ବେଗୁନିଆ ଅଞ୍ଚଳରେ ମାତିଲେ ପଥର ଚାଲାଣକାରୀ

ବେଗୁନିଆ,୧୩।୭(ହରପ୍ରସନ୍ନ ପଣ୍ଡା)ଖୋର୍ଦ୍ଧା ଜିଲା ବେଗୁନିଆ ତହସିଲ ଅଞ୍ଚଳରେ କିଛିଦିନ ହେବ ମାଫିଆଙ୍କ ରାଜୁତି ବଢ଼ିଚାଲିଛି। ବେଗୁନିଆ ତହସିଲ କାର୍ଯ୍ୟାଳୟରେ ଏବେ ସ୍ଥାୟୀ ତହସିଲଦାର ନାହାନ୍ତି। ତେଣୁ ଏହାର ଫାଇଦା ନେଇ ମାଫିଆମାନେ ରାଜୁତି ଚଳାଇଥିବା ବେଳେ ଅନ୍ୟପଟେ ସରକାରୀ କାର୍ଯ୍ୟରେ ଆସୁଥିବା ଲୋକେମାନେ କାର୍ଯ୍ୟ କରି ନ ପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସପ୍ତାହକୁ ୩ଦିନ ଲୋକେ ସେବା ପାଉଥିବା ବେଳେ ଅନ୍ୟ ୩ଦିନ ଦୂରଦୂରାନ୍ତରୁ ଆସି ସେବା ନ ପାଇ ନିରାଶ ହୋଇ ଫେରୁଛନ୍ତି। ଅନ୍ୟପକ୍ଷରେ ତହସିଲ କାର୍ଯ୍ୟାଳୟ ମୁରବୀ ଶୂନ୍ୟ ହୋଇଯାଇଥିବାରୁ ଚଢ଼ାଉ ମଧ୍ୟ ହୋଇପାରୁ ନାହିଁ, ଫଳରେ ପଥର ମାଫିଆମାନେ ମନଇଚ୍ଛା ଦିନରାତି ଅବାଧରେ ପଥର ଚୋରାଚାଲାଣ କରୁଛନ୍ତି। ଏଥିଯୋଗୁ ସରକାରଙ୍କ ରାଜସ୍ବ ହାନି ହେବା ସହ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶ ଥାଉକି, ବେଗୁନିଆ ସ୍ଥାୟୀ ତହସିଲଦାର ପ୍ରଧାନ ଟୁଲ୍ଲୀ ଆମ୍ମା ପ୍ରସୂତିକାଳୀନ ଛୁଟିରେ ଆସନ୍ତା ଡିସେମ୍ବର ମାସ ପର୍ଯ୍ୟନ୍ତ ରହିଛନ୍ତି। ସେହିପରି ଅତିରିକ୍ତ ତହସିଲଦାର ମମତା ଦାସଙ୍କୁ ଖୋର୍ଦ୍ଧା ଜିଲାପାଳ ଗତ ୪ମାସ ହେଲା ଟାଙ୍ଗି ତହସିଲକୁ ଡେପୁଟେଶନରେ ପଠାଇଛନ୍ତି। ଫଳରେ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟ ସମ୍ଭାଳିବାକୁ କେହି ନ ଥିବାରୁ ତହସିଲଦାର ନ ଆସିବା ପର୍ଯ୍ୟନ୍ତ ବୋଲଗଡ଼ ତହସିଲଦାର ସନ୍ତୋଷିନୀ ଦାଶ ଏବଂ ଅତିରିକ୍ତ ତହସିଲଦାର ଦୀପ୍ତିମୟୀ ଶର୍ମାଙ୍କୁ ଜିଲାପାଳ ବେଗୁନିଆ ତହସିଲର ଦାୟିତ୍ୱ ଦେଇଛନ୍ତି। ସେମାନେ ସପ୍ତାହକୁ ୩ଦିନ ବେଗୁନିଆ ଆସି ତହସିଲ କାର୍ଯ୍ୟ ସମ୍ଭାଳିଛନ୍ତି। ଅନ୍ୟ ୩ଦିନ ଏହି କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟ ଏକପ୍ରକାର ଠପ୍‌ ହୋଇଯାଉଛି। ନିଜର କାର୍ଯ୍ୟ ନେଇ ଦୂରଦୂରାନ୍ତରୁ ଆସୁଥିବା ଲୋକମାନେ ବହୁ ହନ୍ତସନ୍ତ ହେଉଛନ୍ତି। ଅପରପକ୍ଷେ ସ୍ଥାୟୀ ତହସିଲଦାର ହେଡକ୍ୱାର୍ଟର୍ସରେ ନ ରହିବାରୁ ପଥର ମାଫିଆଙ୍କର ବେଆଇନ ପଥର ଚାଲାଣ ବଢ଼ିବାରେ ଲାଗିଛି। ସେମାନେ ଆଗରୁ ଭୟରେ ଲୁଚି ଛପି ରାତିରେ ପଥର କାଟି ଚୋରା ଚାଲାଣ କରୁଥିବାବେଳେ ଏବେ ଦିନ ଦ୍ୱିପ୍ରହରରେ ପଥର କାଟି ନିର୍ଭୟରେ ଚୋରା ଚାଲାଣ କରୁଛନ୍ତି। ପଥର ବୋଝେଇ ଟ୍ରାକ୍ଟର, ମିନିଟ୍ରକ ଏବଂ ଟ୍ରକ ରାସ୍ତାରେ ଧାଡ଼ି ଧାଡ଼ି ହୋଇଯାଉଥିବାର ଦେଖିବାକୁ ମିଳୁଛି। ବେଆଇନ ପଥର ଖଣିରୁ ପଥର ଚୋରା ଚାଲାଣ ଯୋଗୁ ସରକାର ଦୈନିକ ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଉଛନ୍ତି। ସେହିପରି ଖଣି ମାଫିଆମାନେ କମ୍ପ୍ରେସର ସାହାଯ୍ୟରେ ଆମୋନିୟମ ସାର, ବାରୁଦ, ଡିନାମାଇଟ ଓ ଜିଲୋଟିନ ବ୍ୟବହାର କରି ଅବାଧରେ ବିସ୍ଫୋରଣ କରିଚାଲିଛନ୍ତି। ପରେ ଏଥିରୁ ଚିପ୍ସ ଏବଂ ସାଇଜ ପଥର ଢିମା, ସ୍ପଲ, ବଜୁରି ଆଦି ବେପାର ବଢ଼ାଇଦେଇଛନ୍ତି। ଏ ନେଇ ବୋଲଗଡ଼ ତହସିଲଦାର ସନ୍ତୋଷିନୀ ଦାଶଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ଫୋନ ଉଠାଇ ନ ଥିଲେ।