ରଜନୀକାନ୍ତ ମହାରଣା
ଖମାର,୨୧ା୭ – ଚାଷକୁ ନେଇ ଚାଷୀ ଗର୍ବ ଅନୁଭବ କରେ। ସର୍ବୋଚ୍ଚ ସମ୍ମାନ ବୋଲି ଭାବେ। ଅନ୍ନଦାତାର ପରିଚୟ ଚାଷୀଙ୍କୁ ଅଧିକ ଆତ୍ମବିଶ୍ୱାସୀ କରେ। ଆନନ୍ଦ ଦିଏ। ସେଥିପାଇଁ କଠିନ ପରିଶ୍ରମ କରିବାକୁ ସେ କେବେ କୁଣ୍ଠିତ ହୁଏନାହିଁ। ମୁଣ୍ଡଝାଳ ତୁଣ୍ଡରେ ମାରି ବର୍ଷସାରା ସମସ୍ତଙ୍କୁ ଆହାର ଯୋଗାଇ ଚାଲିଥାଏ। ହେଲେ ସାମ୍ପ୍ରତିକ ତୈଳଦର ବୃଦ୍ଧି ସେହି ଆହାର ଉପରେ ପାହାର ଦେବାଭଳି ହୋଇଛି। ଆଧୁନିକ କୃଷି ପ୍ରଣାଳୀ ବା ବିଭିନ୍ନ କୃଷି ଯନ୍ତ୍ରପାତି ବ୍ୟବହାର କରୁଥିବା କୃଷକମାନେ ଏହାଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଥିବାବେଳେ ପାରମ୍ପରିକ ପଦ୍ଧତିରେ ଚାଷ କରୁଥିବା ଚାଷୀମାନେ ମଧ୍ୟ ବାଦ୍ ପଡ଼ିନାହାନ୍ତି। ନିୟମିତ ବଢ଼ୁଥିବା ଡିଜେଲ ଦର ଯୋଗୁ ବିହନ, ସାର ଏବଂ ଔଷଧ ସହ ମେଶିନରେ ଜମି ଚଷିବା ଖର୍ଚ୍ଚ ଦୁଇଗୁଣା ହୋଇଯାଇଛି। ଏହା ଚାଷୀଙ୍କ ସ୍ବାଭିମାନକୁ ଆଘାତ ଦେଉଥିବାରୁ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇବାକୁ ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଖମାର ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି।
ଶିଳ୍ପବିହୀନ ପାଲଲହଡ଼ା ବ୍ଲକର ଖମାର ଏକ କୃଷିବହୁଳ ଅଞ୍ଚଳ। ଏଠାକାର ସହସ୍ରାଧିକ ଚାଷୀ କେବଳ ଚାଷ ଉପରେ ନିର୍ଭର କରନ୍ତି। ଧାନ ଏଠାକାର ପ୍ରମୁଖ ଫସଲ ହୋଇଥିବାବେଳେ କେତେଜଣ ଚାଷୀ ପରିବା ଚାଷ କରିଥାନ୍ତି। ଦୀର୍ଘ ଦେଢ଼ବର୍ଷ ହେବ ମହାମାରୀ କରୋନା ଯୋଗୁ ଆୟର ଅନ୍ୟ କୌଣସି ଉତ୍ସ ଲୋକେ ପାଉନାହାନ୍ତି। ତେଣୁ ଅଧିକରୁ ଅଧିକ ବ୍ୟକ୍ତି କୃଷିକ୍ଷେତ୍ରକୁ ଓହ୍ଲାଇଥିବା ବେଳେ ଦେଶ ବିଦେଶରୁ ଫେରିଥିବା ସ୍ଥାନୀୟ ଅଞ୍ଚଳର ଯୁବପିଢ଼ି ମଧ୍ୟ ଚାଷକୁ ଆପଣାଇବାକୁ ବାଧ୍ୟ ହୋଇଛନ୍ତି। ଏହି ପ୍ରବାସୀମାନଙ୍କ ହାତକୁ କାମ ଦେବା ଉଦ୍ଦେଶ୍ୟରେ ସରକାର ଟ୍ରାକ୍ଟର, ପାଓ୍ବାରଟିଲରଠାରୁ ଆରମ୍ଭ କରି ବିଭିନ୍ନ କୃଷି ଯନ୍ତ୍ରପାତି ଉପରେ ଆକର୍ଷଣୀୟ ସବ୍ସିଡି ପ୍ରଦାନ କରୁଛନ୍ତି। ଫଳରେ ଖମାର, ଶଙ୍ଖମୁର, ବଡ଼ସଡ଼ା, କରଡ଼ାପାଳ, ପରାଛାଟ, ରଜଡ଼ଙ୍ଗ, ଇଞ୍ଜିଡ଼, ଆଲୋରୀ, ରୋହିଲା, ମୁଣ୍ଡୁରିବେଡା, କୁଞ୍ଜାମ ଆଦି ପଞ୍ଚାୟତର ୨ଶହରୁ ଅଧିକ ଚାଷୀ ଟ୍ରାକ୍ଟର ଓ ୩୦୦ରୁ ଊର୍ଦ୍ଧ୍ୱ ଚାଷୀ ପାୱାରଟିଲର ସହ ଅନ୍ୟ କୃଷି ଯନ୍ତ୍ରପାତି ବ୍ୟବହାର କରୁଛନ୍ତି। ସେହିପରି ବହୁ ଚାଷୀ ହଳବଳଦଠାରୁ ଦୂରେଇ ଯାଇଥିବାରୁ ସେମାନେ ଜମି ଚଷିବାକୁ ଏହି ଟ୍ରାକ୍ଟର ଓ ପାଓ୍ବାରଟିଲର ମାଲିକମାନଙ୍କୁ ଘଣ୍ଟା ପ୍ରତି ଭଡ଼ା ପ୍ରଦାନ କରିଥାନ୍ତି। କିନ୍ତୁ କିଛିମାସ ହେଲା ନିୟମିତ ଭାବେ ଡିଜେଲ ଦର ବୃଦ୍ଧି ପାଇ ଏବେ ଲିଟର ପ୍ରତି ଶହେ ଟଙ୍କା ପାଖାପାଖି ହୋଇଥିବାରୁ ମେଶିନ ମାଧ୍ୟମରେ ହଳ କରିବା ଚାଷୀଙ୍କ ପାଇଁ ମହଙ୍ଗା ହୋଇଯାଇଛି। ପୂର୍ବରୁ ଘଣ୍ଟା ପ୍ରତି ଟ୍ରାକ୍ଟର ମାଲିକ ୮୦୦ରୁ ୧୦୦୦ ଟଙ୍କା ନେଉଥିବା ବେଳେ ଏବେ ୧୫୦୦ରୁ ୧୬୦୦ ଟଙ୍କା ଦାବି କରୁଛନ୍ତି। ସେହିପରି ପୂର୍ବରୁ ପାୱାରଟିଲର ମାଲିକ ଘଣ୍ଟା ପ୍ରତି ୫୦୦ରୁ ୬୦୦ ଟଙ୍କା ନେଉଥିବା ବେଳେ ଏବେ ୮୦୦ ରୁ ୧୦୦୦ ଟଙ୍କା ଦେବାକୁ ବାଧ୍ୟ କରୁଛନ୍ତି। ଖୋଲା ବଜାରରେ ମିଳୁଥିବା ବିହନ, ସାର ଓ ଔଷଧର ମୂଲ୍ୟ ମଧ୍ୟ ବଢ଼ିଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧିକୁ ଦେଖି ମୂଲିଆମାନେ ଅଧିକ ମଜୁରି ଦାବି କରୁଥିବାରୁ ଚାଷୀ ଅଧିକ ଖର୍ଚ୍ଚାନ୍ତର ସମ୍ମୁଖୀନ ହେଉଥିବା ଖମାର ଅଞ୍ଚଳର ଚାଷୀମାନେ ପ୍ରକାଶ କରିଛନ୍ତି।
ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ହେଉ
