ଡେଲାଙ୍ଗରେ ଚୋରି ଗାଡ଼ି ର଼୍ୟାକେଟ ପର୍ଦ୍ଦାଫାଶ

ଡେଲାଙ୍ଗ,୩।୧୦(ଡି.ଏନ୍‌.ଏ.): ଗତ ଏକ ମାସର ବ୍ୟବଧାନ ପରେ ପୁରୀ ଜିଲା ଡେଲାଙ୍ଗ ପୋଲିସ ପୁଣି ଏକ ଚୋରି ଗାଡ଼ି ର଼୍ୟାକେଟର ପର୍ଦ୍ଦାଫାଶ କରିଛି। ଏହା ପଛରେ ଥିବା ଏକ ଗ୍ୟାଙ୍ଗର ୬ଜଣ ସଦସ୍ୟକୁ ପୋଲିସ ଗିରଫ କରିବା ସହ କୋର୍ଟଚାଲଣ କରିଛି। ସେମାନେ ହେଲେ ନୟାଗଡ ଜିଲାର ପାମ୍ପେଡା ଗ୍ରାମର କାଲୁ ଭୋଇ, ଜଟଣୀ ଥାନା ବେଣାପଞ୍ଜରୀ ଗ୍ରାମର ମହମ୍ମଦ ଅରବାଜ, ଖୋର୍ଦ୍ଧା ବାରଘରପାଟଣା ଗ୍ରାମର ରାକେଶ କାଣ୍ଡି, ଜଙ୍କିଆ ଥାନା ମୁକ୍ତାପୁର ଗ୍ରାମର ଗୋବିନ୍ଦ ଜେନା, ଖୋର୍ଦ୍ଧା ସଦର ଥାନା ଅଞ୍ଚଳର ବରପଡା ଗ୍ରାମର ବିଶ୍ୱଜିତ ଜୟସିଂ ଓ ବେଣାପଞ୍ଜରୀ ଗ୍ରାମର ଅମିରୁଦ୍ଦିନ ଖାନ। ପୋଲିସ ସେମାନଙ୍କଠାରୁ ୪୫ଟି ଚୋରା ବାଇକ୍‌ ଜବତ କରିବା ସହ ନଂ. ୧୫୩/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏ ନେଇ ଡେଲାଙ୍ଗ ଥାନା ପକ୍ଷରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ଦେବଦତ୍ତ ବରାଳ ଓ ଡେଲାଙ୍ଗ ଆଇଆଇସି ରଶ୍ମିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତ ଗୁରୁବାର ଏହି ଥାନା ଅଞ୍ଚଳର କୁଆପଦା ଗ୍ରାମ ନିକଟରେ ଥିବା କୁମୁକା ଜଙ୍ଗଲ ନିକଟରେ କେତେଜଣ ଅପରାଧୀ ଚୋରା ବାଇକ୍‌ ବିକ୍ରି ପାଇଁ ଯୋଜନା କରୁଥିଲେ। ବିଶେଷ ସୂତ୍ରରୁ ଖବରପାଇ ଡେଲାଙ୍ଗ ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇ ଲାଇକା ମହାରଣା, କନଷ୍ଟେବଳ ପ୍ରଶାନ୍ତ ପ୍ରଧାନ, ଜିତେନ୍ଦ୍ର ସ୍ବାଇଁ, ହୋମଗାର୍ଡ ପ୍ରମୋଦ ସେଠୀ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ। ସେଠାରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧୦ଟି ଚୋରା ବାଇକ ଜବତ କରିଥିଲେ। ପରେ ପୁରୀ ଏସ୍‌ପି ଅଖିଳେଶ୍ୱର ସିଂଙ୍କ ନିର୍ଦ୍ଦେଶ ଅନୁସାରେ ଏସ୍‌ଡିପିଓ ବରାଳ ଓ ଆଇଆଇସି ପଟ୍ଟନାୟକ ସେମାନଙ୍କୁ ଜେରା କରିଥିଲେ। ଫଳରେ ଏକ ବୃହତ ଗାଡ଼ି ଚୋରି ର଼୍ୟାକେଟ ଚାଲିଥିବା ଜଣାପଡ଼ିଥିଲା। ଏହି ର଼୍ୟାକେଟକୁ ଧରିବା ପାଇଁ ୨ଟି ସ୍ବତନ୍ତ୍ର ଟିମ ପ୍ରସ୍ତୁତ କରାଯାଇଥିଲା। ଗୋଟିଏ ଟିମର ପରିଚାଳକ ଆଇଆଇସି ଥିବାବେଳେ ଅନ୍ୟ ଟିମର ଏସ୍‌ଆଇ ଉପେନ୍ଦ୍ର ନାଥ ଦାସ ପରିଚାଳନା କରୁଥିଲେ। ଏହି ଟିମଗୁଡିକ ଶୁକ୍ରବାର ୪ ଅଭିଯୁକ୍ତ ଦେଇଥିବା ଠିକଣା ଅନୁସାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆହୁରି ୨ଜଣଙ୍କୁ ଗିରଫ କରିବା ସହ ମୋଟରେ ୪୫ଟି ଚୋରା ବାଇକ୍‌ ଜବତ କରିଥିଲେ। ଏହି ଗାଡ଼ିଗୁଡ଼ିକର ମାଲିକମାନେ ୦୬୭୫୮-୨୪୨୨୨୨ନମ୍ବରରେ ଯୋଗାଯୋଗ କରି ନିଜ ଗାଡି ସମ୍ପର୍କରେ ତଥ୍ୟ ସଂଗ୍ରହ କରିପାରିବେ ବୋଲି ଥାନା ସୂତ୍ରରୁ ପ୍ରକାଶ ପାଇଛି। ପ୍ରକାଶ ଥାଉକି ଅଗଷ୍ଟ ୬ରେ ଡେଲାଙ୍ଗ ପୋଲିସର ଏଭଳି ଏକ ବାଇକ୍‌ ଲୁଟେରା ଗ୍ୟାଙ୍ଗକୁ ଧରିଥିଲେ। ସେମାନଙ୍କଠାରୁ ୨୫ଟି ଚୋରା ବାଇକ୍‌ ଜବତ କରିବା ସହ ୪ଜଣଙ୍କୁ ଗିରଫ କରାଯାଇଥିଲା।

Share