Categories: ଜାତୀୟ

ଜୀବନ ବଞ୍ଚାଇବ ଷ୍ଟେରଏଡ୍‌

ନୂଆଦିଲ୍ଲୀ,୪ା୯:ସାରା ବିଶ୍ୱରେ କରୋନା ମହାମାରୀ ବଢ଼ିଚାଲିଥିଲାବେଳେ ଷ୍ଟେରଏଡ୍‌ ଚିକିତ୍ସା ଆଶାର ସଞ୍ଚାର କରିଛି। ଗୁରୁତର ଅସୁସ୍ଥ କରୋନା ରୋଗୀଙ୍କ ଜୀବନ ବଞ୍ଚାଇବାରେ ଷ୍ଟେରଏଡ୍‌ ସହାୟକ ହୋଇପାରିବ। ଅନ୍ତର୍ଜାତୀୟ କ୍ଲିନିକାଲ ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି। ଷ୍ଟେରଏଡ ଶସ୍ତା ହୋଇଥିବାବେଳେ ଏହା ବହୁଳ ଭାବେ ଉପଲବ୍ଧ। ନୂତନ ପ୍ରମାଣକୁ ଆଧାରକରି ଗୁରୁତର କରୋନା ରୋଗୀଙ୍କର ଷ୍ଟେରଏଡ ଚିକିତ୍ସା କରିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ସୁପାରିସ କରାଯାଇଛି। ତେବେ ଯେଉଁମାନଙ୍କର ସାମାନ୍ୟ ଲକ୍ଷଣ ରହିଛି, ସେମାନେ ଏଭଳି ଚିକିତ୍ସା ନ କରିବା ଲାଗି ପରାମର୍ଶ ଦିଆଯାଇଛି।
ଷ୍ଟେରଏଡ୍‌ ଚିକିତ୍ସା ଉପରେ ୫ଟି ସନ୍ଦର୍ଭ ପ୍ରକାଶ କରିଥିବା ଜେଏଏମ୍‌ଏ (ଜର୍ନାଲ ଅଫ୍‌ ଆମେରିକାନ୍‌ ମେଡିକାଲ ଆସୋସିଏଶନ)ର ମୁଖ୍ୟ ସମ୍ପାଦକ ଡ. ହୋଓ୍ବାର୍ଡ ସି. ବାଉଚ୍‌ନର କହିଛନ୍ତି, ଏବେ ଷ୍ଟେରଏଡ୍‌ ଏକ ମାନକ ଚିକିତ୍ସା। ୭ଟି କ୍ଲିନିକାଲ ପରୀକ୍ଷାର ତଥ୍ୟକୁ ଏକତ୍ର କରି ବୈଜ୍ଞାନିକମାନେ ଉପରୋକ୍ତ ସିଦ୍ଧାନ୍ତରେ ପହଞ୍ଚତ୍ଛନ୍ତି। ୧୭୦୦ରୁ ଅଧିକ ରୋଗୀଙ୍କଠାରେ ୩ଟି ଷ୍ଟେରଏଡ୍‌ର ପରୀକ୍ଷା କରାଯାଇଥିଲା। ପ୍ରତ୍ୟେକଟି ଔଷଧ କରୋନା ରୋଗୀଙ୍କ ମୃତ୍ୟୁ ଆଶଙ୍କାକୁ କମ୍‌ କରୁଥିବା ଅଧ୍ୟୟନରୁ ଜଣାପଡିଛି। କୋଭିଡ୍‌-୧୯ ଚିକିତ୍ସାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଗବେଷକମାନେ ଉଲ୍ଲେଖ କରିଛନ୍ତି। କୋର୍ଟିକୋଷ୍ଟରଏଡ୍‌କୁ ଏବେ ଗୁରୁତର କରୋନା ରୋଗୀଙ୍କ ପ୍ରାରମ୍ଭିକ ଚିକିତ୍ସା ଭାବେ ବ୍ୟବହାର କରାଯିବ ଉଚିତ ବୋଲି ସେମାନେ ମତ ଦେଇଛନ୍ତି। ଅନ୍ୟ ଔଷଧ ମଧ୍ୟରେ ରେମଡେସିଭିର୍‌ ଗୁରୁତର ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ସଫଳ ହୋଇପାରିଛି। ସେହିପରି ଡେକ୍ସାମିଥାସୋନ୍‌, ହାଇଡ୍ରୋକୋର୍ଟିସୋନ୍‌ ଏବଂ ମିଥାଇଲପ୍ରେଡ୍‌ନିସୋଲୋନ୍‌କୁ ମଧ୍ୟ ଡାକ୍ତରମାନେ ରୋଗ ପ୍ରତିରୋଧ କ୍ଷମତା ବଢ଼ାଇବା, ଯନ୍ତ୍ରଣା କମାଇବା, ଫୁଲା କମାଇବା ଆଦି ପାଇଁ ବ୍ୟବହାର କରିଥାନ୍ତି। ଗୁରୁତର ଅସୁସ୍ଥଙ୍କ ଜୀବନ ବଞ୍ଚାଇବା ହାରକୁ ଡେକ୍ସାମିଥାସୋନ୍‌ ବଢ଼ାଇଥାଏ ବୋଲି ଗତ ଜୁନ୍‌ରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକମାନେ ଜାଣିବାକୁ ପାଇଥିଲେ। ଅନ୍ୟାନ୍ୟ ଷ୍ଟେରଏଡ୍‌ ମଧ୍ୟ ଚିକିତ୍ସାରେ ସହାୟକ ହୋଇପାରିବ ବୋଲି ସେତେବେଳେ ଗବେଷକମାନେ ଆଶାବ୍ୟକ୍ତ କରିଥିଲେ।

Share