ବ୍ୟାଙ୍କ ନ ଥିବା ପଞ୍ଚାୟତରେ ଶାଖା ଖୋଲିବାକୁ ପଦକ୍ଷେପ ନିଆଯାଇଛି: ଅର୍ଥମନ୍ତ୍ରୀ

ଭୁବନେଶ୍ୱର,୧୪।୯(ସୁନିତ୍‌ ମିଶ୍ର)ଓଡ଼ିଶା ସ୍ବଳ୍ପ ସଞ୍ଚୟ ନିର୍ଦ୍ଦେଶାଳୟ ଅର୍ଥ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସ୍ବଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ଏ.ଟି. ସିରିଜ୍‌ ଉଠାଣ ସୂଚନା ଭବନଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ପ୍ରତ୍ୟେକ ବ୍ୟକ୍ତି ପାଇଁ ସଞ୍ଚୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଜନସାଧାରଣଙ୍କୁ ସୁରକ୍ଷିତ ଜମା ଯୋଜନା ପ୍ରତି ଆକର୍ଷିତ କରିବା ପାଇଁ ସ୍ବଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ଏକ ଅଭିନବ ପ୍ରୟାସ। ସ୍ବଳ୍ପ ସଞ୍ଚୟ ଯୋଜନା ଭଳି ସରକାରୀ ଯୋଜନା ଉପରେ ଜନସାଧାରଣଙ୍କ ଅତୁଟ ଆସ୍ଥା ଓ ବିଶ୍ୱାସ ରହିଥିବାବେଳେ ପ୍ରତ୍ୟେକ ବ୍ୟକ୍ତି ଏବଂ ତାଙ୍କ ପରିବାରର ଭବିଷ୍ୟତ ଆବଶ୍ୟକତା ପୂରଣ ପାଇଁ ଏହି ସୁରକ୍ଷିତ ସରକାରୀ ଜମାରେ ଅର୍ଥ ସଞ୍ଚୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟର ବ୍ୟାଙ୍କ ନ ଥିବା ସମସ୍ତ ଗ୍ରାମପଞ୍ଚାୟତରେ ଏହାର ଶାଖା ଖୋଲିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଆରୁଖ କହିଛନ୍ତି। ସମ୍ମାନିତ ଅତିଥି ଭାବେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ ଯୋଗଦେଇ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ସାକ୍ଷରତା ଅଭିଯାନର ସଫଳତା ପାଇଁ ସ୍ବଳ୍ପ ସଞ୍ଚୟ ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନିମନ୍ତେ ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବା ଲାଗି ପରାମର୍ଶ ଦେଇଛନ୍ତି। ଉକ୍ତ ଉଠାଣରେ ୨୭୭୧ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୮ଟି ବର୍ଗରେ ସର୍ବାଧିକ ୫ ଲକ୍ଷ ଏବଂ ସର୍ବନିମ୍ନ ୪ ହଜାର ଟଙ୍କା ହିସାବରେ ସମୁଦାୟ ଦେଢ଼କୋଟି ଟଙ୍କା ମୂଲ୍ୟର ପୁରସ୍କାର ରାଶି ପ୍ରୋତ୍ସାହନ ସ୍ବରୂପ ପ୍ରଦାନ କରାଯିବା ବ୍ୟବସ୍ଥା ଅଛି।

Share