ହାଇଦ୍ରାବାଦ ,୧୧।୨: ସିକନ୍ଦରାବାଦ୍ରୁ ବିଶାଖାପାଟନମକୁ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପୁଣି ପଥର ମାଡ। ଶୁକ୍ରବାର ତେଲେଙ୍ଗାନାର ମହବୁବାବାଦ ଜିଲାରେ ଏହି ଘଟଣା ସାମ୍ନାକୁ ଆସିଛି। ରେଳ ଅଧିକାରୀ କହିଛନ୍ତି ଯେ, ରେଲଓ୍ବେ ପ୍ରୋଟେକ୍ସନ ଫୋର୍ସ(ଆରପିଏଫ)କୁ ଏହି ଘଟଣାକୁ ନେଇ ଅବଗତ କରାଯାଇଛି ଏବଂ ତଦନ୍ତ ଚାଲିଛି। ତେବେ ଟ୍ରେନଟି ବିଶାଖାପାଟନମରେ ପହଞ୍ଚିବା ପରେ କ୍ଷୟକ୍ଷତିର ଆକଳନ କରାଯିବ। ତେବେ କିଛି ପିଲା ଟ୍ରେନରେ ପଥର ଫିଙ୍ଗିଥାଇ ପାରନ୍ତି ବୋଲି ଅଧିକାରୀମାନେ ସନ୍ଦେହ କରୁଛନ୍ତି। ରେଳ ପୋଲିସ ନିଜେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଉଛି। ପୂର୍ବରୁ ବିଶାଖାପାଟନମରେ ଟ୍ରେନକୁ ପଥର ମାଡ ହୋଇଥିଲା। ଏଥିରେ ଟ୍ରେନର କାଚ ଭାଙ୍ଗିଯାଇଥିଲା। ଜାନୁଆରୀ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ ମାଧ୍ୟମରେ ଏହି ଟ୍ରେନକୁ ଶୁଭାରମ୍ଭ କରିଥିଲେ।