ବର୍ଷା ଆଉ ବନ୍ୟା ପରେ ଏବେ ଚିନ୍ତା ବଢାଇଲାଣି ବାତ୍ୟା ‘ହିଗୋସ’

ବେଜିଂ,୨୦।୮: ପ୍ରଥମେ କରୋନା ମହାମାରୀ ଏହାପରେ ବର୍ଷା ଓ ବନ୍ୟା ଚାଇନାବାସୀଙ୍କ ନିଦ ହଜାଇ ଦେଇଥିବା ବେଳେ ଏବେ ମାଡି ଆସିଛି ବାତ୍ୟା ‘ହିଗୋସ’। ବୁଧବାର ଏହା ଚାଇନାର ଦକ୍ଷିଣ ଉପକୂଳରେ ସ୍ଥଳଭାଗ ଛୁଇଁଥିବା ବେଳେ ଏହା ସାଧାରଣ ଜୀବନ ଉପରେ ଖୁବ୍‌ ପ୍ରଭାବ ପକାଇଛି। ବାତ୍ୟା ‘ହିଗୋସ’ ଆସିବା ପରେ ସେଠାରେ ପୁଣିଥରେ ବନ୍ୟା ସହ ଭୂସ୍ଖଳନ ଦ୍ୱାରା ବି ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଚାଇନାର ଖବରକାଗଜ ପିପୁଲ୍ସ ଡେଲିର ସୂଚନା ଅନୁଯାୟୀ, ୟୁନାନ ଅଞ୍ଚଳରେ ହୋଇଥିବା ଭୂସ୍ଖଳନରେ ଦୁଇଟି ଘର କ୍ଷତିଗ୍ରସ୍ତ ହେବା ସହ ୫ ଲୋକ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ସେହିପରି ସେଠାକାର ଗଣମାଧ୍ୟମର ସୂଚନା ଅନୁଯାୟୀ, ସିଚୁୟାନ ଅଞ୍ଚଳର ୟିବିନ ସହରରେ ରାସ୍ତା ଉପରେ ଠିଆ ହୋଇଥିବା ପ୍ରାୟ ୨୧ଟି ଗାଡ଼ି ରାସ୍ତା ଫାଟିଯାଇ ସୃଷ୍ଟି ହୋଇଥିବା ଖାଲରେ ଖସି ପଡିଛି। ତେବେ ବାତ୍ୟାରେ କ୍ଷୟକ୍ଷତିର ପରିମାଣ ଆକଳନ କରାଯାଇ ନ ଥିବା ବେଳେ ବନ୍ୟାରେ ୨ଶହ ଲୋକଙ୍କ ମୃତ୍ୟୁ ହେବା ସହ ପାଖାପାଖି ୨୫ ଅରବ ଡଲର ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଥିବା କୁହାଯାଇଛି।

Share