛନ୍ତି।
Share