ଅନେକ ଚାଷୀ ଏବେ ଆଧୁନିକ କୃଷି ପ୍ରଣାଳୀ ଆପଣେଇଲେଣି। ସେମାନେ ପାଓ୍ବାରଟିଲର, ଟ୍ରାକ୍ଟର ସହ ଅନ୍ୟ କୃଷି ଯନ୍ତ୍ରପାତି ବ୍ୟବହାର କରୁଛନ୍ତି। ସରକାର ମଧ୍ୟ ଏପରି ଚାଷ ଓ ଚାଷୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। କିନ୍ତୁ ତୈଳ ଦର ଯେପରି ବଢ଼ିଚାଲିଛି କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯିବା ଜରୁରୀ ହୋଇପଡ଼ିଛି।
-ଗୋପବନ୍ଧୁ ସାହୁ, ଚାଷୀ, ଓଡ଼ଶ
କ୍ଷତି ଭରଣା କଷ୍ଟକର ହେବ
ତୈଳ ଦର ବୃଦ୍ଧି ଚାଷ କାର୍ଯ୍ୟକୁ ପ୍ରଭାବିତ କରୁଛି। ଯେଉଁ ଚାଷୀମାନେ କୃଷି ଯନ୍ତ୍ରପାତି ବ୍ୟବହାର କରୁଛନ୍ତି, ସେମାନେ ଏହାଦ୍ୱାରା ଅଧିକ ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି। କରୋନା ସମୟରେ ଚାଷ ଅନେକ ଲୋକଙ୍କ ମୁଖ୍ୟ ଆୟ ହୋଇଥିବାରୁ ସରକାର ତୈଳ ଦର ହ୍ରାସ ନ କଲେ ଚାଷୀଙ୍କ କ୍ଷତି ଭରଣା କଷ୍ଟକର ହୋଇପଡ଼ିବ।
-ମୁକେଶ କୁମାର ପ୍ରଧାନ, ଚାଷୀ, ଖମାର
ଦୁଇଗୁଣା ହେଲାଣି ଖର୍ଚ୍ଚ
ପୂର୍ବରୁ ଚାଷ କାର୍ଯ୍ୟରେ ଯେତିକି ଅର୍ଥ ଖର୍ଚ୍ଚ ହେଉଥିଲା, ତୈଳ ମୂଲ୍ୟ ବୃଦ୍ଧି ପରେ ତାହା ବଢ଼ିଯାଇଛି। ଟ୍ରାକ୍ଟରରେ ଜମି ହଳ କରିବାଠାରୁ ଆରମ୍ଭ କରି ବିହନ, ସାର ଆଦି ପ୍ରତିଟି ସାମଗ୍ରୀ ଦର ବୃଦ୍ଧି ଘଟିଛି। ତେଣୁ ଦୁଇଗୁଣା ଖର୍ଚ୍ଚକୁ ନେଇ ଚାଷୀ ହତାଶ ହୋଇପଡ଼ିଛି। କୃଷିଜାତ ସାମଗ୍ରୀର ଦର ଦୁଇଗୁଣା କରାଯିବା ଦରକାର।
-କମଳ ଲୋଚନ ପ୍ରଧାନ, ଚାଷୀ, ପିଟା
ସରକାର ଚିନ୍ତନ କରନ୍ତୁ
ଚାଷୀ ଦେଶର ମେରୁଦଣ୍ଡ। ହେଲେ କେନ୍ଦ୍ର ସରକାର ନିୟମିତ ଭାବେ ତୈଳ ଦର ବୃଦ୍ଧି କରି ଦେଶର ସେହି ମେରୁଦଣ୍ଡକୁ ଦୋହଲାଇ ଦେଇଛନ୍ତି। ଧାନ ଓ ତୈଳବୀଜ ଫସଲର ମୂଲ୍ୟ ସେପରି ବଢ଼ାଯାଉ ନ ଥିବା ବେଳେ ଅଭାବୀ ବିକ୍ରି ଓ ମଣ୍ଡି ସମସ୍ୟାର ସମ୍ମୁଖୀନ ହେଉଛି ଚାଷୀ। ଏ ବିଷୟରେ ସରକାର ଚିନ୍ତନ କରନ୍ତୁ।
-କ୍ଷେତ୍ରବାସୀ ସାହୁ, ଚାଷୀ, ବାରକୋଟିଆ