ବୁଝାମଣା ପାଇଁ ଏବେ ବି ଆଶାବାଦୀ

ମସ୍କୋ, ୨୮ା୪: ୟୁକ୍ରେନ୍‌ ସଙ୍କଟ ଭିତରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ମସ୍କୋରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଭେଟିଛନ୍ତି। ଏବେ ବି ଆଲୋଚନା ମାଧ୍ୟମରେ ୟୁକ୍ରେନ୍‌ ସହ ବୁଝାମଣା ନିମନ୍ତେ ଆଶାବାଦୀ ଥିବା ପୁଟିନ୍‌ ଜାତିସଂଘ ମହାସଚିବଙ୍କୁ କହିଛନ୍ତି। ୟୁକ୍ରେନ୍‌ରେ ସାମରିକ ଅଭିଯାନ ଚାଲିଥିଲେ ବି କୂଟନୈତିକ ରାସ୍ତାରେ କୌଣସି ନିଷ୍କର୍ଷରେ ପହଞ୍ଚିବାକୁ ମସ୍କୋ ପ୍ରସ୍ତୁତ। ଆଲୋଚନାକୁ ଆମେ ବିରୋଧ କରୁନାହୁଁ ବୋଲି ପୁଟିନ୍‌ ଗୁଟେରସ୍‌ଙ୍କୁ କହିଛନ୍ତି। କ୍ରେମେଲିନ୍‌ରେ ଗୁଟେରସ୍‌ଙ୍କଠାରୁ ଯଥେଷ୍ଟ ଦୂରତ୍ୱ ଅବଲମ୍ବନ କରି ପୁଟିନ୍‌ ଆଲୋଚନା କରିଥିଲେ। ବୁଚା ଗଣହତ୍ୟା କରିଥିବା ବାହାନାରେ ଆଲୋଚନାକୁ ଟାଳି ଦିଆଯାଉଛି। ବୁଚାରେ କୌଣସି ପ୍ରକାର ଉତ୍ତେଜନା ଯୋଗୁ ଏପରି ହୋଇଥିଲେ ବି ଏଥିପାଇଁ ରୁଷିଆକୁ ଦାୟୀ କରାଯାଉଛି। କିନ୍ତୁ ଏଭଳି କାର୍ଯ୍ୟ କାହାର ହୋଇପାରେ ତାହା ଆମକୁ ବେଶ୍‌ ଜଣା ବୋଲି ପୁଟିନ୍‌ କହିଛନ୍ତି।

Share