ମଧ୍ୟପ୍ରାଚ୍ୟରେ ଘମାଘୋଟ ଲଢ଼େଇ:ଥରିଲେ ସାଧାରଣ ନାଗରିକ

ଜେରୁଜେଲମ୍‌,୨୬ା୮:ଲେବାନନ୍‌ର ଆତଙ୍କବାଦୀ ସଙ୍ଗଠନ ହେଜବୋଲ୍ଲା ଏବଂ ଇସ୍ରାଏଲ ରବିବାର ପରସ୍ପର ଉପରେ ବଡ଼ ଧରଣର ସାମରିକ ଆକ୍ରମଣ ଘୋଷଣା କରିଛନ୍ତି। ଇରାନ୍‌ ସମର୍ଥତ୍ତ ହେଜ୍‌ବୋଲ୍ଲା ଇସ୍ରାଏଲୀ ସେନାଘାଟିଗୁଡ଼ିକୁ ଟାର୍ଗେଟ କରି ୩୨୦ରୁ ଊର୍ଦ୍ଧ୍ୱ କାଟ୍ୟୁଶା ରକେଟ ମାଡ଼ କରିଛି। ଅନ୍ୟପକ୍ଷେ ଇସ୍ରାଏଲୀ ହିଫେନ୍ସ ଫୋର୍ସେସ୍‌ (ଆଇଡିଏଫ୍‌) ଏନେଇ ଆଗୁଆ ସୂଚନା ପାଇ ଦକ୍ଷିଣ ଲେବାନନ୍‌ରେ ଥିବା ହେଜବୋଲ୍ଲାର ଅନେକ ଆଡ୍ଡାକୁ ଉଡ଼ାଇ ଦେଇଛି। ଇସ୍ରାଏଲୀ ନାଗରିକମାନଙ୍କ ପ୍ରତି ତତ୍କାଳ ବିପଦ ଆଶଙ୍କା କରି ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ ଇସ୍ରାଏଲୀ ବାୟୁସେନାର ଶତାଧିକ ଯୁଦ୍ଧବିମାନ ଜରିଆରେ ଅନେକ ଶହ ରକେଟ ଛଡ଼ାଯାଇଥିବା ଆଇଡିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଆଇଡିଏଫ୍‌ ଆକ୍ରମଣରେ ଲେବାନନ୍‌ରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଇସ୍ରାଏଲରେ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନାହିଁ। ୨୦୨୩ ଅକ୍ଟୋବର ୭ରୁ ଇସ୍ରାଏଲ-ହମାସ୍‌ ମଧ୍ୟରେ ଯୁଦ୍ଧ ଚାଲିଥିବାବଳେ ଗତ ୧୧ ମାସ ମଧ୍ୟରେ ଏହା ହେଉଛି ପରସ୍ପର ଉପରେ ସବୁଠୁ ବଡ଼ ରକେଟ ଆକ୍ରମଣ, ଯାହାକୁ ନେଇ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଇସ୍ରାଏଲ୍‌ ଏବଂ ଲେବାନନ୍‌ ସ୍ଥିତି ଉପରେ ରାଷ୍ଟ୍ରପତି ଜୋ ବାଇଡେନ୍‌ ଅନୁଧ୍ୟାନ କରୁଥିବା ଆମେରିକା ଜାତୀୟ ସୁରକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଦେଶରେ ରବିବାର ସ୍ଥାନୀୟ ସମୟ ସକାଳ ୬ଟା (ଭାରତୀୟ ସମୟ ପୂର୍ବାହ୍ନ ୮ଟା ୩୦ ମିନିଟ)ରୁ ୪୮ ଘଣ୍ଟିଆ ଏମର୍ଜେନ୍ସି ଜାରି କରିଛନ୍ତି।
ଗତ ଜୁଲାଇ ଶେଷ ଭାଗରେ ଇସ୍ରାଏଲ୍‌ ଆକ୍ରମଣରେ ହେଜବୋଲ୍ଲା ସହପ୍ରତିଷ୍ଠାତା ତଥା ବରିଷ୍ଠ କମାଣ୍ଡର ଫୁଆଦ୍‌ ଶୁକ୍‌ର ନିହତ ହୋଇଥିଲେ। ଏହାର ଜବାବ ଦେବା ପାଇଁ ପ୍ରସ୍ତୁତି ଚଳାଇଥିବା ହେଜବୋଲ୍ଲା ରବିବାର ଇସ୍ରାଏଲସ୍ଥିତ ମେରୋନ୍‌ ଏବଂ ଅଧିକୃତ ଗୋଲାନ୍‌ ହାଇଟ୍ସ ସମେତ ୧୧ ସେନା ଶିବିରକୁ ଟାର୍ଗେଟ କରି ୩୨୦ରୁ ଅଧିକ ରକେଟ ମାଡ଼ କରିଥିଲା। ଏଥିସହ ଇସ୍ରାଏଲ୍‌ର ଅନେକ ଆଇରନ୍‌ ଡୋମ୍‌ ପ୍ଲାଟ୍‌ଫର୍ମକୁ ମଧ୍ୟ ଟାର୍ଗେଟ କରିଥିଲା। ଇସ୍ରାଏଲୀ ସେନା ଆକ୍ରମଣରେ ଗତ କିଛି ସପ୍ତାହ ମଧ୍ୟରେ ହେଜ୍‌ବୋଲ୍ଲା ଓ ଏହାର ସହଯୋଗୀ ହମାସ୍‌ର ଅନେକ ବରିଷ୍ଠ କମାଣ୍ଡରଙ୍କ ମୃତ୍ୟୁ ଘଟିଥିବାରୁ ଇସ୍ରାଏଲ୍‌ ଉପରେ ଏହି ସଶସ୍ତ୍ର ଗୋଷ୍ଠୀ ଏଭଳି କିଛି ବଡ଼ ଆକ୍ରମଣ କରିପାରେ ବୋଲି ପୂର୍ବରୁ ଆଶଙ୍କା କରାଯାଉଥିଲା। ଇସ୍ରାଏଲ୍‌ ଏଥିପାଇଁ ଆଗୁଆ ପ୍ରସ୍ତୁତ ହୋଇ ରହିଥିଲା। ରବିବାର ହେଜବୋଲ୍ଲା ପକ୍ଷରୁ ଆକ୍ରମଣ କରାଯିବାର କିଛି ସମୟ ପୂର୍ବରୁ ଆଇଡିଏଫ୍‌ ପ୍ରାୟ ୧୦୦ ଫାଇଟର ଜେଟ୍‌ରୁ ହେଜବୋଲ୍ଲାର ଅନେକ ହଜାର ଲଞ୍ଚ୍‌ ସାଇଟ୍‌କୁ ଟାର୍ଗେଟ କରିଥିଲା। ଏଥିରେ ହେଜ୍‌ବୋଲ୍ଲା ସହ ଅନୁବନ୍ଧିତ ଅମଲ ଗ୍ରୁପ୍‌ର ଜଣେ ଫାଇଟରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ କେତେଜଣ ମଧ୍ୟ ଆହତ ହୋଇଛନ୍ତି।
ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ପରାମର୍ଶ କ୍ରମେ ପ୍ରତିରକ୍ଷା ମନ୍ତ୍ରୀ ୟୋଆଭ୍‌ ଗାଲାଣ୍ଟ ୪୮ ଘଣ୍ଟିଆ ‘ସ୍ପେଶାଲ ସିଚୁଏଶନ୍‌’ ବା ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି। ନେତାନ୍ୟାହୁ କହିଛନ୍ତି, ଇସ୍ରାଏଲ୍‌ ନିଜ ଆମତ୍ରକ୍ଷା ପାଇଁ ଯାହା ପାରିବ ସବୁ କରିବ। ଯିଏ ଆମର କ୍ଷତି କରିବ, ଆମେ ତା’ର କ୍ଷତି କରିବୁ ବୋଲି ଜରୁରୀ ବୈଠକରେ ସେ କହିଛନ୍ତି।
୨୦୨୩ରୁ ତେଲ୍‌ଆଭିଭ ପକ୍ଷରୁ ଗାଜା ଆକ୍ରମଣ ଜାରି ରହିଥିବାବେଳେ ଏହି ଆକ୍ରମଣ ଓ ପ୍ରତିଆକ୍ରମଣ ଆଗକୁ ଯୁଦ୍ଧ ସଙ୍କଟ ବଢ଼ାଇପାରେ ବୋଲି ଆଶଙ୍କା କରାଯାଉଛି। ବିଶେଷକରି ହମାସ୍‌ର ରାଜନୈତିକ ମୁଖ୍ୟ ଇସ୍‌ମାଇଲ ହାନିୟେଙ୍କୁ ତେହରାନ୍‌ରେ ଏବଂ ହେଜବୋଲ୍ଲା କମାଣ୍ଡର ଫୁଆଦ୍‌ ଶୁକ୍‌ରଙ୍କୁ ବିରୁଟ୍‌ରେ ହତ୍ୟା କରାଯିବା ପରେ ଏଭଳି ଆଶଙ୍କା ଦୃଢ଼ୀଭୂତ ହୋଇଥିଲା। ଏହି ଦୁଇଜଣଙ୍କ ମୃତ୍ୟୁ ପାଇଁ ଇସ୍ରାଏଲ୍‌କୁ ଦାୟୀ କରାଯାଉଛି। ଆମେରିକା ଜାତୀୟ ସୁରକ୍ଷା ପରିଷଦ ମୁଖପାତ୍ର ସେଆନ୍‌ ସଭେଟ୍ଟ ଏକ ବିବୃତିରେ କହିଛନ୍ତି, ଓ୍ବାଶିଂଟନ୍‌ ଇସ୍ରାଏଲ୍‌କୁ ଆମତ୍ରକ୍ଷା କ୍ଷେତ୍ରରେ ସମର୍ଥନ ଜାରି ରଖିବ। ରାଷ୍ଟ୍ରପତି ବାଇଡେନ୍‌ଙ୍କ ନିର୍ଦ୍ଦେଶକ୍ରମେ ବରିଷ୍ଠ ଅଧିକାରୀମାନେ ଇସ୍ରାଏଲୀ ପ୍ରତିପକ୍ଷଙ୍କ ସହ ଲଗାତର ଯୋଗାଯୋଗ କରୁଛନ୍ତି। ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ବନ୍ଦ ପାଇଁ ଇଜିପ୍ଟ ମଧ୍ୟସ୍ଥତାରେ ଆଉ ଏକ ପର୍ଯ୍ୟାୟରେ ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଯୁଦ୍ଧବିରତି ପାଇଁ ସହମତି ପ୍ରକାଶ ପାଇଲେ ନିଜେ ଆକ୍ରମଣରୁ ଓହରିଯିବ ବୋଲି ହେଜ୍‌ବୋଲ୍ଲା କହିଛି। ଲେବାନନ୍‌ରେ ଥିବା ଜାତିସଂଘର ଅନ୍ତରୀଣ ବଳ (ୟୁଏନ୍‌ଆଇଏଫ୍‌ଆଇଏଲ୍‌) ଉଭୟ ପକ୍ଷକୁ ଉତ୍ତେଜନା ବୃଦ୍ଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ସଂଯମ ରହିବାକୁ ପରାମର୍ଶ ଦେଇଛି। ଜାତିସଂଘ ଏବଂ ଲେବାନନ୍‌ ପ୍ରଧାନମନ୍ତ୍ରୀ ସାଦ୍‌ ହାରିରି ଏହି ଆକ୍ରମଣକୁ ଅତ୍ୟନ୍ତ ଚିନ୍ତାଜନକ ବୋଲି ଅଭିହିତ କରିଛନ୍ତି।
ଇତିମଧ୍ୟରେ ହେଜବୋଲ୍ଲା ପକ୍ଷରୁ ଇସ୍ରାଏଲ୍‌ ଉପରେ ଅଧିକ ଆକ୍ରମଣ ଆଶଙ୍କା କରି ବେନ୍‌ ଗୁରିଓନ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅନେକ ବିମାନ ବିଳମ୍ବିତ ଉଡ଼ାଣ କରିଛି। ଏହାବାଦ୍‌ ଅନେକ ବିମାନର ରୁଟ୍‌ ମଧ୍ୟ ପରିବର୍ତ୍ତନ କରାଯାଇଛି। ଜରୁରୀ ସେବାଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି। ପ୍ରକାଶ ଯେ, ଗତବର୍ଷ ଅକ୍ଟୋବରରୁ ଆରମ୍ଭ ହୋଇଥିବା ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧରେ ଅନେକ ହଜାର ଲୋକଙ୍କ ପ୍ରାଣହାନି ଘଟିଲାଣି। ହମାସ୍‌ ଆକ୍ରମଣରେ ଇସ୍ରାଏଲ୍‌ର ପ୍ରାୟ ୧,୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଗାଜା ଉପରେ ଆଇଡିଏଫ୍‌ର ପ୍ରତିଆକ୍ରମଣରେ ୪୦,୦୦୦ରୁ ଊର୍ଦ୍ଧ୍ୱ ପାଲେଷ୍ଟିନୀୟ ନିହତ ହୋଇଥିବା ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହାବାଦ୍‌ ଅନେକ ଲକ୍ଷ ପାଲେଷ୍ଟିନୀୟ ବାସଚ୍ୟୁତ ହୋଇ ଇଜିପ୍ଟ ସୀମାରେ ଆଶ୍ରୟ ନେଇଛନ୍ତି। ସେହିପରି ଇସ୍ରାଏଲ୍‌ ଆକ୍ରମଣରେ ଲେବାନନ୍‌ର ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ହେଜବୋଲ୍ଲା ପାଖରେ ବର୍ତ୍ତମାନ ପ୍ରାୟ ଦେଢ଼ ଲକ୍ଷ ରକେଟ ରହିଛି, ଯାହାକି ଇସ୍ରାଏଲକୁ ଧ୍ୱଂସ କରିବା ପାଇଁ ପର୍ଯ୍ୟାପ୍ତ ବୋଲି ଏହି ସଙ୍ଗଠନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଉପରେ ବାଂଲାଦେଶର ଆଉ ଏକ ବଡ଼ ଅଭିଯୋଗ

ଢାକା/ନୂଆଦିଲ୍ଲୀ,୨୩।୧୨: ବାଂଲାଦେଶ କ୍ରମାଗତ ଭାବରେ ଭାରତ ଉପରେ ନୂଆ ଅଭିଯୋଗ କରୁଛି। ବର୍ତ୍ତମାନ ବାଂଲାଦେଶର ଏକ ଅନୁସନ୍ଧାନ କମିଶନ ଦେଶରୁ ଲୋକ ନିଖୋଜ ହେବାରେ ଭାରତର...

ରାଜନୀତିରୁ କାହିଁକି ଦୂରେଇ ଗଲେ ଇଭାଙ୍କା ଟ୍ରମ୍ପ, ନୂଆ ସରକାରରେ ସାମିଲ ନ ହେବାର କାରଣ ଜାଣନ୍ତୁ

ଓ୍ବାଶିଂଟନ,୨୩।୧୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଝିଅ ଇଭାଙ୍କା ଟ୍ରମ୍ପ ରାଜନୀତିରୁ ନିଜକୁ ଦୂରେଇ ରଖିଛନ୍ତି। ଇଭାଙ୍କା ତାଙ୍କ ପିତା ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ସରକାରରେ...

୧୨ ବର୍ଷର ଛାତ୍ର ହେଲେ ଶିକ୍ଷୟିତ୍ରୀଙ୍କ ପିଲାର ପିତା! DNA ଖୋଲିଲା ରାଜ୍‌

ଓ୍ବାଶିଂଟନ,୨୩।୧୨: ଆମେରିକାର ଟେନେସି ରାଜ୍ୟରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ଟେନିସି ରାଜ୍ୟ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜଣେ ୧୨ ବର୍ଷର ବାଳକକୁ ବଳାତ୍କାର...

୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ...

ଦିନେ ଆମେରିକାର ରାଷ୍ଟ୍ରପତି ହେବେ ଏଲୋନ ମସ୍କ? ଏହି ପ୍ରଶ୍ନର ଏମିତି ଉତ୍ତର ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୨୩।୧୨: ନିକଟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ କରାଯାଇଛି, ସେ ମଧ୍ୟ ଖୁବ ଶୀଘ୍ର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।...

ଭାରତରୁ ପଙ୍ଗା ନେଲା ତ ଆମେରିକା ଶିଖାଇଲା ବୁଦ୍ଧି, ଏବେ ଚାଇନାର ନିଷ୍ପତ୍ତିକୁ ନେଇ ଅଡୁଆରେ ପଡିବେ ଟ୍ରୁଡୋ!

ଟରଣ୍ଟୋ,୨୩।୧୨: କାନାଡା ପାଇଁ ଆଉ ଏକ ଖରାପ ଖବର ସାମ୍ନାକୁ ଆସିଛି, ଯାହା ଭାରତ ସହ ସମ୍ପର୍କକୁ ନଷ୍ଟ କରିସାରିଛି। ଏଥର ଏହି ପ୍ରସଙ୍ଗ ଚାଇନା...

ଗାଜାରେ ଏୟାରଷ୍ଟ୍ରାଇକ୍‌: ୨୦ ମୃତ

ଦେଇର ଅଲ୍‌-ବଲାହ,୨୩ା୧୨: ଇସ୍ରାଏଲୀ ସେନା ଶନିବାର ରାତିରୁ ଗାଜା ଷ୍ଟ୍ରିପ୍‌ ଉପରେ ଏୟାରଷ୍ଟ୍ରାଇକ୍‌ ଜାରି ରଖିଥିବାବେଳେ ଏଥିରେ ୫ ପିଲାଙ୍କ ସମେତ ଅନୂ୍ୟନ ୨୦ ଜଣ ପାଲେଷ୍ଟିନୀୟଙ୍କ...

ବ୍ରାଜିଲରେ ବିମାନ ଦୁର୍ଘଟଣା

ବ୍ରାସିଲିଆ,୨୨ା୧୨: ବ୍ରାଜିଲର ଦକ୍ଷିଣ ଭାଗରେ ଅବସ୍ଥିତ ପର୍ଯ୍ୟଟନ ସହର ଗ୍ରାମାଡୋରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ସହର କେନ୍ଦ୍ରସ୍ଥଳରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri