Posted inଫୁରସତ

ବଜ୍ରପାତକୁ ରୋକେ ତାଳଗଛ

ବଜ୍ରପାତକୁ ରୋକେ ତାଳଗଛ । କିନ୍ତୁ ତାଳଗଛର ସଂଖ୍ୟା କମି କମି ଚାଲିଛି; ଯାହା ଚିନ୍ତା ବଢାଇଛି ପରିବେଶ ପ୍ରେମୀଙ୍କର । ଯେଉଁଥିପାଇଁ ନିଜସ୍ବ ପ୍ରୟାସରେ କାହିଁ କେବେଠାରୁ ସେମାନେ
ଲଗାଇ ଆସୁଛନ୍ତି ତାଳଗଛ..

ଉଚ୍ଚତାଳଗଛ ଆକାଶ ଛୁଏଁ, ବାୟାର ବସା ଦୋହଲୁ ଥାଏ । ଆଜିକାଲି ଏମିତି ଦୃଶ୍ୟ ପ୍ରାୟ ବିରଳ ହେଲାଣି। ଦିନକୁ ଦିନ ତାଳଗଛ ସଂଖ୍ୟା କମି ଯାଉଥିବାରୁ ପ୍ରାକୃତିକ ଭାରସାମ୍ୟ ରହୁନାହିଁ। ଦିନଥିଲା ଗାଁଠାରୁ ଦୂର ପଡ଼ିଆ, ବିଲ ହୁଡ଼ା, ନାସୀକୂଳ ଆଦି ଜାଗାରେ ଲୋକମାନେ ତାଳଗଛ ଲଗାଉଥିଲେ। ଏବେ ତାଳଗଛ ସଂଖ୍ୟା କମି କମି ଚାଲିଛି। ପ୍ରାକୃତିକ ବିପର୍ଯ୍ୟୟରେ ଯେଉଁମାତ୍ରାରେ ତାଳଗଛ ନଷ୍ଟ ହେଉଥିଲା ତା’ଠୁ ଅଧିକ କଟାଯାଇଛି। ୨୦୧୮ ମସିହାରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ମିଶନ ତାଳଗଛ। ରାଜ୍ୟ ବନ ବିଭାଗ ତାଳଗଛ ରୋପଣ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ୨୦୨୪ରେ ତାଳଗଛ ଲଗାଇବା ପାଇଁ ପ୍ରାୟ ୭କୋଟି ଟଙ୍କା ଖର୍ଚ୍ଚ ହେବବୋଲି କୁହାଯାଇଥିଲା। ପୁଣି ବ୍ୟକ୍ତିଗତ ସ୍ତରରେ ତାଳଗଛ କାଟିବାକୁ ସରକାରୀ ଅନୁମତି ନେବାକୁ ପଡ଼ିବ। ଏସବୁର ମୂଳ କାରଣ ହେଉଛି ବଜ୍ରପାତରୁ ରକ୍ଷା କରିବ ତାଳଗଛ। ତେବେ ତାଳଗଛରୁ ଏହି ଲାଭ ପାଇବା ପାଇଁ ପ୍ରାୟ ୩୦ରୁ ୪୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଲାଗିବ। ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ବଜ୍ରପାତଜନିତ ମୃତ୍ୟୁ ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ଏଥିରୁ ଜଣାପଡ଼େ ୨୦୨୨-୨୩ରେ ରାଜ୍ୟରେ ବଜ୍ରପାତରେ ମୋଟ-୨୯୧ଜଣଙ୍କ ମୃତ୍ୟୁ ଘଟିଥିଲା। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ -୨୦୨୧ରେ ବଜ୍ରପାତରେ ଭାରତରେ ୨,୮୮୦ଜଣଙ୍କର ମୃତ୍ୟୁ ଘଟିଥିଲା ବୋଲି ରିପୋର୍ଟରେ କୁହାଯାଇଛି।