ଏବେ ବି ରହସ୍ୟ ଘେରରେ ରତ୍ନଭଣ୍ଡାର: ଖୋଲିବାକୁ ଉଦ୍ୟମ କରିଥିବା ସରକାରଙ୍କ ପତନ ଘଟିଛି

ଭୁବନେଶ୍ୱର,୧ା୩:ଦ୍ୱାଦଶ ଶତାବ୍ଦୀର ବିଶ୍ୱ ପ୍ରସିଦ୍ଧ ଐତିହ୍ୟ ପୁରୀ ଶ୍ରୀମନ୍ଦିରରେ ଥିବା ରତ୍ନଭଣ୍ଡାର ଏବେ ବି ଲୋକଙ୍କ ପାଇଁ ଏକ ରହସ୍ୟ ହୋଇ ରହିଛି। ମହାପ୍ରଭୁଙ୍କର ଦୁଇଟି ରତ୍ନଭଣ୍ଡାର ଅଛି। ଗୋଟିଏ ଭିତର ଓ ଅନ୍ୟଟି ବାହାର ରତ୍ନଭଣ୍ଡାର। ପ୍ରତିବର୍ଷ ରଥଯାତ୍ରା ଓ ମହାପ୍ରଭୁଙ୍କ ଅନ୍ୟାନ୍ୟ ଯାନିଯାତ୍ରା ସମୟରେ ବାହାର ରତ୍ନଭଣ୍ଡାରରୁ ରତ୍ନ ଆଭୂଷଣ ଅଣାଯାଇ ବେଶ କରାଯାଇଥାଏ। କିନ୍ତୁ ଭିତର ରତ୍ନଭଣ୍ଡାର ବନ୍ଦ ରହିଥିବାରୁ ସେଠାରେ କେତେ ପରିମାଣର ଆଭୂଷଣ ରହିଛି ତା’ର ସବିଶେଷ ବିବରଣୀ କାହା ପାଖରେ ନାହିଁ। ଏପରି କି ଭିତର ରତ୍ନଭଣ୍ଡାରରେ ୭ଟି ଭଣ୍ଡାର ଘର ଥିବା କୁହାଯାଉଛି। ଭିତର ରତ୍ନଭଣ୍ଡାରକୁ ଖୋଲିବା ପାଇଁ ଅତୀତରେ କ୍ୱଚିତ୍‌ ଉଦ୍ୟମ ହୋଇଛି। ତଥ୍ୟ ମୁତାବକ ନୀଳମଣି ରାଉତରାୟ ୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ ଓଡ଼ିଶାର ଦଶମ ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ ଅମଳରେ ୧୯୭୮ ମେ’ ୧୩ରୁ ଜୁଲାଇ ୨୩ ମଧ୍ୟରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ସେତେବେଳେ
ଭଣ୍ଡାରରେ ଥିବା ଅଳଙ୍କାରଗୁଡ଼ିକୁ ଗଣତି କରାଯାଇଥିଲା। ଏହା ପରେ ୧୯୮୦ ମେ’ରେ ଅନୁଷ୍ଠିତ ରାଜ୍ୟ ବିଧାନସଭା ନିର୍ବାଚନରେ ନୀଳମଣିଙ୍କ ନେତୃତ୍ୱାଧୀନ ଜନତା ଦଳ ସରକାରର ପତନ ଘଟିଥିଲା। ଏହି ନିର୍ବାଚନରେ କଂଗ୍ରେସ ସରକାର ଗଠନ କରିଥିଲା। କଂଗ୍ରେସ ନେତା ଜାନକୀ ବଲ୍ଲଭ ପଟ୍ଟନାୟକ (୧୯୮୦-୧୯୮୯) ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୮୫ ଜୁଲାଇ ୧୪ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ ହୋଇଥିଲା। ପରବର୍ତ୍ତୀ ସମୟରେ ୧୯୮୯ ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିଲା। ଏଥିଯୋଗୁ ଜାନକୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା।

Share