ଚୋରି ହୋଇଥିବା ନଗରପାଳଙ୍କ ଟ୍ରକ୍‌ ଜବତ

ଅନୁଗୋଳ ଅଫିସ, ୨୮ା୨: ଅନୁଗୋଳ ନଗରପାଳ ଅକ୍ଷୟ କୁମାର ସାମନ୍ତଙ୍କ ଟ୍ରକ୍‌ ଅମଲାପଡ଼ା ୬ଷ୍ଠ ଲେନ୍‌ରୁ ଚୋରି ହୋଇଥିବା ବେଳେ ତାହାକୁ ପୋଲିସ ଅନ୍ୟସ୍ଥାନରୁ ଜବତ କରିଛି। ପୋଲିସ କହିଛି, ଟ୍ରକ୍‌ ଚୋରି ସମ୍ପର୍କରେ ଅଭିଯୋଗ ପରେ ନଂ. ୧୦୨/୨୩ରେ ମାମଲା ରୁଜୁ ହୋଇ ତଦନ୍ତ କରାଯାଇଥିଲା। ନଗରପାଳଙ୍କ ଟ୍ରକ୍‌ (ନଂ ଓଡ଼ି-୧୯ -ଏମ୍‌-୨୯୦୧) ରବିବାର ରାତିରେ ଅମଲାପଡ଼ାର ୬ଷ୍ଠ ଲେନ୍‌ର ରାସ୍ତା ଉପରେ ଛିଡ଼ା ହୋଇଥିଲା। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଉକ୍ତ ଟ୍ରକ୍‌କୁ ଚୋରାଇ ନେଇଯାଇଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି। ଅନ୍ୟପଟେ ଉକ୍ତ ଟ୍ରକ୍‌କୁ ନାଲ୍‌କୋ ଥାନା କୁଲାଡ଼ ସ୍କୁଲ ସମ୍ମୁଖରୁ ଅନୁଗୋଳ ଥାନା ଏସଆଇ ପ୍ରଶାନ୍ତ ପ୍ରଧାନ ଜବତ କରିଛନ୍ତି। ରାସ୍ତାରେ ଦୁର୍ବୃତ୍ତ ଟ୍ରକ୍‌ ଛାଡ଼ି ଦେଇ ଚାଲିଯାଇଥିବା ଜଣାପଡ଼ିଛି। ପରେ ନଗରପାଳଙ୍କ ପୁଅଙ୍କୁ ଉକ୍ତ ଟ୍ରକ ପ୍ରଦାନ କରାଯାଇଥିବା ଅନୁଗୋଳ ଥାନା ପକ୍ଷରୁ ସୂଚନା ଦିଆଯାଇଛି।