Advertisement

ବିଶାଖାପାଟଣା-କିରାଣ୍ଡୁଲ ରେଳ ଲାଇନକୁ ଖସିଲା ପଥର

ନନ୍ଦପୁର/କୋରାପୁଟ, ୧୧ା୭ (ଶଙ୍କର ପୂଜାରି/ଅମିତାଭ ବେହେରା): ବିଶାଖାପାଟଣା କିରାଣ୍ଡୁଲ ରେଳ ଧାରଣାର କୋତାବାଲସା ଓ ବରା ଷ୍ଟେଶନ ମଝିରେ ସୋମବାର ଅପରାହ୍ନରେ ପାହାଡ ଉପରୁ ଏକ ବିରାଟ ପଥର ରେଳ ଧାରଣାକୁ ଖସିଛି। ଫଳରେ ଏହି ରୁଟ୍‌ରେ ସମସ୍ତ ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ବିଶାଖାପାଟଣା କିରାଣ୍ଡୁଲ ରେଳ ଧାରଣାରେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି। ପଥର ଖସିବା ସମୟରେ ଉକ୍ତ ଧାରଣା ଦେଇ କୌଣସି ଟ୍ରେନ ଚଳାଚଳ କରୁ ନ ଥିବାରୁ କିଛି ଦୁର୍ଘଟଣା ଘଟିନାହିଁ। ପଥରଟିର ଆକାର ବହୁତ ବଡ ଏବଂ ଅଧିକ ପଥର ଖସିବା ଆଶଙ୍କାରେ ବିଭାଗ ଏହି ରୁଟ୍‌ରେ ଯାତାୟାତ କରୁଥିବା ସମସ୍ତ ପସେଞ୍ଜର ଓ ମାଲବାହୀ ଟ୍ରେନଗୁଡ଼ିକୁ ରାସ୍ତା ପରିବର୍ତ୍ତନ କରି ଛାଡିବାକୁ ରେଳ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛି। ଏବେ ଏହି ରୁଟ୍‌ରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବିଶାଖାପାଟଣା କିରାଣ୍ଡୁଲ ପାସେଞ୍ଜର୍‌ ଓ ଏକ୍ସପ୍ରେସ୍‌ ଟ୍ରେନକୁ ରାସ୍ତା ପରିବର୍ତ୍ତନ କରି କୋରାପୁଟଠାରୁ ଦାମନଯୋଡି ଦେଇ ରାୟଗଡ଼ା ଚଳାଚଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମଙ୍ଗଳବାର ପଥର ବାହାର କରାଯିବା ସହ ଧାରଣା ମରାମତି ପରେ ରେଳ ଚଳାଚଳ ସ୍ବାଭାବିକ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share