ଗଞ୍ଜାମ,୧୧ା୧୦(ଡି.ଏନ୍.ଏ.): ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀରେ ଗତ ମଙ୍ଗଳବାର ମେକାନିକ ପ୍ଲାଣ୍ଟର ଷ୍ଟିମ୍ ପାଇପ ଭାଲଭ୍ ଫାଟି ଯାଇଥିଲା। ଏଥିରେ କମ୍ପାନୀର ଜଣେ ଇଞ୍ଜିନିୟର ଅଭିଷେକ ପାଳ ଓ ପୁଇଁତୋଳା ଗ୍ରାମର ଶଙ୍କର ରାଉଳ ଗୁରୁତର ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଗତ ଶୁକ୍ରବାର ଶଙ୍କରଙ୍କ ମୃତ୍ୟୁ ଘଟିଥିଲା। ଶେଷରେ ଯୁବ ଇଞ୍ଜିନିୟର ବି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ରବିବାର ଭୋର୍ରୁ ଅଭିଷେକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏ ସମ୍ପର୍କରେ କମ୍ପାନୀ ଡିଜିଏମ ରବୀନ୍ଦ୍ର କୁମାର ମହାନ୍ତିଙ୍କୁ ପଚାରିବାରୁ ଭୋର୍ ୫.୧୦ରେ ଇଞ୍ଜିନିୟରଙ୍କ ମୃତ୍ୟୁ ଘୋଷଣା ହୋଇଥିଲା ବୋଲି ସେ କହିଛନ୍ତି l
ସୂଚନାଯୋଗ୍ୟ, ଏହି ଷ୍ଟିମ୍ ପାଇପ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ଗୁରୁତର ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। କମ୍ପାନୀରେ ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳବାସୀ ଓ ବିଭିନ୍ନ ଶ୍ରମିକ ସଂଗଠନ ଆହତ ବ୍ୟକ୍ତିମାନଙ୍କ ପାଇଁ କ୍ଷତିପୂରଣ ଦାବିରେ ଆନ୍ଦୋଳନ କରିଥିଲେ l ଆନ୍ଦୋଳନ ପରେ ସେମାନଙ୍କୁ ୧୨ ଲକ୍ଷ ଟଙ୍କା ସହ ନିକଟ ସମ୍ପର୍କୀୟଙ୍କୁ ସ୍ଥାୟୀ ନିଯୁକ୍ତି ଦେବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା l