କୋଲକାତା,୨୧ ।୧: ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଟ୍ରେନ୍ ଉପରେ ପୁଣିଥରେ ପଥରମାଡ ହୋଇଛି । ଘଟଣା ଦାଲକୋଲା ଷ୍ଟେଶନରେ ଶୁକ୍ରବାର ଯେତେବେଳେ ନୂଆ ହାୱଡା-ନ୍ୟୁ ଜଲପାଇଗୁଡି ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥରମାଡ ହୋଇଥିଲା । ଟ୍ରେନ୍ ଦାଲକୋତ ଷ୍ଟେଶନ ଛାଡୁଥିବା ବେଳେ ହଠାତ୍ ସି-୬ କୋଚ ଉପରକୁ ପଥରମାଡ ହୋଇଥିଲା ଫଳରେ ଏହାର କାଚ ଫାଟି ଯାଇଥିଲା । ତେବେ ଏହା ପ୍ରଥମ ଥର ନୁହେଁ ଯେ ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥରମାଡ ହୋଇଛି । ଏହା ପୂର୍ବରୁ ଜାନୁୟାରୀ ୨ରେ ପ୍ରଥମଥର ପଶ୍ଚିମବଙ୍ଗର ମାଲଦାରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପରକୁ ପଥରମାଡ ହୋଇଥିଲା । ଏହାର ଗୋଟିଏ ଦିନ ପରେ ୩ ଜାନୁୟାରୀରେ ଦାର୍ଜିଲିଂରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥରମାଡ ହୋଇଥିଲା । ଦେଶର ସପ୍ତମ ଓ ପଶ୍ଚିମବଙ୍ଗର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ୩୦ ଡିସେମ୍ବର ୨୦୨୨ରେ ଆରମ୍ଭ ହୋଇଥିଲା । ସେବେଠାରୁ ଏବେ ପର୍ଯ୍ୟନ୍ତ ଏହା ଉପରେ ୩ ଥର ପଥରମାଡ ହେଲାଣି ।