‘ବ୍ୟାନର ଚିରା ପରମ୍ପରା ବନ୍ଦ ହେଉ’

ଖଇରା, ୬।୧(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ସିମୁଳିଆ ନିର୍ବାଚନମଣ୍ଡଳୀରେ ଏବେ ରାଜନୈତିକ ଦଳ ନେତୃବୃନ୍ଦଙ୍କ ବ୍ୟାନର ଚିରା ଘଟଣାକୁ ବିଭିନ୍ନ ଦଳ ଓ ସଙ୍ଗଠନ ପକ୍ଷରୁ କଡା ଭାଷାରେ ନିନ୍ଦା କରାଯାଇଛି। ଶୁକ୍ରବାର ସିମୁଳିଆ ନିର୍ବାଚନମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ବେହେରା ଷୋହଳଭଉଣୀଠାରେ ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଖବରଦାତାଙ୍କୁ ନିଜର ପ୍ରତିକ୍ରିୟା ଦେଇ ବର୍ତ୍ତମାନ ଖଇରା ସିମୁଳିଆରେ ପୋଷ୍ଟର ବ୍ୟାନର ଚିରା ଭଳି କଳଙ୍କିତ ଅଧ୍ୟାୟ ଆରମ୍ଭ ହୋଇଛି। ଯେଉଁ ଦଳର କର୍ମୀ କି ନେତା ଏହି କାର୍ଯ୍ୟରେ ଲିପ୍ତ ଥାଆନ୍ତୁ ନା କାହିଁକି ଏହା ନିଶ୍ଚିତ ନିନ୍ଦନୀୟ ଘଟଣା। ଏହାକୁ କଂଗ୍ରେସ ଦଳ ତୀବ୍ର ନିନ୍ଦା କରୁଛି। ଲଢେଇ ବିଚାରାଧାରାରେ ହେଉ ଏବଂ ବ୍ୟକ୍ତିଗତ ଆକ୍ରୋଶମୂଳକ ହେବା ଉଚିତ ନୁହେଁ ବୋଲି କହିଛନ୍ତି ା
ଏଥିସହ ୨୦୨୪ ନବବର୍ଷରେ ସେ କଂଗ୍ରେସ ଦଳକୁ ମଜଭୁତ୍‌ କରିବାକୁ କଠିନ ପରିଶ୍ରମ କରିବେ ଏବଂ ଖଇରା ସିମୁଳିଆର ୨୦ହଜାର ଶିକ୍ଷିତ ବେକାର ଯୁବତୀ ଯୁବକଙ୍କୁ କିଭଳି ରୋଜଗାରକ୍ଷମ କରାଯାଇପାରିବ ତାକୁ ସେ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ମଙ୍ଗଳବାର ରାତିରେ ଖଇରା ବ୍ଲକର ବାରପୁର ଛକରୁ ଗରସଙ୍ଗ ରାସ୍ତାକଡରେ ଲଗାଯାଇଥିବା ଭାଜପା ମୁଖପାତ୍ର ଠାକୁର ରଞ୍ଜିତଦାସଙ୍କ ବ୍ୟାନର ଓ କଟଆଉଟକୁ କେହି ବ୍ଲେଡରେ କାଟି ଦେଇଥିବା ଦେଖିବାକୁ ମିଳିଥିଲା।