ଢେଙ୍କାନାଳ ଅଫିସ, ୨୨ା୧୦: ଢେଙ୍କାନାଳ ଲକ୍ଷ୍ମୀପୂଜା ଭସାଣି ଶୋଭାଯାତ୍ରାରେ ବନମାଳୀପ୍ରସାଦ ଏବଂ କଣ୍ଟାନାଳୀ ବାଇପାସ୍ ଛକ ପୂଜା ପ୍ରତିଷ୍ଠାନ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ମାମଲାରେ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ସମ୍ପୃକ୍ତା ମହିଳାଙ୍କ ପଥର ମାଡ଼ରେ ଜଣେ ହୋମ୍ଗାର୍ଡ ଗୁରୁତର ହୋଇଥିବା ପୋଲିସ କହିଛି।
ଅନ୍ୟପଟେ ବିବାଦକୁ ନେଇ ହୋଇଥିବା ପଥରମାଡ଼ରେ କଣ୍ଟାନାଳି ପୂଜା ପ୍ରତିଷ୍ଠାନର ମେଢ଼, ବାଜା କ୍ଷତିଗ୍ରସ୍ତ ହେବା ସହ ୪ଜଣ ଆହତ ହୋଇଥିଲେ। ଏ ସମ୍ପର୍କରେ ଟାଉନ ଥାନାରେ ଅଭିଯୋଗ ହୋଇଛି। ତେବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାର ପ୍ରତିବାଦରେ ସେମାନେ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପୋଲିସ ପାତରଅନ୍ତର ନ କରି ପଦକ୍ଷେପ ନେବାକୁ କୁନି ପଧାନ, ତୁଳସୀ ଦେହୁରୀ ପ୍ରମୁଖ ଦାବି କରିଛନ୍ତି। ଏ ନେଇ ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ କୁହନ୍ତି, ଗିରଫ ମହିଳାଙ୍କ ପଥର ମାଡ଼ରେ ଜଣେ ହୋମଗାର୍ଡଙ୍କ ଦାନ୍ତ ଭାଙ୍ଗିଯାଇଛି। କଣ୍ଟାନାଳି ଛକ ପୂଜା ପ୍ରତିଷ୍ଠାନ ଉପରକୁ ଆକ୍ରମଣ କରିଥିବା ବନମାଳି ପ୍ରସାଦ ଅଞ୍ଚଳର ଅଭିଯୁକ୍ତଙ୍କୁ ଧରିବା ଲାଗି ଉଦ୍ୟମ ଜାରିରହିଛି।