କୋଇଲା ଡିପୋରେ ଏସ୍‌ଟିଏଫ୍‌ ଚଢ଼ାଉ: ୧୩ ଲକ୍ଷର ଲାମକୋକ୍‌ ସହ ୯ ଟ୍ରକ ଜବତ, ୧୧ ଗିରଫ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ଚୌଦ୍ୱାର ଥାନା ଅଞ୍ଚଳରେ ଥିବା ବାବା ଧବଳେଶ୍ୱର କୋଇଲା ଡିପୋରେ ରବିବାର ଏସଟିଏଫ ଚଢ଼ାଉ କରି ଲାମକୋକ୍‌ ଚୋରା ଚାଲାଣରେ ସମ୍ପୃକ୍ତ ମାଷ୍ଟରମାଇଣ୍ଡ ଓ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ଡିପୋରେ ଲୋଡିଂ କରୁଥିବା ଜେସିବି ସହ ୯ ଟ୍ରକ, ୧୩ଲକ୍ଷ ଟଙ୍କାର ୫୪ ମେଟ୍ରିକ ଟନ ଲାମକୋକ୍‌ ଜବତ କରିଛି। ଏ ନେଇ ଏକ ମାମଲା( ନଂ. ୪/୧୭)ରୁଜୁ ହୋଇଛି। ସୂଚନା ମୁତାବକ, ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ କୋଇଲା ଡିପୋ କରି କୋଇଲା ଓ ଲାମକୋକ ବାହାର ରାଜ୍ୟକୁ ଚୋରା ଚାଲାଣ କରାଯାଉଥିବା ନେଇ ଏସଟିଏଫ ଜାଣିବାକୁ ପାଇଥିଲା। ଶନିବାର ସନ୍ଧ୍ୟାରେ ଏସଟିଏଫ ଚୌଦ୍ୱାର ଥାନା ଅଞ୍ଚଳରେ ଥିବା ଧବଳେଶ୍ୱର କୋଇଲା ଡିପୋରେ ଚଢ଼ାଉ କରିଥିଲା। ୯ଟି ଟ୍ରକରେ ୩୨ମେଟ୍ରିକ ଟନ ଲାମକୋକ ଚୋରା ଚାଲାଣ ନେଇ ଲୋଡିଂ ହୋଇଥିବା ବେଳେ ଏସଟିଏଫ ଜବତ କରିଥିଲା। ଏଥିସହ ବେଆଇନ ଭାବେ ୨୨ ମେଟ୍ରିକ ଟନ ଲାମକୋକ ଡିପୋରେ ମହଜୁତ ରହିଥିଲା। କୌଣସି କାଗଜପତ୍ର ଉକ୍ତ ଡିପୋରେ ନଥିବାରୁ ସମସ୍ତ ଲାମକୋକକୁ ଜବତ କରାଯାଇଥିଲା।

Share