ନୂଆଦିଲ୍ଲୀ, ୧୩।୮: ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର୍ ଷ୍ଟିଭ ଓ୍ବ’ଙ୍କ ମ୍ୟାନେଜର ହାର୍ଲି ମେଡ୍କାଫ୍ କରୋନା ମହାମାରୀ ଭଳି ଏକ ସଙ୍କଟଜନକ ସମୟରେ ଭାରତୀୟ ଭିନ୍ନକ୍ଷମ କ୍ରିକେଟ୍ ଖେଳାଳିଙ୍କୁ ସହାୟତା କରିବା ଲାଗି ଆଗେଇ ଆସିଛନ୍ତି। ମେଡ୍କାଫ୍ ୧୦୦ ଜଣ ଭାରତୀୟ ଭିନ୍ନକ୍ଷମ କ୍ରିକେଟର୍ଙ୍କୁ ସହାୟତା ପ୍ରଦାନ କରିଛନ୍ତି ବୋଲି ଫିଜିକାଲ ଚ୍ୟାଲେଞ୍ଜ କ୍ରିକେଟ୍ ଆସୋସିଏଶନ୍ ଅଫ୍ ଇଣ୍ଡିଆ (ପିସିସିଏଆଇ) ପକ୍ଷରୁ ଗୁରୁବାର ଏହା ଘୋଷଣା କରାଯାଇଛି। ପିସିସିଏଆଇ ସମ୍ପାଦକ ରବି ଚୌହାନ କହିଛନ୍ତି, ପ୍ରତ୍ୟେକ କ୍ରିକେଟର୍ଙ୍କୁ ୫ ହଜାର ଲେଖାଏ ଟଙ୍କା ପ୍ରଦାନ କରାଯାଇଛି। ଏହି ଜରୁରୀ ସମୟରେ ସଂଘ ୪ ହଜାର ଭିନ୍ନକ୍ଷମ କ୍ରିକେଟର୍ଙ୍କୁ ସହାୟତା କରିବାକୁ ଲକ୍ଷ୍ୟ ରଖିଛି। ସହାୟତାର ହାତ ବଢ଼ାଇଥିବାରୁ ମେଡ୍କାଫ୍, ଆନନ୍ଦ ଚୁକ୍କା, ପ୍ରବୀଣ ନାଲାଙ୍କୁ ସଂଘ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି। ଚୌହାନଙ୍କ କହିବାନୁଯାୟୀ, ମେଡ୍କାଫ୍ ଓ ଆନନ୍ଦ ଏହି ପାଣ୍ଠି ସଂଗ୍ରହ କରିଥିଲେ। ଯେତେବେଳେ କି ପ୍ରବୀଣ ଏନ୍-୯୫ ମାସ୍କ ଯୋଗାଇ ଦେଇଥିଲେ। ଖେଳାଳିଙ୍କୁ ସହାୟତା ଓ ଉତ୍ସାହିତ କରିଥିବାରୁ ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର୍ ଷ୍ଟିଭ୍ ଓ୍ବ’ଙ୍କୁ ମଧ୍ୟ ଚୌହାନ ଧନ୍ୟବାଦ ଜଣାଇଛନ୍ତି।