ଷ୍ଟିଲ୍‌ ଓପନ ବୋଟ୍‌ ଉପରେ ପ୍ରଶାସନର ନଜର ପଡ଼ିଲା

କାଏମା,୨୬ା୯( ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ କାଏମା ବ୍ରିଜର ପାଲା ଚାନ୍ଦିନୀ ନିକଟରେ ମୋଟର ଚାଳିତ ବୋଟ୍‌ ଏସ୍‌ଓବି(ଷ୍ଟିଲ ଓପନ ବୋଟ୍‌) ଦୀର୍ଘଦିନରୁ ଅବହେଳିତ ଭାବେ ପଡ଼ିରହିଥିଲା। ଏ ସଂକ୍ରାନ୍ତରେ ଗତ ୨୩ ତାରିଖ ଧରିତ୍ରୀରେ ‘ଅବହେଳିତ ଅବସ୍ଥାରେ ଷ୍ଟିଲ ଓପନ ବୋଟ’ ଶୀର୍ଷକରେ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୋମବାର ଧର୍ମଶାଳା ବ୍ଲକ ପକ୍ଷରୁ ବୋଟ୍‌ର ଡ୍ରାଇଭର ସୁଶାନ୍ତ କୁମାର ବିଶ୍ବାଳ ଓ ଅନ୍ୟ ଜଣେ କର୍ମଚାରୀ ଆସି ଏହାର ଭିତର ଓ ଚାରିପାର୍ଶ୍ୱରୁ ଗଛଲତା ସଫା କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଘଟଣାସ୍ଥଳରୁ ଅନେକ ମଦ ବୋତଲ ଓ ଆପତ୍ତିଜନକ ସାମଗ୍ରୀ ମିଳିଥିବା ଡ୍ରାଇଭର ବିଶ୍ବାଳ କହିଛନ୍ତି ।
ସୂଚନଯୋଗ୍ୟ, ବ୍ରାହ୍ମଣୀ ନଦୀର ଶାଖା କେଲୁଅ ନଦୀରେ ବନ୍ୟା ଓ ବର୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳ ଲୋକମାନଙ୍କ ସୁରକ୍ଷା ଓ ସ୍ଥାନାନ୍ତର ପାଇଁ ଏହି ବୋଟ୍‌କୁ ନିୟୋଜିତ କରାଯାଇଥିଲା। ଏଥିପାଇଁ ସ୍ବତନ୍ତ୍ର ତାଲିମପ୍ରାପ୍ତ ଡ୍ରାଇଭର ବ୍ୟବସ୍ଥା କରାଯାଇଥିଲା । ଡ୍ରାଇଭରଙ୍କ ରହିବା ପାଇଁ ସରକାରୀ କ୍ୱାର୍ଟର୍ସ ଯୋଗାଇ ଦିଆଯାଇଥିଲା। ହେଲେ ଦୀର୍ଘଦିନ ହେବ ଉକ୍ତ ବୋଟ୍‌ଟି ପଡି ରହିବା ଯୋଗୁ ତଳ ଅଂଶରେ ଫାଟ ସୃଷ୍ଟି ହୋଇଥିଲା । ଏକଥା ଜଣାପଡିବା ପରେ ଜିଲା ପ୍ରଶାସନ ପକ୍ଷରୁ ବୋଟ୍‌ର ମରାମତି କରାଯାଇଥିଲା। ଏହାପରେ ବି ରକ୍ଷଣାବେକ୍ଷଣ ଅଭାବରୁ ବୋଟ୍‌ଟି ସେହି ସ୍ଥାନରେ ପଡି ରହିଛି। ଫଳରେ ପୂର୍ବ ସ୍ଥିତିର ପୁନରାବୃତ୍ତି ହେବାକୁ ଯାଉଥିବା ଅଞ୍ଚଳବାସୀ କହିଛନ୍ତି। ଧର୍ମଶାଳା ଅଞ୍ଚଳରେ ଏହା ଏକମାତ୍ର ଷ୍ଟିଲ ଓପନ ବୋଟ ହୋଇଥିବାରୁ ଏହାକୁ ଧର୍ମଶାଳାର ଐତିହ ବୋଟ୍‌ ଭାବେ ପରିଚିତ ପାଇଛି । ଏହି ଐତିହ୍ୟ ବୋଟ୍‌କୁ ସୁରକ୍ଷା ଓ ରକ୍ଷଣାବେକ୍ଷଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Share