ରୟତି ଜମି ଦଖଲ କରି ପଥର ଖନନ

ସମ୍ବଲପୁର,୬ା୧(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ତହସିଲ ଅଞ୍ଚଳରେ ଏକ କମ୍ପାନୀ ଜଣେ ବ୍ୟକ୍ତିଙ୍କ ରୟତି ଜମି ଦଖଲ କରି ପଥର ଖନନ କରୁଥିବା ଅଭିଯୋଗ ହୋଇଛି। ଉକ୍ତ ତହସିଲ ଅନ୍ତର୍ଗତ ଜାମଟାଲ ଗ୍ରାମର ଚାଷୀ ବୃନ୍ଦାବନ ବଗର୍ତ୍ତିଙ୍କ ଅଭିଯୋଗକ୍ରମେ, ହାରିବାରି ମୌଜା ଜାମଟାଲ ଗ୍ରାମ ପହାଡ ପାଦଦେଶରେ ତାଙ୍କର ଅଧଏକର ଜମି ରହିଛି। ଏଥିରେ ସେ ପରିବା ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ। ଏଡା ପରିସରରେ ୫ରୁ ୬ ଗୋଟି ବଡ ମହୁଲ ଗଛ ମଧ୍ୟ ରହିଥିଲା। ମହୁଲ ଫୁଲ ସଂଗ୍ରହ କରି ବର୍ଷକୁ ୪୦ରୁ ୫୦ ହଜାର ଟଙ୍କା ରୋଜଗାର କରୁଥିଲେ। ହେଲେ ଏବେ ଜାତୀୟ ରାଜପଥ ନିର୍ମାଣ କରୁଥିବା କମ୍ପାନୀ ଏଆଇପିଏଲ୍‌ ତାଙ୍କ ଜମି ନିକଟରେ ପଥର ଖାଦାନ କରିଛି। ପଥରଖାଦାନ ପାଇଁ କମ୍ପାନୀ ରୟତି ଜମିକୁ ଦଖଲ କରିନେଇଛି। ଉକ୍ତ ଜମିରେ ପଥର ଉତ୍ତୋଳନ ସାଙ୍ଗକୁ ମାଟି ଖୋଳି ଦିଆଯାଇଥିବାରୁ ଚାଷ କରିବା ସମ୍ଭବ ହେଉନାହିଁ। ଫଳରେ ଏକମାତ୍ର ରୋଜଗାର ମାଧ୍ୟମ ବନ୍ଦ ହୋଇଯାଇଛି। ପଥର ଉତ୍ତୋଳନ ସମୟରେ ବିରୋଧ କରିଥିଲେ ମଧ୍ୟ ପୋଲିସ ଲଗାଇ ଭୟଭୀତ କରାଗଲା। ବାରମ୍ବାର ବିରୋଧ ଯୋଗୁ ପୋଲିସ ଓ କମ୍ପାନୀ କର୍ମଚାରୀ ପହଞ୍ଚତ୍ଥିଲେ। ଜମି ମାପଚୁପ କରିବା ପରେ ପଥର ଉତ୍ତୋଳନ କରିବାକୁ ପୋଲିସ ପରାମର୍ଶ ଦେଇଥିଲା। ହେଲେ କମ୍ପାନୀ କର୍ମଚାରୀ ପୋଲିସ ସମ୍ମୁଖରେ ରାଜି ହୋଇ ପରେ ଦେଖାଦେଲେ ନାହିଁ। ଏପଟେ ବଳ ପୂର୍ବକ ପ୍ରତିଦିନ ପଥର ଉତ୍ତୋଳନ କାମ କରାଯାଉଛି। ଜିଲାପାଳ ଓ ବରିଷ୍ଠ ପୋଲିସ ଅଧିକାରୀ ଏ ନେଇ ପଦକ୍ଷେପ ଗ୍ରହଣ କରି ନ୍ୟାୟ ପ୍ରଦାନ କରନ୍ତୁ ବୋଲି ବୃନ୍ଦାବନ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ଯୁଯୁମୁରା ତହସିଲଦାର ଅଭିଷେକ ସାହୁ କହିଛନ୍ତି, ପଥରଖାଦାନ ପାଇଁ ଅନୁମତି ଦିଆଯାଇଛି। ହେଲେ ରୟତି ଜମି ଦଖଲ କରିପାରିବେ ନାହିଁ। ଏ ନେଇ କମ୍ପାନୀକୁ ତାଗିଦ କରାଯିବ। ଚାଷୀଙ୍କ ହିତ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଥିଲେ ।

Share