ସେହିପରି ଓଡ଼ିଶା ବିପଯର୍‌ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ (ଓସଡ଼ମା) ହିସାବ ଅନୁସାରେ ୨୦୧୧ରୁ୨୦୧୭ ମଧ୍ୟରେ ପ୍ରାୟ ୨୫୫୭ଜଣଙ୍କ ବଜ୍ରପାତ ଆଘାତରେ ମୃତ୍ୟୁବରଣ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ପ୍ରଭାବରେ ତାମମାତ୍ରା ବଢୁଛି। ବାୟୁମଣ୍ଡଳରେ ଅସ୍ଥିରତା ଯୋଗୁ ବଢୁଛି ବଜ୍ରପାତର ତୀବ୍ରତା। ତେବେ ମଣିଷ ଗୃହପାଳିତ ପ୍ରାଣୀଙ୍କୁ ବଜ୍ରପାତରୁ ରକ୍ଷା କରୁଥିବା ତାଳଗଛର ସୁରକ୍ଷା ପାଇଁ ଜନସଚେତନତା ଜରୁୀର ହୋଇପଡ଼ିଛି। ଯାହାର ଦାୟିତ୍ୱ ଏବେ ସ୍ବଇଚ୍ଛାରେ ନେଉଛନ୍ତି ଅନେକ ପରିବେଶ ପ୍ରେମୀ।
ବଜ୍ରପାତରୁ ରକ୍ଷା, ତାଳଗଛର ସୁରକ୍ଷା: ସବୁଜ ପରିବେଶ ସହ ଅଧିକରୁ ଅଧିକ ତାଳଗଛ ଲଗାଇବା ପାଇଁ ଅଣ୍ଟାଭିଡ଼ିଛନ୍ତି ଜଣେ ଗୃହିଣୀ। ସେ ହେଲେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ କମାଳସିଂ ଗ୍ରାମର ଅମିତା ତରେଇ। ସେ କୁହନ୍ତି,‘ସ୍କୁଲ ବୟସରୁ ବିଭିନ୍ନ ଗଛର ଚାରା ରୋପଣ କରିବା ମୋର ଅଭ୍ୟାସ ଥିଲା। କିନ୍ତୁ ବିବାହ ପରେ ଆମ ବ୍ଲକ ମିଶନ ଶକ୍ତିରେ ଜଣେ ସକ୍ରିୟ ସଦସ୍ୟା ଭାବେ କାର୍ଯ୍ୟ କରୁଛି। ଶାଶୁଘର ଝାରକଟା ଗାଁର ସ୍କୁଲ ପରିସର ଏବଂ ବାପଘର କମାଳସିଂ ଅଞ୍ଚଳର କେତେକ ସ୍ଥାନରେ ବିଭିନ୍ନ ଫଳଗଛ ଲଗାଇ ତା’ର ଯତ୍ନ ନେଉଥିତ୍ଲି। ଗ୍ରାମର ମଠ, ଗ୍ରାମ୍ୟପାର୍କ ଓ ରାସ୍ତାକଡ଼ ଆଦି ସ୍ଥାନରେ ବର୍ଷାଦିନେ ନିମ୍ବ, ବେଲ, ଅଁଳା, ହରିଡ଼ା, ବାହାଡ଼ା, ଅର୍ଜୁନ, କଦମ୍ବ, ଆମ୍ବ, ଲେମ୍ବୁ, ପଣସ, ବଉଳ ଆଦି ଗଛ ଲଗାଇଲୁ। ପ୍ରତିଦିନ ଦୁଇଘଣ୍ଟା ସମୟ ବାହାରକରି ଲଗାଇଥିବା ବୃକ୍ଷର ଯତ୍ନ ପାଇଁ ପରିଶ୍ରମ କରିବାକୁ ପଡ଼ୁଛି। ଏଥିରେ ମୋ ସହିତ ମୀନାରାଣୀ ସାହୁ, ପ୍ରଭାତୀ ପାହନ, ରଶ୍ମିତା ତରେଇ, ଊର୍ମିଳା ସାହୁ, ସସ୍ମିତା ପଲେଇ, ନମିତା ପଣ୍ଡା, କୁନି ଜେନା, ଦୁଃଶାସନ ତରେଇ, ନକୁଳ ସୁନ୍ଦରା, ବିଷ୍ଣୁ ଚରଣ ବେହେରା ସାମିଲ ହୋଇଛନ୍ତି। ତେବେ ୨୦୧୯ ମସିହାଠାରୁ ଚିଲିକା ଅଞ୍ଚଳରେ ଏକ ସାମାଜିକ ସଂଗଠନରେ ଯୋଗଦେଇ ଅନ୍ୟ ଗଛ ସହିତ ତାଳଗଛ ରୋପଣ କରୁଛୁ। ଗତ ୫ ବର୍ଷ ଭିତରେ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ସଂଗଠନରେ ମିଶି ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ ବିଭିନ୍ନ ବୃକ୍ଷ ଏବଂ ୨୫ ହଜାର ତାଳମଞ୍ଜି ପୋତିବାରେ ସକ୍ଷମ ହୋଇଛୁ। ୨୦୨୧ମସିହାରେ କୁରୁପାଳଠାରୁ ନୂଆପଡ଼ା, ଜେନାପୁର ବେନାମୀ ଘେରିବନ୍ଧରେ ପ୍ରାୟ ୩୧ ହଜାର ତାଳମଞ୍ଜି ପୋତିଥିଲୁ। ୨୦୨୨ରୁ ୨୦୨୩ ମସିହା ମଧ୍ୟରେ ସାତପଡ଼ା, ଆଳୁପାଟଣାଠାରୁ ବାଘମୁହଁ ଓ ଭାବକୁଣ୍ଡଳେଶ୍ୱରଯାଏ ୧୪ହଜାର ତାଳ ମଞ୍ଜି ଲଗାଇଛୁ। ଚିଲିକା ସିପିଆଠାରୁ ତିଛିଣ ଜମ୍ବଲଯାଏ ପ୍ରାୟ ୩୦ ହଜାର ତାଳ ମଞ୍ଜି ଲଗାଇସାରିଲୁଣି। ଝାରକଟାଠାରୁ ଖବରିସାହି, ପଥରକଟା, କମାଳସିଂ ପର୍ଯ୍ୟନ୍ତ ପ୍ରାୟ ୮ହଜାର ତାଳମଞ୍ଜି ପୋତିଛୁ। ୨୦୨୪ଜୁଲାଇରେ ଜହ୍ନିକୁଦା, ଗୁଆଟୋପି, ଆରେନାଖାର, ଧାନଅରା ଘେରିବନ୍ଧରେ ପ୍ରାୟ ୮ହଜାର ୫ଶହ ତାଳମଞ୍ଜି ପୋତିଛୁ। ଏମିତିରେ ଦେଖିବାକୁ ଗଲେ ଆଯିଯାଏ ପ୍ରାୟ ୧ଲକ୍ଷ ୯୦ହଜାର ତାଳମଞ୍ଜି ପୋତିସାରିଲୁଣି। ତେବେ ପୂର୍ବରୁ ଲଗାଇଥିବା କେତେକ ସ୍ଥାନରେ ତାଳ ମଞ୍ଜିରୁ ଗଜାହୋଇ ଗଛ ହୋଇ ବାହାରିଥିବାରୁ ତାହାଦେଖିଲେ ବହୁତ ଖୁସିଲାଗୁଛି। ସେହିପରି ଚଳିତବର୍ଷ ଚିଲିକା କୃଷ୍ଣପ୍ରସାଦ ବ୍ଲକ ସମେତ ବ୍ରହ୍ମଗିରି ଅଞ୍ଚଳରେ ନିମ ଓ ତାଳଗଛ ଯତ୍ନ ନିମନ୍ତେ ପ୍ରୟାସ କରି ଏକ ଅଭିନବ ଅଭିଯାନ କରିଛୁ। ଅନ୍ୟପକ୍ଷେ କାହାର ଜନ୍ମଦିନ, ବିବାହ ବାର୍ଷିକୀ, ଶ୍ରାଦ୍ଧ ଉତ୍ସବ, ବିଭିନ୍ନ ପର୍ବପର୍ବାଣି, ମହାପୁରୁଷଙ୍କ ଜନ୍ମଦିବସ ଅବସରରେ ବୃକ୍ଷରୋପଣ କରିବା ପାଇଁ ଲୋକମାନଙ୍କୁ କହିଥାଏ। ପରିବେଶ ସୁରକ୍ଷା ଏବଂ ସାମାଜିକ କାର୍ଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନରୁ ଅନେକ ପ୍ରଶଂସା ମିଳୁଛି, ଯେଉଁଥିରେ ଏଥିରେ ମୋତେ ମାନସିକ ଶାନ୍ତି ମିଳିପାରୁଛି।
ତାଳଗଛ ଅଭିଯାନ- ବହୁସଂଖ୍ୟାରେ ଗଛକଟା ଯୋଗୁ ଜଙ୍ଗଲ ଧ୍ୱଂସ ହେଉଛି। ପରିବେଶ ସନ୍ତୁଳନ ବିଗୁଡ଼ୁଛି। ଚିଲିକା ଅଞ୍ଚଳରେ ପୁରୁଣା ତାଳଗଛ ସଂଖ୍ୟା କମି କମି ଯାଉଥିବାରୁ ଆଗଭଳି ଆଉ ବହୁ ସଂଖ୍ୟକ ଚିଲ ଓ କୁରବଳ ପକ୍ଷୀ ଦେଖିବାକୁ ମିଳୁନାହିଁ। ବଜ୍ରପାତରେ ଜନଜୀବନ ନଷ୍ଟ ହେଉଛି। ଏମିତି ପରିସ୍ଥିତିରେି ଚିଲିକାର ପରିବେଶ କିପରି ଭଲ ରହିବ, ପକ୍ଷୀମାନେ ଅଧିକ ସଂଖ୍ୟାରେ ଆସିବେ, ଏଥିପାଇଁ ତାଳଗଛ ବଞ୍ଚାଇବା ପରିବେଶ ସୁରକ୍ଷା ପାଇଁ ଅଣ୍ଟାଭିଡ଼ିଛନ୍ତି ଜଣେ ୫୬ବର୍ଷ ବୟସର ବ୍ୟକ୍ତି। ସେ ହେଲେ ନକୁଳ ସୁନ୍ଦରା। ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳ ସିପିଆ ଗାଁରେ ଘର। ସେ କୁହନ୍ତି ମୁଁ ଜଣେ ସାଧାରଣ ଦିନମଜୁରିଆ। ଘରେ ସ୍ତ୍ରୀ, ଗୋଟିଏ ପୁଅ ଓ ୨ ଝିଅଙ୍କୁ ନେଇ ମୋ ପରିବାର। ଦୈନିକ ମୂଲମଜୁରି ଲାଗିଲେ ପରିବାର ପ୍ରତିପୋଷଣ ହୋଇଥାଏ। ଚିଲିକାର ପରିବେଶ ଯଦି ଭଲ ରହିବ ତେବେ ଆମ ଅଞ୍ଚଳର ଶ୍ରୀ ବୃଦ୍ଧି ହେବ। ଏଥିପାଇଁ ଚିଲିକା ଅଞ୍ଚଳରେ ତାଳଗଛ ପାଇଁ କିଛି ସମୟ ଦେବାକୁ ପଡ଼ୁଛି। ଚିଲିକା କୁଦରେ ଆମ ଗାଁ । ଚିଲିକା ଉପକୂଳ ଗାଁ ରାସ୍ତାକଡ଼ ଓ ଘେରିବନ୍ଧରେ ଆଜକୁ ୩ ବର୍ଷ ହେବ ପ୍ରାୟ ୧୫ହଜାର ତାଳ ଗୋଟମା (ତାଳମଞ୍ଜି ) ପକାଇଥିଲି । ସେସବୁରୁ ଗଜା ହୋଇ ଗଛ ହୋଇସାରିଲାଣି। ତାଳ ଗଛ ସହିତ ଆଉ ଅନ୍ୟାନ୍ୟ ଗଛ ଲଗାଇବା ମୋତେ ଆନନ୍ଦ ଦେଉଛି। କାରଣ ବୃକ୍ଷ ହିଁ ଦେବତା, ସେ ଜୀବନ ଦେଇଥାଏ।
ତାଳଗଛର ମହତ୍ତ୍ୱକୁ ବୁଝାଇଥାନ୍ତି- ତାଳଗଛର ମହତ୍ତ୍ୱକୁ ବୁଝି ଗାଁକୁ ତାଳଗଛମୟ କରିଛନ୍ତି ଜଣେ ୯୦ବର୍ଷ ବୟସର ବ୍ୟକ୍ତି। ସେ ହେଲେ କେନ୍ଦୁଝର ଜିଲାର ଘଷିପୁରା ବ୍ଲକ
କଇନିପୁରା ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ବୈଷ୍ଣବ ସାହୁ। ସେ କୁହନ୍ତି ପୂର୍ବରୁ ମୋ ବାପା ସ୍ବର୍ଗତ ନିଶାକର ସାହୁ ବହୁ ତାଳଗଛ ଲଗାଇ ଏହି ଅଞ୍ଚଳରେଏକ ତାଳଗଛ ଜଙ୍ଗଲସୃଷ୍ଟି କରିଥିଲେ । ତାଙ୍କଠାରୁ ପିଲାଟିଦିନରୁ ପ୍ରେରଣା ପାଇଛି। ସେବେଠାରୁ ତାଳଗଛ ଲଗାଇ ଆସଛି । ଏ ବିଷୟରେ ଯୁବପିଢିଙ୍କୁ ସଚେତନ କରିଥାଏ। ଗାଁ ଚାଷଜମି ହିଡ଼ରେ ଧାଡ଼ିଧାଡ଼ି ତାଳଗଛ ରହିଛି। ଆମ ଅଞ୍ଚଳରେ ଏହାକୁ ‘ବାହାଳି’ ଭାବରେ ନାମିତ କରାଯାଇଥିଲା । ପ୍ରାୟ ୨୦ବର୍ଷ ତଳେ ଆମ ଗାଁ କଇନିପୁରାରେ ପ୍ରାୟ ୫ହଜାରରୁ ଅଧିକ ତାଳଗଛ ରହିଥିଲା । ଏବେ ପଡ଼ୋଶୀ ନଦୁଆଁ, ଚଉମୁହିଁ, ଅତାସାହିରେ ମଧ୍ୟ ଅନେକ ତାଳଗଛ ରହିଛି। କାଳକ୍ରମେ ବଜ୍ରପାତ, ବାତ୍ୟା ପ୍ରଭାବରେ ଅନେକ ଗଛ କ୍ଷତିଗ୍ରସ୍ତ ହୋଇଥିଲା । କିଛିବର୍ଷ ହେବ ବଜ୍ରପାତ ଯୋଗୁ ବହୁତ ଜୀବନ ହାନି ଘଟୁଛି। ସେହି ମୃତ୍ୟୁ ରୋକିବା ପାଇଁ ଗ୍ରାମରେ ତାଳଗଛ ରୋପଣ ପାଇଁ ଯୁବଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। କିଛି ବର୍ଷ ତଳେ ଆମ ଗାଁରେ ଥିବା ତାଳଗଛରେ ବହୁଳ ସଂଖ୍ୟାରେ ବାୟାଚଢ଼େଇ ବସା ଦୋହଲୁଥିବାର ଦୃଶ୍ୟ ଦେଖିଲେ ମନ ଖୁସି ହୋଇଯାଉଥିଲା । କିନ୍ତୁ ଆଜିକାଲି ସେସବୁ କମି ଯାଇଛି ବରଂ ପ୍ରତିବର୍ଷ ବଜ୍ରପାତ ବଢିଛି। ସେଥିରୁ ରକ୍ଷା ପାଇଁ ଚଳିତବର୍ଷ ୩ ଶହରୁ ଅଧିକ ତାଳ ଗୋଟମା (ତାଳମଞ୍ଜି) ନିଜ ଜମିରେ ଲଗାଇଛି । ତାଳଗଛ ସୁରକ୍ଷା ଅଭିଯାନରେ ଗାଁର ଅନ୍ୟମାନେ ସାମିଲ ଅଛନ୍ତି। ଗଛ ଲଗାଇ ତା’ର ଯତ୍ନ ନେବା ସହ ଏହାର ଉପକାରିତା ବିଷୟରେ ଲୋକମାନଙ୍କୁ ସଚେତନ କରିଥାଏ । ଆନନ୍ଦପୁର ଉପଖଣ୍ଡରେ ତାଳଗଛ ଗାଁ ଭାବେ ଆମ ଗାଁର ନଁା ଥିଲା। ତା’ ପୂର୍ବ ଗୌରବ ଫେରିବା ପାଇଁ ସମସ୍ତଙ୍କ ସହଯୋଗ ରହିବା ଉଚିତ। ତାଳଗଛ ବଜ୍ରପାତ ରୋକିବା ସହିତ ପରିବେଶ ସନ୍ତୁଳନ ରକ୍ଷାକରିଥାଏ।
ତାଳବଣିଆର ଶ୍ରୀବୃଦ୍ଧି ପାଇଁ ପ୍ରୟାସ-ସେ ଜଣେ ଯୁବ ଇଞ୍ଜିନିୟର । ବିଭିନ୍ନ ସାମାଜିକ ସେବା କରିବା ସହିତ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରିଥାନ୍ତି। ଏମିତିରେ ପୁରୀ ତାଳବଣିଆରେ କିପରି ବହୁଳ ସଂଖ୍ୟାରେ ତାଳଗଛ ସଂଖ୍ୟା ବଢ଼ିବ ଓ ତା’ର ସୁରକ୍ଷା ହୋଇପାରିବ ସେଥିପାଇଁ ହାପିନେସ୍‌ ଫାଉଣ୍ଡେଶନ ନାମରେ ଏକ ସାମାଜିକ ଅନୁଷ୍ଠାନ ଗଠନକରି ତା’ର ପ୍ରତିଷ୍ଠାତା ଓ ସଭାପତି ଭାବେ କାର୍ଯ୍ୟ ତୁଲାଉଛନ୍ତି ପ୍ରଦୀପ୍ତ କୁମାର ପ୍ରଧାନ ।ସେ କୁହନ୍ତି ପୁରୀ ବସଷ୍ଟାଣ୍ଡ ନିକଟ ଆଇତୋଟାରେ ମୋ ଘର । ଦିନଥିଲା ଶ୍ରୀକ୍ଷେତ୍ର ପୁରୀ ତାଳବଣିଆରେ ହଜାର ହଜାର ସଂଖ୍ୟାରେ ତାଳଗଛ ଥିଲା। କିନ୍ତୁ କିଛିବର୍ଷ ହେଲା ତାଳଗଛ ଏଠାରୁ କମି ଯାଇଛି। ସମୁଦ୍ର ଓ ଚିଲିକା ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ବେଳେ ଜନଜୀବନକୁ ତାଳଗଛ ସୁରକ୍ଷା ଦେଉଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହା ସୁରକ୍ଷା କବଚପରି ସହାୟକ ହୋଇଥାଏ। ପୁଣି ଶ୍ରୀକ୍ଷେତ୍ର୍ରର