‘ସର୍ଭେ ନାମରେ ହିତାଧିକାରୀ ଆଧାରିତ ଯୋଜନା ବନ୍ଦ କର’

ଭୁବନେଶ୍ୱର,୫ା୫(ଅନିଲ ଦାସ): ଚଳିତ ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪କୁ ମୁକ୍ତ, ଅବାଧ, ନିରପେକ୍ଷ ଓ ସ୍ବଚ୍ଛ କରିବା ପାଇଁ ଭାରତ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧିର ଅନୁପାଳନ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏ ସମ୍ପର୍କରେ ଶନିବାର ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ଭାରତ ନିର୍ବାଚନ କମିଶନଙ୍କ ନିିର୍ଦ୍ଦେଶନାମାରେ ନିର୍ବାଚନ ପରବର୍ତ୍ତୀ ହିତାଧିକାରୀ ଆଧାରିତ କଲ୍ୟାଣକାରୀ ଯୋଜନା ଘୋଷଣା, ନୂଆ ପ୍ରକଳ୍ପ କିମ୍ବା କାର୍ଯ୍ୟକ୍ରମ ଘୋଷଣା, କୌଣସି ପ୍ରକାର ଆର୍ଥିକ ଅନୁଦାନ କିମ୍ବା ରିହାତି ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ଭଳି କାର୍ଯ୍ୟକୁ ନିଷିଦ୍ଧ କରାଯାଇଛି। ଏ ପ୍ରକାର ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ସମସ୍ତ ରାଜନୈତିକ ଦଳକୁ ସର୍ଭେ ନାମରେ ହିତାଧିକାରୀ ଆଧାରିତ ଯୋଜନା ପାଇଁ ଭୋଟର ନାମଲେଖା/ପଞ୍ଜୀକରଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରସ୍ତାବିତ ହିତାଧିକାରୀ ଯୋଜନା ପାଇଁ ବିଭିନ୍ନ ସର୍ଭେ ନାମରେ ଭୋଟରଙ୍କ ସବିଶେଷ ତଥ୍ୟ ସଂଗ୍ରହ କରୁଥିବା ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ କାର୍ଯ୍ୟକଳାପ ଉପରେ ନିର୍ବାଚନ କମିଶନ ସତର୍କ ଦୃଷ୍ଟି ଦେଇଛନ୍ତି। ଲୋକପ୍ରତିନିଧି ଅଧିନିୟମର ଧାରା ୧୨୩(୧) ଅନୁଯାୟୀ ଏହା ଏକପ୍ରକାର ପ୍ରରୋଚନା, ଯାହା ଦୁର୍ନୀତି ଅନ୍ତର୍ଭୁକ୍ତ। ସମସ୍ତ ଜାତୀୟ ତଥା ରାଜ୍ୟ ରାଜନୈତିକ ଦଳଗୁଡ଼ିକୁ ଭାରତ ନିର୍ବାଚନ କମିଶନ କୌଣସି ବିଜ୍ଞାପନ, ସର୍ଭେ, ଆପ୍‌ ମାଧ୍ୟମରେ ନିର୍ବାଚନ ପରବର୍ତ୍ତୀ ହିତାଧିକାରୀ ଆଧାରିତ ଯୋଜନା ପାଇଁ ପଞ୍ଜୀକରଣ କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ଆଇନଗତ ସର୍ବେକ୍ଷଣ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ପ୍ରୟାସ ମଧ୍ୟରେ ସୀମାକୁ ଅସ୍ପଷ୍ଟ କରୁଥିବା କାର୍ଯ୍ୟକଳାପଗୁଡ଼ିକୁ କମିଶନ ଧ୍ୟାନକୁ ନେଇଛନ୍ତି, ଯାହା ଛଦ୍ମ ଭାବରେ ଆଇନଗତ ସର୍ଭେ ମାଧ୍ୟମରେ ନିର୍ବାଚନରେ ଲାଭ ହାସଲ ପାଇଁ କରାଯାଉଛି। ଏଣୁ ଖବରକାଗଜ ବିଜ୍ଞାପନ ମାଧ୍ୟମରେ ଭୋଟରଙ୍କୁ ଯୋଜନାର ଲାଭ ଉଠାଇବା ପାଇଁ ପଞ୍ଜୀକରଣ କରିବାକୁ ମିସ୍‌ କଲ୍‌ କିମ୍ବା ଫୋନ୍‌ କଲ୍‌ କରିବାକୁ କୁହାଯିବା, ଏକ ଗ୍ୟାରେଣ୍ଟି/କାର୍ଡକୁ ସୂଚନାପତ୍ର ଭାବେ ପ୍ରଦାନ କରି ଭୋଟର ବିବରଣୀ ସଂଗ୍ରହ(ବ୍ୟକ୍ତିଗତ ବିବରଣୀ, ବୁଥ୍‌ ନଂ, ନିର୍ବାଚନ କ୍ଷେତ୍ର ନଂ. ଇତ୍ୟାଦି) କରାଯିବା, ସାମାଜିକ-ଅର୍ଥନୈତିକ ସର୍ଭେ ନାମରେ ଚାଲୁଥିବା ସରକାରୀ ଯୋଜନାର ଲାଭ ବିସ୍ତାର କରିବାକୁ ଯାଇ ଫର୍ମ ବଣ୍ଟନ କରାଯିବା ଏବଂ ଭୋଟର ବିବରଣୀ ସଂଗ୍ରହ କରାଯିବା, ରାଜନୈତିକ ଦଳମାନେ ଭୋଟରଙ୍କ ସବିଶେଷ ସୂଚନା ପାଇବାକୁ ପ୍ରାର୍ଥୀମାନେ ୱେବ୍‌ ପ୍ଲାଟ୍‌ଫର୍ମ/ ଆପସ୍‌କୁ ପ୍ରୋତ୍ସାହିତ କରିବା(ବ୍ୟକ୍ତିଗତ ଫାଇଦା କିମ୍ବା ଭୋଟରଙ୍କ ପସନ୍ଦ ପ୍ରକାଶ କରିବା ପାଇଁ ଏଥିରେ ବିକଳ୍ପ ଥାଇପାରେ କିମ୍ବା ନ ଥାଇପାରେ), ଖବରକାଗଜ ବିଜ୍ଞାପନ/ ଲିଖିତ ଫର୍ମ ମାଧ୍ୟମରେ ସାମ୍ପ୍ରତିକ ଲାଭ ଯୋଜନାରେ ପଞ୍ଜୀକରଣ ପାଇଁ ଭୋଟର ବିବରଣୀ ସଂଗ୍ରହ କରାଯିବାକୁ କମିଶନ ପକ୍ଷରୁ ବାରଣ କରାଯାଇଛି।

ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର ଉପରୋକ୍ତ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଭାରତ ନିର୍ବାଚନ କମିଶନ ସମସ୍ତ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନଙ୍କୁ ଆଦର୍ଶ ଆଚରଣ ବିଧିର ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି କ୍ଷେତ୍ରରେ ଆଦର୍ଶ ଆଚରଣବିଧିର ଉଲ୍ଲଂଘନ ହୁଏ ତେବେ ଜିଲା ନିର୍ବାଚନ ଅଧିକାରୀମାନଙ୍କୁ ଏହା ଉପରେ ବିଧି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

Share