Categories: ଜାତୀୟ

ଭାରତରେ ଖବରଦାତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବନ୍ଦ ହେଉ

ଚେନ୍ନାଇ, ୨୩ା୬: ଭାରତୀୟ ଗଣମାଧ୍ୟମ ଆକ୍ରମଣର ସମ୍ମୁଖୀନ ହୋଇଥିବା କମିଟି ଟୁ ପ୍ରୋଟେକ୍ଟ ଜର୍ନାଲିଷ୍ଟସ୍‌ (ସିପିଜେ) କହିଛି। ଭାରତରେ ଖବରଦାତାମାନଙ୍କୁ ଧମକ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାମର୍ଶ ଦେବା ନିମନ୍ତେ ସିପିଜେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ନିବେଦନ କରିଛି। ଆମେରିକାକୁ ମୋଦିଙ୍କ ଗସ୍ତ ପୂର୍ବରୁ ସିପିଜେ ଏକ ବିବୃତିରେ କହିଥିଲା, ଭାରତ ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର, ତଥାପି ଗଣମାଧ୍ୟମ ପାଇଁ ଏହା ବିଶ୍ୱର ସବୁଠୁ ବିପଜ୍ଜନକ ରାଷ୍ଟ୍ର। ସିପିଜେ ଏବଂ ଏହାର ସହଯୋଗୀ ସଂଗଠନ ବୁଧବାର ଓ୍ବାଶିଂଟନ ପୋଷ୍ଟରେ ଏକ ପୂରାପୃଷ୍ଠା ଛାପିଥିଲେ। ଭାରତରେ ଖବରଦାତାମାନେ କିପରି ଶାରୀରିକ ହିଂସା, ନିର୍ଯାତନା, ମିଛ ମୋକଦ୍ଦମା ଓ ସାମାଜିକ ଗଣମାଧ୍ୟମରେ ଘୃଣିତା ପ୍ରଚାରର ସମ୍ମୁଖୀନ ହେଉଛନ୍ତି, ତାହା ଏଥିରେ ଦର୍ଶାଯାଇଛି। ଏହାକୁ ସେମାନେ ‘ମିଡିଆ କ୍ରାକ୍‌ଡାଉନ୍‌’ କହିଛନ୍ତି। ଉଦ୍ଦେଶ୍ୟମୂଳକ ଭାବେ ଅଟକ ରଖାଯାଇଥିବା ୬ ଖବରଦାତାଙ୍କୁ ମୁକ୍ତ କରିବା ପାଇଁ ମୋଦିଙ୍କୁ କହିବାକୁ ସେମାନେ ବାଇଡେନ୍‌ଙ୍କୁ ଅନୁରୋଧ କରିଛନ୍ତି। ଭାରତ ସର୍ବବୃହତ ଗଣତନ୍ତ୍ର ହୋଇଥିବାରୁ ମୁକ୍ତ ଓ ସ୍ବାଧୀନ ଗଣମାଧ୍ୟମ ସୁନିଶ୍ଚିତ କରିବା ଆବଶ୍ୟକ। ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଭାବେ ଆମେରିକା ଏହାକୁ ସ୍ଥାନ ଦେବ ବୋଲି ଆଶା କରାଯାଉଥିବା ସିପିଜେର ଅଧ୍ୟକ୍ଷ ଜୋଡି ଗିନ୍‌ସେବର୍ଗ କହିଛନ୍ତି। ମୋଦି କ୍ଷମତାକୁ ଆସିବା ପରଠୁ ଗଣମାଧ୍ୟମ ଉପରେ କାର୍ଯ୍ୟାନୁଷ୍ଠାନ ବଢ଼ିଥିବା ସେ କହିଛନ୍ତି।

Share