Categories: ଗଞ୍ଜାମ

ମିଳିଗଲା ଚୋରି ହୋଇଥିବା କେଜିକେଜି ରୁପା, ସୁନା

ଛତ୍ରପୁର,୧୩।୭: ବ୍ୟବସାୟୀଙ୍କଠାରୁ ସୁନା ଓ ରୁପା ଅଳଙ୍କାର  ଲୁଟ୍‌ ଘଟଣାରେ ଚମାଖଣ୍ଡି ପୋଲିସ ସଫଳ ହୋଇଛି। ଏହି ଘଘଟଣାରେ ସମ୍ପୃକ୍ତ ଆସିକା କରାତଳି ଗ୍ରାମର ଏ ଶିବାଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୭୮ ଗ୍ରାମ ସୁନା, ୧୧କେଜି ୬୦୦ ଗ୍ରାମ ରୁପା ଅଳଙ୍କାର ଜବତ କରିଛି। ଏହା ସହ ପୋଲିସ  ଏକ ଗାଡିକୁ ମଧ୍ୟ ଜବତ କରିଛି। ଏହି ଘଟଣାରେ ଅନ୍ୟଜଣେ ମଧ୍ୟ ସମ୍ପୃକ୍ତ ଅଛନ୍ତି, ସେ ଏବେ ବି ଫେରାର ଅଛନ୍ତି। ତାଙ୍କୁ ଖୁବଶ୍ରୀଘ ଧରାଯିବ ବୋଲି ପୋଲିସ କହିଛି।
ସୂଚନାଯୋଗ୍ୟ, ମଙ୍ଗଳବାର ପୁରୁଷୋତ୍ତମପୁର ଅଞ୍ଚଳର ସୁନା ବ୍ୟବସାୟୀ ସୁରେନ୍ଦ୍ର ସେନାପତି ସୁନା ଓ ରୁପା ଅଳଙ୍କାର ବ୍ୟାଗ ରଖି ଚମାଖଣ୍ଡି ଥାନା ଅଧୀନ ବଡ଼କୁଶସ୍ଥଳିରେ ଏକ ଦୋକାନକୁ ଖାଇବାକୁ ଯାଇଥିଲେ। ତେବେ ଫେରିବା ପରେ  ଗାଡ଼ିରେ ବ୍ୟାଗ ନ ଥିବା ଦେଖିବାକୁ ପାଇଥିଲେ । ଏନେଇ  ସେନାପତି ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରି ଉକ୍ତ ସ୍ଥାନରେ ଥିବା ସିସିଟିଭି ଯାଞ୍ଚ କରିଥିଲା।  ଦୁଇଜଣ ବ୍ୟକ୍ତି ଏକ ବାଇକ୍‌ରେ ଆସି ସ୍କୁଟି ଆଗରେ ଥିବା ଅଳଙ୍କାର ବ୍ୟାଗ ନେଉଥିବା ଜଣାପଡିବା ପରେ ପୋଲିସ  ଛାନଭିନ୍‌ କରିଥିଲା।  ପରେ ଆସିକା ପୋଲିସ ସହାୟତା ନେଇ ଶିବାକୁ ଚମାଖଣ୍ଡି ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ପୋଲିସ  ଜବତ କରିଥିବା ଅଳଙ୍କାରକୁ ବ୍ୟବସାୟୀଙ୍କୁ ହସ୍ତାନ୍ତର କରିଛି।