ଶ୍ରୀ ବୃଦ୍ଧିରେ ତାଳବଣିଆର ପରିଚୟ ରହିଛି। ବିଶେଷକରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ ତାଳଗଛକୁ ଉପଯୋଗ କରାଯାଇଥାଏ। ବର୍ଷର ସବୁସମୟରେ ତାଳଭୋଗେଇ, ତାଳଡ଼ାଲା ଆଦିରେ ଠାକୁରଙ୍କୁ ଭୋଗ ଅର୍ପଣ କରାଯାଇଥାଏ। କିନ୍ତୁ ଆଗ ପରି ସେମିତି ତାଳଗଛ ନ ଥିବାରୁ ପ୍ରତିବର୍ଷ ବଜ୍ରପାତରେ ଲୋକଙ୍କ ଅକାଳ ବିୟୋଗ ଘଟୁଛି। ସେଥିପାଇଁ ଆମ ସଂଗଠନର ସମସ୍ତ ସଭ୍ୟାସଭ୍ୟ ଏକ ଆଲୋଚନା କରି ପୁରୀର କେତେକ ସ୍ଥାନରେ ତାଳମଞ୍ଜି ଲଗାଇଛୁ। ଏଥିପାଇଁ ୨୦୨୦ ମସିହାରୁ ହାପିନେସ୍‌ ସଂଗଠନ କରିଥିଲୁ। ଏହି ଅଞ୍ଚଳର ପ୍ରାୟ ୯ଟି କଲେଜରେ ଇକୋକ୍ଲବ ଓ ଷ୍ଟୁଡେଣ୍ଟ ୟୁଥ୍‌ କ୍ଲବ ଗଠନ କରିଛୁ। ଏଥିରେ ଏଯାଏ ପ୍ରାୟ ୨ଶହ ସଦସ୍ୟ ଅଛନ୍ତି। ବିଶେଷକରି୨୦୨୨ମସିହାରୁ ତାଳଗଛ ଅଭିଯାନ ଆରମ୍ଭ କରିଥିଲୁ। ସେହିବର୍ଷ ଜୁନ ମାସରେ ତାଳବଣିଆରୁ ପାଚିଲା ତାଳ ସଂଗ୍ରହ କରିଥିଲୁ । ସେବେଠାରୁ ପ୍ରତିବର୍ଷ ପ୍ରାୟ ୧୫ଜଣ ସଦସ୍ୟ ଭୋର ୫ଟାରୁ ଓଁକାରେଶ୍ୱର , ପୁରୀ ବାଇପାସ୍‌ ରାସ୍ତା କଡ଼ ଓ ତାଳବଣିଆ ଆଦି ସ୍ଥାନକୁ ଯାଇ ସେଠାରୁ ପାଚିଲା ତାଳ ସଂଗ୍ରକରିଥାନ୍ତି। ତା’ ପରେ ସଂଗ୍ରହ କରାଯାଇଥିବା ସେହି ତାଳଗୁଡ଼ିକୁ ପମ୍ପହାସ ନିକଟସ୍ଥ ଏକ ନିର୍ଦ୍ଦିଷ୍ଟ ଜାଗାରେ ସାଇତି ରଖିଥିଲୁ। ତାଳ ମଞ୍ଜିଗୁଡ଼ିକରେ ବର୍ଷାପାଣି ପଡ଼ିଲାପରେ ଗଜା ହୋଇଥିଲା। ତା’ପରେ ସେହିବର୍ଷ ତାଳବଣିଆରେ ପ୍ରାୟ ୧ହଜାର ତାଳମଞ୍ଜି ଲାଗାଇଥିଲୁ। ୨୦୨୩ ମସିହାରେ ଦ୍ୱିତୀୟଥର ୩ହଜାର ଓ ତୃତୀୟଥର ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସର ଏବଂ ତାଳବଣିଆ ଅଞ୍ଚଳରେ ପ୍ରାୟ ୫ହଜାର ତାଳମଞ୍ଜି ଲଗାଇ ସାରିଛୁ। ଅନ୍ୟପକ୍ଷେ ପୁରୀ ବଡ଼ଦାଣ୍ଡର ସୌନ୍ଦର୍ଯ୍ୟ ପାଇଁ କଦମ୍ବ, ପେସ୍ତାବାଦାମ ଆଦି ପ୍ରାୟ୪୦ଟି ଗଛ ଲଗାଇଛୁ । ଏହି କାର୍ଯ୍ୟରେ ଯାହାକିଛି ଅର୍ଥ ଖର୍ଚ୍ଚ ହୁଏ ଆମେ ସମସ୍ତ ସଦସ୍ୟ ନିଜର ସଞ୍ଚତ୍ତ ପକେଟ ମନିରୁ ଖର୍ଚ୍ଚ କରିଥାଉ। ହାପିନେସ୍‌ର କାର୍ଯ୍ୟକାରୀ ସମ୍ପାଦକ ସୌମ୍ୟରଞ୍ଜନ ସାହୁ କୁହନ୍ତି, ତାଳଗଛର ପରିବେଶ ସୁରକ୍ଷାରେ ଯେଉଁ ଉପକାରିତା ରହିଛି ତାହାକୁ ଏବେ ଅନେକେ ବୁଝିଲେଣି। ଏଥିପାଇଁ ୨୦୧୮ ମସିହାରୁ ସରକାରଙ୍କ ଆରମ୍ଭ ହୋଇଛି ମିଶନ ତାଳଗଛ । ବାସ୍ତବିକ ପରିବେଶ ଓ ମାନବ ସମାଜ ପାଇଁ ତାଳଗଛର ଅବଦାନ ଅତୁଳନୀୟ।
