ଭୁବନେଶ୍ୱର,୯।୨(ବ୍ୟୁରୋ)- ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରୁ ଛୁଆ ଚୋରି କରିବା ଅଭିଯୋଗରେ ସମ୍ପୃକ୍ତ ମହିଳାଙ୍କୁ ଇନ୍ଫୋସିଟି ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତା ହେଲେ ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ମଜୁରିଗଡ଼ିଆ ଗ୍ରାମର ଜୁଲି ସବର(୨୦)। ଜୁଲିଙ୍କୁ ମଙ୍ଗଳବାର କୋର୍ଚଚାଲାଣ କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ପୋଲିସ ସୂଚନା ଅନୁଯାୟୀ, ନାବାଳକ ଜଣଙ୍କ ସେଠାରେ ଚିକିତ୍ସିତ ହେଉଥିବା ବେଳେ ମଙ୍ଗଳବାର ଦିନ ବେଳା ତାଙ୍କ ଦାୟିତ୍ୱରେ ଥିବା ଆଟେଣ୍ଡାଣ୍ଟ୍ ଜଣଙ୍କ ଡାକ୍ତରଙ୍କ ପରାମର୍ଶ ନେବାକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତା ଜୁଲି ସେଠାରେ ପହଞ୍ଚି ନାବାଳକଙ୍କୁ ଚୋରି କରି ଭଦ୍ରକ ନେଇଯାଇଥିଲେ। ଏନେଇ ଆଟେଣ୍ଡାଣ୍ଟ୍ଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ. ୯୧/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଭଦ୍ରକ ଟାଉନ୍ ଥାନା ପୋଲିସ ସହଯୋଗରେ ଇନ୍ଫୋସିଟି ଥାନା ପୋଲିସ ନାବାଳକଙ୍କୁ ଉଦ୍ଧାର କରିବା ସହ ଜୁଲିଙ୍କୁ କାବୁ କରିଥିଲା। ତେବେ ଅଭିଯୁକ୍ତା ଜୁଲି ଭିକ୍ଷା ବୃତ୍ତିରେ ଲଗାଇବା ପାଇଁ ଉକ୍ତ ନାବାଳକଙ୍କୁ ଚୋରି କରିଥିଲେ ବୋଲି ସ୍ବିକାର କରିଥିବା ପୋଲିସ ପକ୍ଷରୁ କୁହାଯାଇଛି।