ଗୋଚର ଜମିରୁ ଚାଲିଛି ମାଙ୍କଡ଼ା ପଥର ଚାଲାଣ

ଖୋର୍ଦ୍ଧା ଅଫିସ,୧୨ା୬: ଖୋର୍ଦ୍ଧାରେ ଲଘୁ ଖଣିଜ ସମ୍ପଦ ଲୁଟ୍‌ ବଢ଼ିଚାଲିଛି। ସରକାରୀ ଜମି, କାଜୁ ଜଙ୍ଗଲ ଏବଂ ଶ୍ରୀମନ୍ଦିର ଜମି ଉପରେ ରହିଛି ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି। ସବୁଠି ମାଙ୍କଡ଼ା ପଥର କଟାଚାଲିଛି। ଫଳରେ ଜମି, ଜଙ୍ଗଲ ନଷ୍ଟ ହେବା ସହ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେଉଛି। ପ୍ରତିବାଦ କଲେ ଖଣି ମାଫିଆମାନେ ଧମକ ଦେଉଛନ୍ତି। ଏନେଇ ସ୍ଥାନୀୟ ପୋଲିସଠାରୁ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉନାହିଁ। ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ବ୍ଲକ ପାଇକ ତିଗିରିଆ ଗ୍ରାମରୁ। ଏହି ଗ୍ରାମର ସରକାରୀ ଗୋଚର ଜମିରୁ ୫ କୋଟିରୁ ଊର୍ଦ୍ଧ୍ୱ ମାଙ୍କଡା ପଥର ଚୋରାଚାଲାଣ କରାଯାଇଥିବା ନେଇ ଖୋର୍ଦ୍ଧା ଉପଜିଲାପାଳ ଏବଂ ସ୍ଥାନୀୟ ତହସିଲଦାରଙ୍କ ନିକଟରେ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି।
ଦର୍ଶାଯାଇଛି ଯେ, ଦୀର୍ଘବର୍ଷ ହେବ ମାଙ୍କଡ଼ା ପଥର ଖଣି ନିଲାମ ବନ୍ଦ ରହିଛି। ଏହାସତ୍ତ୍ୱେ ଗ୍ରାମର ୫ ଏକର ବିଶିଷ୍ଟ ଗୋଚର ଜମି (ପ୍ଲଟ ନଂ.୧୩୪୭)ରୁ ୨୦ ଫୁଟରୁ ଊର୍ଦ୍ଧ୍ୱ ଗଭୀର କରାଯାଇ ମାଙ୍କଡ଼ା ପଥର ଚୋରାଚାଲାଣ କରାଯାଉଛି। ଦୈନିକ ୩ଟି ପାଓ୍ବାରଟିଲର, ଟ୍ରାକ୍ଟର, ଜେସିବି ଲଗାଇ ପଥର କାଟି ଚାଲାଣ କରୁଛନ୍ତି। ଖୋର୍ଦ୍ଧା ଥାନାର ଜଣେ ଏସ୍‌ଆଇ ଏବଂ ଭୁବନେଶ୍ୱରର ଏକ ଥାନାରେ କାର୍ଯ୍ୟରତ ଡ୍ରାଇଭରଙ୍କ ପ୍ରୋତ୍ସାହନରେ ସ୍ଥାନୀୟ ଅଞ୍ଚଳର ଅସାମାଜିକ ଯୁବକଙ୍କୁ ଧରି ଲୋକଙ୍କୁ ମିଥ୍ୟା ମାମଲାରେ ଥାନାରେ ପୂରାଇଦେବାକୁ ଧମକ ଦେଇ ଟ୍ରକ୍‌, ଟ୍ରାକ୍ଟରରେ ମାଙ୍କଡ଼ା ଚାଲାଣ କରୁଛନ୍ତି। ଉକ୍ତ ପ୍ଲଟ୍‌କୁ ଲାଗି ରହିଥିବା ଚାନ୍ଦପୁର ମୌଜାର ପ୍ଲଟ ନଂ.୩୦୫, ଯେଉଁଠାରୁ ରାଜପଥ କାର୍ଯ୍ୟ ପାଇଁ ମୋରମ ନିଆଯାଉଛି। ଗତ ୩ ତାରିଖରୁ ଦୈନିକ ୨୦ରୁ ୩୦ ଟ୍ରିପ୍‌ ଚୋରା ଚାଲାଣ ଚାଲିଛି। ଗୋଚାରଣ ଜମି ଖାଲଖମାରେ ପରିଣତ ହେବା ଯୋଗୁ ଗୋଚାରଣ ପାଇଁ ଆଉ ଜାଗା ନାହିଁ। ଖାଲଖମାରେ ପଡ଼ି ଗୋରୁଗାଈ, ଲୋକେ ଆହତ ହେଉଛନ୍ତି। ପରିବେଶ ନଷ୍ଟ ହେଉଛି। ପରିସ୍ଥିତି ଏପରି ହୋଇଛି ଯେ, ଜଙ୍ଗଲ, ପାହାଡ଼ରୁ ଝରି ଆସୁଥିବା ବର୍ଷାଜଳ ଖୋଳାଯାଇଥିବା ଜମିରେ ଜମା ହେଉଛି। ମାଙ୍କଡା କଟାଯାଉଥିବା ନିକଟ ଚାଷଜମି ପଡ଼ିଆ ପଡ଼ିଲାଣି। ପ୍ରଶାସନିକ ଅଧିକାରୀ ଏହି ଅଞ୍ଚଳ ପରିଦର୍ଶନ କଲେ ଉପରୋକ୍ତ ସମସ୍ୟା ଉପରେ ଜାଣିପାରିବେ ବୋଲି ଗ୍ରାମବାସୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଅଭିଯୋଗର ସପ୍ତାହକ ମଧ୍ୟରେ କୌଣସି ପଦକ୍ଷେପ ନିଆ ନ ଗଲେ, ଆଗାମୀ ଦିନରେ ଗ୍ରାମବାସୀ ଏକଜୁଟ ହୋଇ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

Share