ସାମୁଦ୍ରିକ ଝଡ଼ ଗାବ୍ରିଏଲର ତାଣ୍ଡବ, ୨୫୦ କିଲୋମିଟର ବେଗରେ ବହିଲା ପବନ, ଜରୁରୀକାଳୀନ ପରିସ୍ଥିତି ଜାରି…

ଅକଲାଣ୍ଡ,୧୪।୨ : ନ୍ୟୁଜିଲାଣ୍ଡରେ ସମୁଦ୍ର ଝଡ଼ ଗାବ୍ରିଏଲର ତାଣ୍ଡବ ଆରମ୍ଭ ହୋଇଛି। ଝଡ ଯୋଗୁ ଅଧିକ ବିନାଶ ହେବାର ଆଶଙ୍କା ରହିଛି। ଏହି କାରଣରୁ ନ୍ୟୁଜିଲାଣ୍ଡ ସରକାର ଏକ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ନ୍ୟୁଜିଲାଣ୍ଡ ଇତିହାସରେ ଏହା ତୃତୀୟ ଥର ପାଇଁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ୨୦୧୯ରେ ଖ୍ରୀଷ୍ଟଚଚ୍ଚର୍ର୍ ଆତଙ୍କବାଦୀ ଆକ୍ରମଣ ପରେ ଏବଂ ୨୦୨୦ ରେ କରୋନା ମହାମାରୀ ସମୟରେ ଅନ୍ୟ ଦୁଇଟି ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା।

ଗାବ୍ରିଏଲ ଝଡ଼ ଯୋଗୁଁ ଏଠାରେ ଅନେକ ଫୁଟ ଉଚ୍ଚ ଜୁଆର ଦେଖାଦେଇଛି। ଲଗାତାର ପ୍ରବଳ ବର୍ଷା ହେଉଛି। ଏପର୍ଯ୍ୟନ୍ତ ୬୦୦ ରୁ ଅଧିକ ବିମାନର ଉଡ଼ାଣ ବାତିଲ କରାଯାଇଛି। ବାତ୍ୟା ଯୋଗୁଁ ଦେଶର ଉତ୍ତର ଅଞ୍ଚଳରେ ୨୫୦ କିଲୋମିଟର ବେଗରେ ପବନ ବହିବା ଆରମ୍ଭ କରିଛି। ମଙ୍ଗଳବାର ସକାଳେ ଅକଲାଣ୍ଡ ସହରରେ ପବନର ବେଗ ଘଣ୍ଟା ପ୍ରତି ୧୧୦ କିଲୋମିଟର ଥିଲା।

ଉତ୍ତର ଅଞ୍ଚଳରେ ପ୍ରାୟ ୪୦ ହଜାର ଘରେ ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯାଇଛି। ଏହି ଝଡ଼ ଯୋଗୁ ବନ୍ୟା ଓ ଭୂସ୍ଖଳନ ହେବାର ଆଶଙ୍କା ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଯୋଗୁ ବହୁ ଘର ପାଣିରେ ବୁଡ଼ି ରହିଥିବା ସ୍ଥାନୀୟ ମେଡ଼ିଆ କହିଛି।

Share