ବରଗଡ଼ ଅଫିସ,୯ା୪: ବରଗଡ଼ ସହର ବ୍ରହ୍ମବିହାରସ୍ଥିତ ଶ୍ରୀରାମ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଚୋରମାନେ ମନ୍ଦିର ମଧ୍ୟରେ ଥିବା ଦାନବାକ୍ସ, ମହାପ୍ରଭୁଙ୍କ ଦରବାର, ପିତ୍ତଳ ନିର୍ମିତ ରାମ, ଲକ୍ଷ୍ମଣ ସୀତାଙ୍କ ମୂର୍ତ୍ତି ଆଦି ଚୋରି କରି ନେଇଛନ୍ତି। ମନ୍ଦିର ମଧ୍ୟରେ ରହିଥିବା ବଡ଼ ଦାନବାକ୍ସକୁ ଭାଙ୍ଗିଥିବାବେଳେ ଚୋରମାନେ ଅନ୍ୟ ଏକ ସାନ ଦାନବାକ୍ସକୁ ନେଇ ଯାଇଛନ୍ତି । ଖବର ପାଇ ଶନିବାର ସକାଳେ ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହା ସହିତ ମନ୍ଦିର ପରିସରରେ ଚୋରମାନେ ପକାଇ ଦେଇଥିବା ଭଙ୍ଗା ତାଲା, ପ୍ରଭୁଙ୍କ ପୋଷାକ ଆଦିକୁ ପୋଲିସ ଜବତ କରି ଅଧିକ ତଦନ୍ତ କରୁଛି। ମନ୍ଦିର ନିକଟରେ ରହିଥିବା ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ କରୁଛି। ସେହି ଫୁଟେଜରୁ ଏଥିରେ ୩ ଜଣ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି। ଜଣେ ରାସ୍ତାରେ ବାଇକ୍ରେ ଥିବାବେଳେ ଅନ୍ୟ ୨ ଜଣ ମନ୍ଦିର ଭିତରକୁ ପଶୁଥିବା ସିସିଟିଭିରେ କଏଦ ହୋଇଛି । ଗତ କିଛିମାସ ହେଲା ଚୋରମାନେ ବିଭିନ୍ନ ମନ୍ଦିରକୁ ଟାର୍ଗେଟ୍ କରି ଚୋରି କରୁଥିବାବେଳେ ଏହା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଛି।