ଏବେ ବି ୧୨ ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର,୨୫ା୭(ଅନିଲଦାସ):ଲଘୁଚାପ ପରେ ଲଘୁଚାପ ହେଉଛି। ଚଳିତ ମାସରେ ୫ରୁ ଅଧିକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ମାତ୍ର ଆଶାନୁରୂପ ବର୍ଷା ହେଉନାହିଁ। ଜୁଲାଇ ମାସ ଶେଷ ହେବାକୁ ବସିଥିଲେ ମଧ୍ୟ ଚାଷ କାମ ଆରମ୍ଭ ହୋଇପାରି ନାହିଁ। ଚାଷୀମାନେ ତଳି ପକାଇ ବର୍ଷାକୁ ଚାହିଁ ରହିଛନ୍ତି। ଏବେ ରାଜ୍ୟର ଅଧା ଜିଲାରେ ବର୍ଷା ଅଭାବ ଦେଖାଦେଇଛି। ରାଜ୍ୟରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଗଲାଣି। ଜୁନ ୧ରୁ ଜୁଲାଇ ୨୪ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୪୦୫୮.୭ ମିଲିମିଟର ବର୍ଷା ହେବାକୁ ଥିବାବେଳେ ହୋଇଛି ୪୦୧.୩ ମିଲିମିଟର। ୧୨ ଜିଲାରେ ପରିସ୍ଥିତି ସଙ୍ଗିନ ରହିଛି।
ଭାରତୀୟ ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ମୁତାବକ କଳାହାଣ୍ଡିରେ ସର୍ବାଧିକ ୪୦ ପ୍ରତିଶତ କମ୍‌ ବର୍ଷା ହୋଇଥିବାବେଳେ ନବରଙ୍ଗପୁର ୪୩, କେନ୍ଦ୍ରାପଡ଼ା ୩୩, ଦେବଗଡ଼ ୩୦, ବାଲେଶ୍ୱର ୨୮, କଟକ ୨୮, ଗଞ୍ଜାମ ୩୦, ଜଗତ୍‌ସିଂହପୁର ୨୩, ଯାଜପୁର ୨୭, କନ୍ଧମାଳ ୨୧, ଖୋର୍ଦ୍ଧା ୨୩, ମୟୂରଭଞ୍ଜ ୩୪, ପୁରୀ ୩୦ ଏବଂ ରାୟଗଡ଼ାରେ ସର୍ବନିମ୍ନ ୨୩ ପ୍ରତିଶତ କମ୍‌ ବର୍ଷା ରେକର୍ଡ କରାଯାଇଛି। ତେବେ ସୋମବାର ପଶ୍ଚିମ କେନ୍ଦ୍ରୀୟ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଉକ୍ତ ଲଘୁଚାପ ରାଜ୍ୟରେ ବର୍ଷାର ପରିମାଣ ବଢ଼ାଇବା ନେଇ ପାଣିପାଗ ବିଜ୍ଞାନୀ ଆଶଙ୍କା ବ୍ୟକ୍ତ କରିଛନ୍ତି। ଲଘୁଚାପ ପ୍ରଭାବରେ ମଙ୍ଗଳବାର ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବା ଆଶା କରାଯାଉଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, ମାଲକାନଗିରି, କୋରାପୁଟ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲା ପାଇଁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଏହି ସମୟରେ ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତ୍‌ସିଂହପୁର ଏବଂ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲାଗୁଡ଼ିକ ପାଇଁ ଏଲୋଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ୨୬ ତାରିଖରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ବିଶେଷକରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲାର କେତେକ ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ପରିମାଣରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲା ପାଇଁ ଅରେଞ୍ଜଓ୍ବାର୍ନିଂ ଜାରି କରାଯାଇଛି। ଏଥିସହିତ ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ବୌଦ୍ଧ, କଟକ, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର, ସୋନପୁର, ବରଗଡ଼ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଏଲୋଓ୍ବାର୍ନିଂ ଜାରି କରାଯାଇଛି।
ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ କେତେକ ସ୍ଥାନରେ ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କଟକ, ନବରଙ୍ଗପୁରରେ ୨୪.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Share