ଲକ୍ଷ୍ମୀମନ୍ଦିରରୁ ହୁଣ୍ଡି ତାଡି ଚୋରି

କେନ୍ଦୁଝର,୩।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର କାଶିପୁର ନିକଟ ଲକ୍ଷ୍ମୀମନ୍ଦିରରୁ ଗତକାଲି ଦୁବୃର୍ତ୍ତମାନେ ହୁଣ୍ଡିତାଡି ଟଙ୍କା ଓ ସୁନା ଚୋରି କରି ନେଇଛନ୍ତି। ଦୁବୃର୍ତ୍ତମାନେ ମନ୍ଦିର ପରିସରରେ ଥିବା ହୁଣ୍ଡି ବାହାରକୁ ଘୋଷାରି ନେଇଥିଲେ। ପରେ ଏହାକୁ ତଳେ ପକାଇ ଭାଙ୍ଗି ସେଥିରୁ ଟଙ୍କା,ସୁନା ଅଳଙ୍କାର ଲୁଟି ନେଇଛନ୍ତି। ମନ୍ଦିର ପ୍ରତିଷ୍ଠା ହେବା ଦିନଠାରୁ ଦୀର୍ଘ ୧ବର୍ଷରୁ ଅଧିକ ଏହି ହୁଣ୍ଡି ଖୋଲାଯାଇ ନ ଥିଲା। ଏଣୁ ଏଥିରେ କେତେ ଟଙ୍କା ଓ ସୁନା ଥିଲା ତାହା ଜଣାପଡିନାହିଁ। ଏ ନେଇ ଲକ୍ଷ୍ମୀପୂଜା କମିଟି, କାଶିପୁରର ସମ୍ପାଦକ କୁମର ସେନାପତି ଟାଉନ ଥାନାରେ ଅଭିଯୋଗ କଲାପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଗତମାସ କେନ୍ଦୁଝର ସହରରେ ୧୦ରୁ ଉର୍ଦ୍ଧ ଦୋକାନ ଓ ଘରୁ ଚୋରି ହୋଇଥିବାବେଳେ ଚୋର ଧରାପଡୁ ନ ଥିବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ପୂର୍ବରୁ ସହରର ମୁଖ୍ୟ ରାସ୍ତା କଡରେ ଥିବା ଦୁଇଟି ଦୋକାନରୁ ପାଖାପାଖି 80ହଜାର ଟଙ୍କା ଚୋରି ହୋଇଥିଲେ ହଁ ଚୋରଙ୍କ ପତ୍ତା ମିଳିନାହିଁ।