ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରରୁ ଖସିଲା ପଥର

ଖଲ୍ଲିକୋଟ,୨୦ା୯(ଡି.ଏନ.ଏ.): ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ତଥା ବହୁ ପୁରାତନ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ପ୍ରତି ବିପଦ ଘନେଇଲା। ସୋମବାର ଭୋରରେ ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ଗୁମୁଟରୁ ଦୁଇଟି ସ୍ଥାନରୁ ପଥର ଖସି ତଳେ ପଡିଥିଲା। ପ୍ରାୟ ୩ ଶହ ବର୍ଷର ଏହି ପୁରାତନ ଜଗନ୍ନାଥ ମନ୍ଦିର ଅନନ୍ୟ କାରୁକାର୍ଯ୍ୟ ବିମଣ୍ଡିତ ଓ ଏହା ସମ୍ପୂର୍ଣ୍ଣ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ନିର୍ମିତ ହୋଇଥିବାରୁ ଏହାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି ମଧ୍ୟ କୁହନ୍ତି। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଏହି ମନ୍ଦିର ଏବେ ଭୁଶୁଡିବା ଅବସ୍ଥାକୁ ଚାଲି ଆସିଲାଣି। ମନ୍ଦିର ଉପରେ ବଡ଼ ବଡ଼ ଗଛ ଉଠିବା ସହ ସାମାନ୍ୟ ବର୍ଷା ହେଲେ ଗର୍ଭଗୃହ, ସିଂହାସନ, ସିଂହଦ୍ୱାର, ଚନ୍ଦନ ଅର୍ଗଳି ଆଦିରେ ପାଣି ଗଳୁଛି। ସମ୍ପୂର୍ଣ୍ଣ ପଥରରେ ନିର୍ମିତ ଏହି ମନ୍ଦିରରେ ପାଣି ଗଳି ସପୋର୍ଟିଂ ଲୁହା ଖାଇଯିବା ଦ୍ୱାରା ଦୁର୍ବଳ ହୋଇ ପଡ଼ିଲାଣି। ଯାହାଦ୍ୱାରା ବର୍ତ୍ତମାନ ପଥର ଖସିବା ଆରମ୍ଭ ହୋଇଗଲାଣି। ସୋମବାର ଭୋରରେ ଜଗନ୍ନାଥ ମନ୍ଦିରର ସିଂହଦ୍ୱାର ଗୁମୁଟରୁ ପଥର ଖସିଥିବାରୁ କୌଣସି ଅଘଟଣ ଘଟି ନାହିଁ। ସବୁ ଦିନ ରାତିରେ ସେହି ସ୍ଥାନରେ ମନ୍ଦିର ପାଇକ କୁଞ୍ଜ ବାରିକ ଶୋଉଥିବା ବେଳେ ଗତ ରାତିରେ ସେଠାରେ ଶୋଇ ନଥିଲେ। ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ପଥରକୁ ପଥର ଯୋଡ଼େଇ ହୋଇ ମନ୍ଦିର ନିର୍ମାଣ ହୋଇଥିବା ବେଳେ ଗୋଟିଏ ପଥର ଖସିଲେ ଅନ୍ୟ ପଥର ଗୁଡିକ ପ୍ରତି ବିପଦ ସୃଷ୍ଟି ହେବା ସହ ଯେ କୌଣସି ସମୟରେ ମନ୍ଦିର ଭୁଶୁଡି ଯାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ରବିବାର ରାତ୍ରରେ ଘଡ଼ଘଡି ସହ ପ୍ରବଳ ବର୍ଷା ଯୋଗୁ ହୁଏତ ଖସିଥାଇପାରେ। ବଜ୍ରପାତ ଯୋଗୁ ସକଳେଶ୍ୱର ମନ୍ଦିରରେ ବିଦ୍ୟୁତ ସଂଯୋଗ
ମଧ୍ୟ ପୋଡ଼ି ଯାଇଛି।