ହିଙ୍ଗୁଳା ଖଣିରୁ କୋଇଲା ଚୋରି ଧରିଲା ଏସ୍‌ଟିଏଫ

ଭୁବନେଶ୍ୱର,୨୨।୩(ବ୍ୟୁରୋ):ରାଜ୍ୟରେ ଥିବା ବିଭିନ୍ନ ଖଣିରୁ କୋଇଲା ଓ ଅନ୍ୟାନ୍ୟ ଖଣିଜ ଚୋରା ଚାଲାଣ ହେଉଛି। ଗତ କିଛିଦିନ ତଳେ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ) ଅନୁଗୋଳ ଅଞ୍ଚଳରୁ ୪୦ ଟନ୍‌ ଚୋରା କୋଇଲା ଓ ୨ ଟ୍ରକ୍‌ ଜବତ କରିଥିବାବେଳେ ରବିବାର କଙ୍କରେଇସ୍ଥିତ ଡିପୋରେ ଚଢ଼ାଉ କରି ଆଉ ସାଢେ ୨୨ଟନ୍‌ କୋଇଲା ଜବତ କରିଛି। ତାଳଚେର ହିଙ୍ଗୁଳା ମାଇନ୍ସରୁ ଏହି କୋଇଲା ଚୋରି ହୋଇ ଚାଲାଣ କରାଯାଉଥିବା ଯାଞ୍ଚବେଳେ ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ଅନୁଗୋଳ କଙ୍କରେଇ ଅଞ୍ଚଳର ଅଜୟ ପ୍ରଧାନ। ଏନେଇ ଅନୁଗୋଳ ଇଣ୍ଡଷ୍ଟ୍ରିଆଲ୍‌ ଥାନା ପୋଲିସ ଏକ ମାମଲା (ନଂ. ୬୫/୨୧) ରୁଜୁ କରି ଅଧିକ ତଦନ୍ତ କରୁଛି। ସୂଚନା ଅନୁଯାୟୀ, ହିଙ୍ଗୁଳା ମାଇନ୍ସରୁ ବେଆଇନ ଭାବେ ନିୟମିତ କୋଇଲା ଓ ଅନ୍ୟ ଖଣିଜ ପଦାର୍ଥ ଚୋରା ଚାଲାଣ କରାଯାଉଥିବା ନେଇ କ୍ରାଇମବ୍ରଞ୍ଚ ନିକଟରେ ଖବର ପହଞ୍ଚତ୍ଥିଲା। ଏହାପରେ ଏସ୍‌ଟିଏଫ୍‌ ପକ୍ଷରୁ ଚୋରା ଚାଲାଣକାରୀଙ୍କ ଉପରେ ନଜର ରଖାଯାଇଥିଲା। ତଦନ୍ତବେଳେ ହିଙ୍ଗୁଳା ମାଇନ୍ସରୁ କୋଇଲା ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ ଚୋରି କରାଯାଇ କଙ୍କରେଇ ଅଞ୍ଚଳରେ ଏକ ଫାଙ୍କା ସ୍ଥାନରେ ଷ୍ଟୋର୍‌ କରାଯାଇ ବିକ୍ରି କରାଯାଉଥିବା ଜଣାପଡିଥିଲା। ଏହାପରେ ଏସ୍‌ଟିଏଫ୍‌ ଟିମ୍‌ ସେଠାରେ ଚଢ଼ାଉ କରି କୋଇଲା ବୋଝେଇ ଟ୍ରକ ଜବତ କରିବା ସହ ଗଚ୍ଛିତ ରଖାଯାଇଥିବା ଅନ୍ୟ ଖଣିଜ ପଦାର୍ଥକୁ ମଧ୍ୟ ଜବତ କରିଥିଲା।

Share