ତାଳଗଛ ପାଇଁ ବେଶି ପରିଶ୍ରମ କରିବାକୁ ପଡ଼େନି-: ସ୍କୁଲ ବୟସରୁ ସେ ବିଭିନ୍ନ ସାମାଜିକ କାର୍ଯ୍ୟକରୁଥିଲେ। ପରିବେଶ ସୁରକ୍ଷା ପାଇଁ ଗଛ ଲଗାଉଥିଲେ। ଗାଁ ରାସ୍ତାରେ ଯାଉଥିବାବେଳେ ଦେଖିଲେ ଆଗଭଳି ଆଉ ତାଳଗଛ ନାହିଁ କି ତାଳଗଛରେ ବାଇଚଢ଼େଇବସା ଝୁଲୁଥିବା ଦେଖିବାକୁ ମିଳୁନି। ବଜ୍ରପାତରେ ପ୍ରତିବର୍ଷ ବହୁତ ଲୋକ ମରୁଛନ୍ତି। ସେ ଚିନ୍ତାକଲେ ଯଦି ତାଳଗଛ ଲଗାଇବି ତେବେ ଏସବୁର କିଛି ସମାଧାନ ହୋଇପାରବ । ଏଥିପାଇଁ ମନୋଜକୁମାର ମଲ୍ଲିକ କୁହନ୍ତି, କଟକ ଜିଲା ନିଶ୍ଚନ୍ତକୋଇଲି ବ୍ଲକ ଅଧୀନରେ ଆମ ଘର । ୨୦୨୨ ମସିହାରୁ ତାଳଗଛ ପ୍ରତି ମନବଳାଇଥିଲି। ଜୁନ ଓ ଜୁଲାଇ ମାସରେ ଆମ ବ୍ଲକ ଅଧୀନ ଏକାଧିକ ସ୍ଥାନରେ ଥିବା ପୁରୁଣା ତାଳଗଛ ନିକଟରେ ପଡ଼ିଥିବା ପାଚିଲା ତାଳକୁ ସଂଗ୍ରହକରିଥିଲି। । ପ୍ରତି ରବିବାର ଗାଁର କେତେଜଣ ବ୍ୟକ୍ତିଙ୍କୁ ନେଇ ବରପଡ଼ା, ନଦୀବନ୍ଧ, କେନାଲବନ୍ଧ, ସାଧକନଗର, ସୁକରପଡ଼ା, ବୁହାଳଭୋଜିହୁଡ଼ା ଆଦି ଜାଗାରେ ପ୍ରାୟ ୭ହଜାର ତାଳମଞ୍ଜି ଲଗାଇ ସାରିଲୁଣି। ତାଳଗଛ ଲଗାଇବାରେ ବେଶି ପରିଶ୍ରମ କରିବାକୁ ପଡ଼େନି। ଏଥିରେ ବଳରାମ ପତି, ଡ. ଅଶ୍ୱିନୀ କୁମାର ଲେଙ୍କା, ବାପୁ ଦାସ, ସୁଧାଂଶୁ ଭୂୟଁା, ଦେବେନ୍ଦ୍ର ଲେଙ୍କା, ହେମନ୍ତ କୁମାର ରାଉତ ପ୍ରମୁଖ ସହଯୋଗ କରିଛନ୍ତି। ଏଥିସହିତ ନିଶ୍ଚିନ୍ତକୋଇଲି ସଚେତନ ନାଗରିକ ମଞ୍ଚର ସଦସ୍ୟମାନେ ଏହି ଅଭିଯାନର ସଫଳତା ପାଇଁ ସହଯୋଗ କରିଥାନ୍ତି।
ତାଳଗଛ ବହୁତ ଉପକାର କରେ-: ଭାରତ ବିକାଶ ପରିଷଦର ନୟାଗଡ଼ ଶାଖା ପକ୍ଷରୁ ଦୁଇ ବର୍ଷ ହେଲା ତାଳ ଚାରା ରୋପଣ ଚାଲିଛି। ଏହି ଚାରା ରୋପଣ କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦର ସଦସ୍ୟଙ୍କ ସମେତ ନୟାଗଡ଼ର ଅନେକ ବୁଦ୍ଧିଜୀବୀ ସାମିଲ ହୋଇଛନ୍ତି। ପ୍ରତିବର୍ଷ ଏକହଜାର ଲେଖାଏ ଦୁଇ ହଜାର ଚାରା ରୋପଣ ହୋଇଛି। ଗତବର୍ଷ ତାଳ ଚାରା ନୟାଗଡ଼ ରେଲ୍‌ୱେ କଲୋନି, ରେଳ ଲାଇନ କଡ଼ ଓ ବାଉଁସିଆପଡା କୁସୁମୀ ନଦୀ ପଠାରେ ରୋପଣ କରାଯାଇଛି । ଚଳିତ ବର୍ଷ ମଧ୍ୟ ସମାନ ସ୍ଥାନରେ ରୋପଣ କାର୍ଯ୍ୟ ଚାଲୁ ରହିଛି। ଏନେଇ ଭାରତ ବିକାଶ ପରିଷଦର କୋଷାଧ୍ୟକ୍ଷ ପ୍ରଫୁଲ ନାୟକ କୁହନ୍ତି, ତାଳଗଛ ଘଡ଼ଘଡ଼ି ମାରିବାରୁ ପ୍ରାଣୀଜଗତକୁ ବଞ୍ଚାଇଥାଏ । ଏଥିସହିତ ତାଳଗଛରେ ବାଇ ଚଢ଼େଇ ବସା କରିଥାଏ। ଏହାର ପତ୍ରରୁ ବିଞ୍ଚଣା, ଆସନ, ଖେଳଣା ଇତ୍ୟାଦି ପ୍ରସ୍ତୁତ ହୁଏ । ତାଳସଜ ଓ ପାଚିଲା ତାଳ ପ୍ରାଣୀ ଜଗତ ଖାଦ୍ୟ ରୂପେ ବ୍ୟବହାର କରେ। ଆଗାମୀ ଦିନରେ ଅଧିକ ସଂଖ୍ୟକ ତାଳ ଚାରା କୁସୁମୀ ନଦୀ କୂଳରେ ରୋପଣ କରାଯିବା ନିମନ୍ତେ ସ୍ଥିର କରାଯାଇଛି।-ବନବିହାରୀ ବେହେରା, ଲୋକନାଥ ମିଶ୍ର, ନିରଞ୍ଜନ ସାହୁ, କୈଳାସ ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି...

କ୍ୟାନ୍‌ସର ପୀଡ଼ିତଙ୍କୁ ଲୋଡ଼ା ସକାରାତ୍ମକ ସହଯୋଗ

ଆଜି ସାରା ବିଶ୍ୱରେ ରୋଜ ଡେ’ ପାଳନ କରାଯାଉଛି। କ୍ୟାନସରରେ ପୀଡିତ ଲୋକଙ୍କ ଜୀବନରେ ସୁଖ ଆଣିବା ଏବଂ ଜୀବନର ମହତ୍ତ୍ୱ ବୁଝାଇବା ପାଇଁ ପ୍ରତିବର୍ଷ...

ଆଧାର କାର୍ଡରେ କାହିଁକି ହସନ୍ତିନି ଲୋକ, ଜଣାପଡିଲା ବଡ଼ କାରଣ…

ଭାରତରେ ରହୁଥିବା ପ୍ରତ୍ୟେକ ନାଗରିକଙ୍କ ପାଖରେ ଆଧାର କାର୍ଡ ରହିବା ଆବଶ୍ୟକ । ଅନେକଙ୍କର ପାଖରେ ପାନ୍‌ ଓ ପାସପୋର୍ଟ ମଧ୍ୟ ଅଛି । ଭାରତରେ,...

ମନ୍ଦିର ମାଳିନୀ ଭୁବନେଶ୍ୱର

ପୁରାଣ ପ୍ରସିଦ୍ଧ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀ କରିବା ପାଇଁ ୧୯୪୮ ଏପ୍ରିଲ ୧୩ରେ ଶିଳାନ୍ୟାସ କରାଯାଇଥିଲା। ଏହାପରଠାରୁ ଧୀରେ ଧୀରେ ଏହା ଦେଶର...

ବିଶ୍ୱ ଐତିହ୍ୟ ତାଲିକାରେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତିରେ ଭିତରକନିକା…

କେନ୍ଦ୍ରାପଡ଼ା ଜିଲାରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାର ଜୈବ ବିବିଧତା ପ୍ରକୃତିପ୍ରେମୀଙ୍କୁ ସର୍ବଦା ଆକୃଷ୍ଟ କରିଆସୁଛି। ଏହି ଆର୍ଦ୍ରଭୂମିରେ ୭୨ ପ୍ରକାର ହେନ୍ତାଳ ଜାତୀୟ ବିରଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri