‘ବେକାରି ସମସ୍ୟା ଦୂର ପାଇଁ ଇସ୍ପାତ କାରଖାନା ଜରୁରୀ’

କେନ୍ଦୁଝର,୧୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବେକାରି ସମସ୍ୟା ଉତ୍କଟ ମହାମାରୀ ସଦୃଶ ହୋଇଗଲାଣି। ଜିଲାରେ ଛୋଟ ଛୋଟ ପ୍ଳାଣ୍ଟ୍‌ ଗୁଡ଼ିକ ବନ୍ଦ ହେଇଗଲାଣି। ଖଣି ଖାଦାନରେ କାମ ନ ପାଇ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଜିଲାରୁ ବେକାରି ସମସ୍ୟା ଦୂର କରିବାକୁ ହେଲେ ଏକ ବୃହତ୍‌ ଇସ୍ପାତ କାରଖାନା ପ୍ରତିଷ୍ଠା ଜରୁରୀ ବୋଲି ସ୍ଥାନୀୟ କଂଗ୍ରେସ ଭବନଠାରେ ବୁଧବାର ଅନୁଷ୍ଠିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ରାଜ୍ୟ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର କହିଛନ୍ତି।
ସେହିପରି କେନ୍ଦୁଝର ଏକ କୃଷି ବହୁଳ ଜିଲା। ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରନ୍ତି। କିନ୍ତୁ ଜିଲାରେ ଜଳସେଚନର ବ୍ୟବସ୍ଥା ନାହିଁ କି, ତାହାର କୌଣସି ପ୍ରତିକାର ନାହିଁ। ଖଣି ଖାଦାନ ଯୋଗୁ ବଣ ଜଙ୍ଗଲ ନଷ୍ଟ ହୋଇଗଲାଣି। ଏଣୁ ଜଳସେଚନ ବ୍ୟବସ୍ଥାକୁ ସୃଦୃଢ଼ କରିବା ସହ କୃଷିର ବିକାଶ ପାଇଁ ଭିତ୍ତିଭୂମିର ବିକାଶ ଜରୁରୀ ବୋଲି କହିଛନ୍ତି। ଏଥିସହ ଜିଲାରେ ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ, ରାସ୍ତାଘାଟ, ବିଜୁଳି କାଟ, ପ୍ରମୁଖ ମହାବିଦ୍ୟାଳୟ ଗୁଡ଼ିକରେ ଅଧ୍ୟାପିକା-ଅଧ୍ୟାପକ ଅଭାବ, ଜିଲାର ଖଣିଜ ପ୍ରତିଷ୍ଠାନ ପାଣ୍ଠି ରହିଥିଲେ ହେଁ ଠିକ୍‌ ଉପଯୋଗ ହେଉ ନ ଥିବା ଆଦି ବିଷୟରେ ଆଲୋଚନା ହୋଇଥିଲା। ସବୁ ସମସ୍ୟାର ସମାଧାନ ପାଇଁ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛନ୍ତି। ଜିଲା ସଭାପତି ବିପ୍ଳବ ମିଶ୍ର, ପୂର୍ବତନ ଜିଲା ସଭାପତି ମୋହନ ପରିଡ଼ା, ସୁଢ଼ୋଳ ସେଠୀ, ରତ୍ନାକର ଜେନା, ଉତ୍ତମ ସାହୁ ସମେତ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ଥିଲେ।

Share