ଢିଙ୍କିଆ ଲାଠିମାଡ଼ ଘଟଣା ହାଇକୋର୍ଟରେ ୨ ଜନସ୍ବାର୍ଥ ମାମଲା

କଟକ ଅଫିସ,୧୯।୧: ଜଗତ୍‌ସିଂହପୁର ଜିଲା ଢିଙ୍କିଆରେ ନିକଟରେ ଜେଏସ୍‌ଡବ୍ଲ୍ୟୁ କମ୍ପାନୀ ନିମନ୍ତେ ପ୍ରଶାସନର ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିରୋଧ କରୁଥିବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପୋଲିସ ଅମାନୁଷିକ ଭାବେ ଲାଠିମାଡ଼ କରିଥିଲା। ଏହି ଘଟଣାରେ ମଙ୍ଗଳବାର ହାଇକୋର୍ଟରେ ୨ଟି ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ଆଇନଜୀବୀ କ୍ଷୀରୋଦ ରାଉତ, ଦୀପକ କୁମାର ମହାପାତ୍ର, କବିରାଜ ପ୍ରଧାନ ଏବଂ ଜଣେ ସ୍ଥାନୀୟ ମହିଳାଙ୍କ ପକ୍ଷରୁ ଏହି ମାମଲା କରାଯାଇଛି। ଏଥିରେ ମୁଖ୍ୟ ଶାସନ ସଚିବ, ରାଜସ୍ବ ବିଭାଗ ସଚିବ, ଜେଏସ୍‌ଡବ୍ଲ୍ୟ କମ୍ପାନୀ, ଜଗତ୍‌ସିଂହପୁର ଏସ୍‌ପି ଓ ଏର୍‌ସମା ତହସିଲଦାରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆଇନଜୀବୀ ସୁକାନ୍ତ ଦଳେଇ ଓ ଓମ୍‌କାର ଦେବଦାସ ମାମଲା ପରିଚାଳନା କରୁଛନ୍ତି। ସମ୍ବିଧାନର ନିୟମ ଅନୁସାରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମାନବାଧିକାର ସୁରକ୍ଷା ଯୋଗାଇ ଦିଆଯିବାକୁ ଆବେଦନରେ ଦର୍ଶାଯାଇଛି। ଏଥିସହ ଅଦାଲତଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପାନବରଜ ଭଙ୍ଗା ନ ଯାଉ, ଆହତଙ୍କୁ ମାଗଣା ଚିକିତ୍ସା, କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ, ଜୋର ଜବରଦସ୍ତ ଉଚ୍ଛେଦ ବନ୍ଦପାଇଁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟଙ୍କୁ ନିକଟରେ ପ୍ରାର୍ଥନା କରାଯାଇଛି। ସେହିପରି ପୋଲିସ ବ୍ୟାରିକେଡ ହଟାଇବା ସହ ନିରପେକ୍ଷ ସଂସ୍ଥାଦ୍ୱାରା ତଦନ୍ତ କରାଯିବାକୁ ଆବେଦନକାରୀ ଦର୍ଶାଇଛନ୍ତି। ଢିଙ୍କିଆ ଘଟଣାରେ ୨ଟି ମାମଲା ଦାୟର ହୋଇଥିବାବେଳେ ଗୋଟିଏ ମାମଲାର ଶୁଣାଣି ଆସନ୍ତା ୨୧ରେ କରାଯିବାକୁ ଦିନ ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି।

Share